ଯବାନଙ୍କୁ ଉପରିସ୍ଥ ଅଧିକାରୀଙ୍କ ଅକଥନୀୟ ଅତ୍ୟାଚାର, ଭାଇରାଲ ଫଟୋ ଦେଖିଲେ ଛାତି ଥରିଯିବ

ସେନାରେ ଚାକିରି କରୁଥିବା ଯବାନଙ୍କୁ ଅମାନବୀୟ ଅତ୍ୟାଚାର। ମାରି ମାରି ଲହୁ ଲୁହାଣ କରି ପକାଇଛନ୍ତି ଉପରିସ୍ଥ ଅଧିକାରୀ। କୌଣସି ବାହାର ଦେଶରେ ନୁହେଁ, ବରଂ ଭାରତୀୟ ସେନାର ୬ ସିଖ ରେଜିମେଣ୍ଟ ଦିଲ୍ଲୀରେ ଦେଖିବାକୁ ମିଳିଛି ଏଭଳି ଛାତିଥରା ଘଟଣା। ଏନେଇ ପୀଡ଼ିତ ଯବାନଙ୍କ ପରିବାର ଲୋକ ଅଭିଯୋଗ କରିବା ସହ ନ୍ୟାୟ ଦାବି କରିଛନ୍ତି।

ଅଭିଯୋଗ ମୁତାବକ, ୨୪ ବର୍ଷୀୟ କୁଲବିନ୍ଦର ସିଂହ ୪ ବର୍ଷ ହେଲା ସେନାରେ ଜଣେ ସିପାହୀ ଭାବେ କାମ କରୁଛନ୍ତି। କିନ୍ତୁ ଦିଲ୍ଲୀର ୬ ସିଖ ରେଜିମେଣ୍ଟକୁ ଆସିବା ପରେ ତାଙ୍କୁ ସେଠାକାର ସିଓ ଓ ଅନ୍ୟ ଉପରିସ୍ଥ ଅଧିକାରୀ ହଇରାଣ କରିବାକୁ ଲାଗିଲେ। ଏମିତିକି ମାଡ଼ ମଧ୍ୟ ମାରିଲେ। ଫଳରେ ସେ ଗାଁକୁ ଫେରିଯାଇଥିଲେ। କିନ୍ତୁ ଗାଁରେ ଘର ଲୋକ ତାଙ୍କୁ ବୁଝାଇ ସୁଝାଇ ପୁଣିଥରେ ଡ୍ୟୁଟିକୁ ପଠାଇ ଦେଇଥିଲେ।

army2
Image Credit: Punjabkesari

ଚାକିରିକୁ ଫେରିବା ପରେ ତାଙ୍କୁ ୨୮ ଦିନ ପାଇଁ ଜେଲ ପଠାଇ ଦିଆଗଲା। ଏଥିସହ ୧୪ ଦିନର ଦରମା ମଧ୍ୟ କାଟି ଦିଆଗଲା। ଏହା ପରେ ବି ସେଠାରେ ତାଙ୍କୁ ଅକଥନୀୟ ନିର୍ଯାତନା ଦିଆଯାଇଥିଲା। ୧ ଜୁଲାଇ ୨୦୨୧ରେ କୁଲବିନ୍ଦର ସିଂହଙ୍କୁ ହାତକଡ଼ି ପିନ୍ଧାଇ ଗଛରେ ବାନ୍ଧି ଅମାନବୀୟ ଅତ୍ୟାଚାର କରାଯାଇଥିଲା। ବେହୋସ୍‌ ନ ହେବା ଯାଏଁ ତାଙ୍କୁ ମାଡ଼ ମରାଯାଇଥିଲା। ଅବସ୍ଥା ଗୁରୁତର ହୋଇପଡ଼ିବାରୁ ତାଙ୍କୁ ଦିଲ୍ଲୀର ମିଲିଟାରୀ ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା। ଏବେ ସେଠାରେ ସେ ଚିକିତ୍ସିତ ହେଉଛନ୍ତି।

ତେବେ ପୁଅର ଏ ଅବସ୍ଥା କଥା ଶୁଣି ତାଙ୍କ ବାପା ସାକ୍ଷାତ କରିବାକୁ ଯିବାରୁ ପ୍ରଥମେ ତାଙ୍କୁ ପୁଅ ନିକଟକୁ ଛଡ଼ାଯାଇନଥିଲା। ସେଠାରେ ତାଙ୍କୁ ସିଓ ଧମକ ଦେଇଥିଲେ ଯେ ଭାଗ୍ୟ ଭଲ ପୁଅର ଜୀବନ ବଞ୍ଚିଗଲା। ନଚେତ୍‌ ଆମେ ତାକୁ ମାରି ମାରି ମାରି ଦେଇଥାନ୍ତୁ। ତୁମେ କିଛି କରିପାରିନଥାନ୍ତ। ତେବେ କୁଲବିନ୍ଦରଙ୍କ ନିକଟରେ ପହଞ୍ଚିବା ପରେ ସେ ତାଙ୍କୁ ନିର୍ଯାତନା ବେଳର ଫଟୋ ଦେଖାଇଥିଲେ। ଏହା ପରେ ପୋଲିସରେ ଅଭିଯୋଗ କରିଥିଲେ ମଧ୍ୟ ଉପରିସ୍ଥ ଅଧିକାରୀଙ୍କ ଚାପରେ କୌଣସି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଇନଥିଲା। ଏଣୁ ତାଙ୍କ ପରିବାର ଲୋକେ ବାଧ୍ୟ ହୋଇ ଗଣମାଧ୍ୟମ ସାମ୍ନାରେ ନିଜ ଦୁଃଖ ବଖାଣି ନ୍ୟାୟ ମାଗିଛନ୍ତି।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.