Below header

ଇରାକ୍‌ରେ ସିୟା ଧର୍ମଗୁରୁ ରାଜନୀତି ଛାଡ଼ିବା ପରେ ସ୍ଥିତି ଅଣାୟତ୍ତ, ରାଷ୍ଟ୍ରପତି ଭବନରେ ପଶିଲେ ଲୋକ; ଗୁଳିମାଡ଼ରେ ୮ ମୃତ

ଇରାକରେ ଏବେ ଦେଖାଦେଇଛି ଶ୍ରୀଲଙ୍କା ଭଳି ସ୍ଥିତି। ଦେଶରେ ଅରାଜକତା ବଢ଼ିଛି। ସୋମବାର ଦିନ ଶକ୍ତିଶାଳୀ ସିୟା ମୁସ୍‌ଲିମ୍‌ ଧର୍ମଗୁରୁ ମୁକ୍ତଦା ଅଲସଦର ରାଜନୀତିରୁ ସନ୍ନ୍ୟାସ ନେଇଛନ୍ତି। ଏ ନେଇ ସେ ଘୋଷଣା କରିବା ପରଠାରୁ ଦେଶରେ ସ୍ଥିତି ବିଗିଡ଼ିବାରେ ଲାଗିଛି। ବାଗଦାଦ ଧର୍ମଗୁରୁଙ୍କ ସମର୍ଥକ ଓ ଇରାନ ସମର୍ଥିତ ଲୋକଙ୍କ ମଧ୍ୟରେ ମୁହାଁମୁହିଁ ସ୍ଥିତି ଉପୁଜିଛି। ଏହି ଘଟଣାରେ ଖବର ଲେଖା ହେବା ଯାଏଁ ୮ ଜଣଙ୍କ ମୃତ୍ୟୁ ଘଟିଛି। ଉତ୍ତ୍ୟକ୍ତ ଲୋକ ରାଷ୍ଟ୍ରପତି ଭବନ ଓ ସରକାରୀ ଅଫିସରେ ପ୍ରବେଶ କରି ଭଙ୍ଗାରୁଜା କରିଛନ୍ତି। ଅନ୍ୟପଟେ ସ୍ଥିତି ଅଣାୟତ୍ତ ହେବାରୁ ଆମେରିକାର ଦୂତାବାସ କର୍ମଚାରୀଙ୍କୁ ହେଲିକପ୍ଟର ସାହାଯ୍ୟରେ ଗ୍ରୀନ୍‌ ଜୋନ୍‌ରୁ ବାହାର କରାଯାଇଛି।

ବିରୋଧ ପ୍ରଦର୍ଶନକାରୀଙ୍କୁ ରୋକିବାକୁ ସୁରକ୍ଷାବଳ ଲୁହାବୁହା ଗ୍ୟାସ୍‌ ପ୍ରୟୋଗ କରିଛି। ତେବେ ଏହି ଭିଡ଼ରୁ କିଛି ଲୋକ ପ୍ରେସିଡେଣ୍ଟସ୍‌ ପୁଲ୍‌ରେ ପହଁରୁଥିବା ଦେଖାଯାଇଛି। ଧର୍ମଗୁରୁଙ୍କ ସମର୍ଥକ ରିପବ୍ଲିକାନ୍‌ ପ୍ୟାଲେସର ସୁଇମିଂ ପୁଲରେ ମସ୍ତି କରୁଥିବାର ନଜର ଆସିଛନ୍ତି। ଯାହାର ଭିଡିଓ ସୋସିଆଲ ମିଡିଆରେ ଖୁବ୍‌ ଭାଇରାଲ ହେଉଛି।

ସୂଚନାଯୋଗ୍ୟ ଯେ ଇରାକରେ ଗତ ୧୦ ମାସ ହେଲାଣି କୌଣସି ସ୍ଥାୟୀ ପ୍ରଧାନମନ୍ତ୍ରୀ ନାହାନ୍ତି କି ମନ୍ତ୍ରି ମଣ୍ଡଳ ଓ ସରକାର ବି ନାହିଁ। ଏହି କାରଣରୁ ଦେଶରେ ରାଜନୈତିକ ଅସ୍ଥିରତା ଦେଖା ଦେଇଛି। ଶ୍ରୀଲଙ୍କାରେ ଯେଉଁଭଳି ଭାବେ ରାଜନୈତିକ ସଙ୍କଟ ଦେଖାଦେଇଥିଲା ଓ ଲୋକମାନେ ସାଂସଦଙ୍କୁ ବନ୍ଧକ ରଖିଥିଲେ, ଏବେ ଇରାକ୍‌ରେ ସେଭଳି ସ୍ଥିତି ହୋଇଛି।

ଲୋକଙ୍କ ବିରୋଧ ପ୍ରଦର୍ଶନକୁ ରୋକିବା ପାଇଁ ଲୁହା ବୁହା ଗ୍ୟାସ୍‌ ପ୍ରୟୋଗ କରାଯାଇଥିଲେ ମଧ୍ୟ ଉତ୍ତ୍ୟକ୍ତ ଜନତା କିଛି ଶୁଣିନଥିଲେ। ଏଣୁ ସେନା ପକ୍ଷରୁ ବାଧ୍ୟ ହୋଇ ଗୁଳି ଚାଳନା କରାଯାଇଛି। ଏହି ଫାୟାରିଂର ଶବ୍ଦ ଅନେକ ସମୟ ଯାଏଁ ହୋଇଥିଲା ବୋଲି ଜଣାଯାଇଛି। ଏହି ଗୁଳିମାଡ଼ ଓ ଦଳାଚକଟାରେ ହିଁ ୮ ଜଣଙ୍କ ଜୀବନ ଯାଇଛି। ସେହିଭଳି ଅନେକ ଲୋକ ଆହତ ହୋଇଛନ୍ତି। ସ୍ଥିତିକୁ ନିୟନ୍ତ୍ରଣକୁ ଆଣିକାକୁ ଇରାକ ସେନା ଅପରାହ୍ନ ସାଢ଼େ ୩ଟା ପରଠାରୁ ପୂରା ଦେଶରେ କର୍ଫ୍ୟୁ ଲାଗୁ କରିଛି। ଏଥିସହ ପ୍ରଦର୍ଶନକାରୀଙ୍କୁ ରାଷ୍ଟ୍ରପତି ଭବନ ଗ୍ରୀନ୍‌ ଜୋନ୍‌ ଛାଡ଼ି ଚାଲିଯିବାକୁ କହିଛି। ତଥାପି ସ୍ଥିତି ଉଦ୍‌ବେଗଜନକ ଥିବା କୁହାଯାଉଛି। ଯେତେ ଶୀଘ୍ର ସମ୍ଭବ ସେତେ ଶୀଘ୍ର ନୂଆ ସରକାର ପାଇଁ ଲୋକମାନେ ଦାବି କରିଛନ୍ତି।

Also Read: ପିକ୍‌ନିକ୍‌ ହେଲା କାଳ, ଗାଧୋଇବା ବେଳେ ଝରଣାରେ ଭାସିଯାଇ ୬ ମୃତ

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.