ଇସ୍ରାଏଲରେ ସାମ୍ନାକୁ ଆସିଲା ଛାତିଥରା ଦୃଶ୍ୟ: ଧ୍ବଂସସ୍ତୂପ ତଳେ ମୃତ ମା’ର ସ୍ତନରୁ କ୍ଷୀର ପିଉଥିଲା ମାସକର ଶିଶୁ

ଇସ୍ରାଏଲ-ହମାସ୍‌ ଯୁଦ୍ଧ ମଧ୍ୟରେ ଆଉ ଏକ ହୃଦୟ ବିଦାରକ ଘଟଣା ସାମ୍ନାକୁ ଆସିଛି। ଆତଙ୍କବାଦୀଙ୍କ ରକେଟ ମାଡ଼ରେ ଭୁଶୁଡ଼ି ପଡ଼ିଥିବା ଘରର ଧ୍ବଂସସ୍ତୂପ ତଳେ ମା’ ମୃତ ଅବସ୍ଥାରେ ପଡ଼ିଥିଲା। ଏହି ସମୟରେ ମୃତ ମା’କୁ ଏକ ମାସର ନବଜାତ ଜାବୁଡ଼ି ଧରି ସ୍ତନରୁ କ୍ଷୀର ପିଉଥିଲା।

ନୂଆଦିଲ୍ଲୀ: ସପ୍ତାହେରୁ ଅଧିକ ଦିନ ହେଲାଣି ଚାଲିଛି ଇସ୍ରାଏଲ୍-ପାଲେଷ୍ଟାଇନ ଯୁଦ୍ଧ। ଇସ୍ରାଏଲୀ ଡିଫେନ୍ସ ଫୋର୍ସ ଓ ଫିଲିସ୍ତିନ ହମାସ୍ ଆତଙ୍କୀଙ୍କ ମଧ୍ୟରେ ଲାଗିରହିଛି ଘମାଘୋଟ ସଂଘର୍ଷ। ଯୁଦ୍ଧର ଚକ୍ରବ୍ୟୁହରେ ଫସିଛନ୍ତି ଲକ୍ଷ ଲକ୍ଷ ନିରୀହ ଜନତା। ଉଭୟ ପକ୍ଷରୁ ମୃତ୍ୟୁସଂଖ୍ୟା ପ୍ରାୟ ୪ହଜାରକୁ ବଢ଼ିଥିବା ବେଳେ ଆଗକୁ ଯୁଦ୍ଧ ଆହୁରି ଭୟଙ୍କର ହେବ ବୋଲି ଆଶଙ୍କା କରାଯାଉଛି। ଗତ ଗୁରୁବାର ଦିନ ଇସ୍ରାଏଲ୍‌ର ପ୍ରଧାନମନ୍ତ୍ରୀ ବେଞ୍ଜାମିନ୍‌ ନେତାନ୍ୟାହୁଙ୍କ କାର୍ଯ୍ୟାଳୟ ପକ୍ଷରୁ ଏକ ଫଟୋ ସେୟାର କରାଯାଇଥିଲା। ଫଟୋରେ ହମାସ୍‌ ଦାନବମାନେ ହତ୍ୟା କରି ପୋଡ଼ି ଦେଇଥିବା କଅଁଳା ପିଲାମାନଙ୍କର ବୀଭତ୍ସ ଫଟୋ ଦେଖିବାକୁ ମିଳିଥିଲା।

ହମାସ୍‌ ଆକ୍ରମଣରେ ଇସ୍ରାଏଲର ବଡ଼ବଡ଼ କୋଠା, ଅଟ୍ଟାଳିକା ଆଖି ପିଛୁଳାକେ ମାଟିରେ ମିଶିଯାଉଛି। ଖାଲି ଖୋଲା ଆକାଶ ନୁହେଁ, ଚାରିକାନ୍ଥ ଭିତରେ ବି ଛାତିରେ ଛନକା ପଶୁଛି। ହମାସ୍‌ର ରକେଟ୍ ମାଡ଼ରେ ସବୁକିଛି ପୋଡ଼ି ଜଳି ଛାରଖାର ହୋଇଛି। କେବଳ ସେତିକି ନୁହେଁ, ଘମାଘୋଟ ଯୁଦ୍ଧରେ କେତେ ନିରୀହ ଶିଶୁଙ୍କ ଜୀବନ ଯାଇଛି ତ’ ପୁଣି କିଏ ନିଜ ଛୁଆକୁ ହରାଇ ଆଖିରୁ ଲୁହ ଗଡାଉଛି।

ଇସ୍ରାଏଲ-ହମାସ୍‌ ଯୁଦ୍ଧ ମଧ୍ୟରେ ଆଉ ଏକ ହୃଦୟ ବିଦାରକ ଘଟଣା ସାମ୍ନାକୁ ଆସିଛି। ଆତଙ୍କବାଦୀଙ୍କ ରକେଟ ମାଡ଼ରେ ଭୁଶୁଡ଼ି ପଡ଼ିଥିବା ଘରର ଧ୍ବଂସସ୍ତୂପ ତଳେ ମା’ ମୃତ ଅବସ୍ଥାରେ ପଡ଼ିଥିଲା। ଏହି ସମୟରେ ମୃତ ମା’କୁ ଏକ ମାସର ନବଜାତ ଜାବୁଡ଼ି ଧରି ସ୍ତନରୁ କ୍ଷୀର ପିଉଥିଲା।

ଅହମଦ ନାମକ ଇସ୍ରାଏଲ ବ୍ୟକ୍ତିଙ୍କ କହିବାନୁସାରେ, ‘ମୁଁ କୌଣସି କାମରେ ଘର ବାହାରକୁ ଯାଇଥିଲି। ଆତଙ୍କବାଦୀଙ୍କ ଆକ୍ରମଣର ଖବର ପାଇ ମୁଁ ଘରକୁ ଫେରିବା ପରେ ଦେଖିଲି ରହୁଥିବା ତିନିମହଲା କୋଠା ଧ୍ବଂସ ହୋଇଯାଇଥିଲା। ଘର ଚାରିପଟେ ଧ୍ବଂସସ୍ତୂପ ପଡ଼ିରହିଥିଲା। ଏହା ପରେ ଧ୍ବଂସସ୍ତୂପ ତଳୁ ଶିଶୁର ମା’ଟିକୁ ଉଦ୍ଧାରକାରୀ ଦଳଙ୍କ ସହିତ ମିଶି ଖୋଜିବାକୁ ଲାଗିଲି। କିନ୍ତୁ ସେ ସମୟରେ ଆଉ ଯେଉଁ ଦୃଶ୍ୟ ଦେଖିଥିଲି, ତାହା ମୁଁ ବଖାଣି ପାରିବି ନାହିଁ। କାରଣ ‌ମୋର ଏକ ମାସର ଭଣଜା ଉକ୍ତ ଧ୍ବଂସସ୍ତୂପ ତଳେ ପଡ଼ି ରହି ମୋ ମୃତ ଭଉଣୀକୁ ଜାବୁଡ଼ି ଧରି ତା’ ଠାରୁ କ୍ଷୀର ପିଉଥିଲା। ଆମେ ତାକୁ ଉଦ୍ଧାର କରି ଚିକିତ୍ସା ପାଇଁ ହସ୍ପିଟାଲରେ ଭର୍ତ୍ତି କରିଛୁ।’

ସେପଟେ ଗାଜା ପଟ୍ଟିରେ ଇସ୍ରାଏଲ୍ ସ୍ଥଳସେନା ଟ୍ୟାଙ୍କ୍ ଓ ଅସ୍ତ୍ରଶସ୍ତ୍ର ସହ ପ୍ରବେଶ କରି ଆତଙ୍କବାଦୀମାନଙ୍କୁ ଖୋଜି ଖୋଜି ମାରୁଛି। ଏପରିକି ପାଲେଷ୍ଟାଇନ୍‌ର ଗାଜା ପଟ୍ଟିକୁ ପାଣି, ବିଜୁଳି, ଖାଦ୍ୟ ଓ ଇନ୍ଧନ ଯୋଗାଣ ବନ୍ଦ କରିଦେଇଛି ଇସ୍ରାଏଲ୍‌। ଫଳରେ ଖାଦ୍ୟାଭାବ ସହିତ ପିଇବା ପାଣି ମଧ୍ୟ ସରି ସରି ଆସୁଛି। ଘୋର୍ ଖାଦ୍ୟାଭାବ ଆଡ଼କୁ ଗତି କରୁଛି ଦେଶ। ଅନ୍ୟପଟେ ଘନଘନ ମିସାଇଲ୍‌ ମାଡ଼ରେ ଥରିଉଠୁଛି ଉତ୍ତର ଗାଜା । ହମାସ୍‌ ଆକ୍ରମଣର ପ୍ରତିଶୋଧ ସ୍ୱରୂପ ଇସ୍ରାଏଲ୍‌ର ଏହି ସାଙ୍ଘାତିକ କାର୍ଯ୍ୟାନୁଷ୍ଠାନ ଗାଜାବାସୀଙ୍କ ଜୀବନକୁ ନର୍କ କରିଦେଇଛି । ଏକମାତ୍ର ପାୱାର ପ୍ଲାଣ୍ଟ ଅଚଳ ହୋଇଯିବା ପରେ ସମ୍ପୂର୍ଣ୍ଣ ଗାଜା ଅନ୍ଧାର ଭିତରକୁ ଠେଲି ହୋଇଯାଇଛି। ଆଗକୁ ସଙ୍ଗୀନ ସ୍ଥିତି ହେବ ବୋଲି କୁହାଯାଉଛି । ଏମିତିରେ ୨୦ ଲକ୍ଷ ଜୀବନ ପାଣି ବିନା ଛଟପଟ ହେବେ।