ମଧ୍ୟ ପ୍ରଦେଶ: ବିକାଶ ଯାତ୍ରା ଚାଲିଥିବା ବେଳେ ମନ୍ତ୍ରୀଙ୍କ ଶରୀରରେ ଲଗାଇଦେଲେ ବିଛୁଆତି! ଦେହ, ହାତ କୁଣ୍ଡାଇ କୁଣ୍ଡାଇ ବେହାଲ ହେଲେ ବୃଜେନ୍ଦ୍ର ସିଂ

ମଧ୍ୟ ପ୍ରଦେଶର ଅଶୋକନଗରରେ ଚାଲିଥିଲା ବିକାଶ ଯାତ୍ରା। ଆଉ ଏହାରି ଭିତରେ କେହି ଜଣେ ଅସାମାଜିକ ବ୍ୟକ୍ତି ମନ୍ତ୍ରୀ ବୃଜେନ୍ଦ୍ର ସିଂଙ୍କ ଦେହରେ ଲଗାଇ ଦେଇଥିଲେ ବିଛୁଆତି, ଆଉ ଏହା ପରର ଭିଡିଓ ଏବେ ସୋସିଆଲ ମିଡିଆରେ ହେଉଛି ଭାଇରାଲ।

ମଧ୍ୟ ପ୍ରଦେଶର ଅଶୋକନଗରରେ ବିକାଶ ଯାତ୍ରା ଚାଲିଥିବା ବେଳେ ମନ୍ତ୍ରୀ ବୃଜେନ୍ଦ୍ର ସିଂଙ୍କ ଶରୀରରେ କେହି ଜଣେ ବିଛୁଆତି ପାଉଡର ଲଗାଇ ଦେଇଥିଲେ, ଯାହାଫଳରେ ମନ୍ତ୍ରୀଙ୍କ ଶରୀର ଅସମ୍ଭବ ପ୍ରକାର କୁଣ୍ଡାଇ ହେବାକୁ ଲାଗିଥିଲା। ଶରୀର ଏତେ ମାତ୍ରାରେ କୁଣ୍ଡାଇ ହୋଇଥିଲା ଯେ ମନ୍ତ୍ରୀଙ୍କ ଅବସ୍ଥା ଏକଦମ୍‌ ବେହୋଲ ହୋଇପଡ଼ିଥିଲା। ଆଉ ଶେଷରେ ମନ୍ତ୍ରୀଙ୍କୁ ସେହି ଗାଁରେ ହିଁ ଗୋଧୋଇ କପଡ଼ା ବଦଳାଇବାକୁ ପଡ଼ିଥିଲା। ଏବେ ଏହି ଘଟଣାର ଭିଡିଓ ସୋସିଆଲ ମିଡିଆରେ ଖୁବ୍‌ ଭାଇରାଲ ହେଉଛି।

କହି ରଖୁଛୁ ଯେ ମଧ୍ୟ ପ୍ରଦେଶ ସରକାରରେ ରାଜ୍ୟମନ୍ତ୍ରୀ ତଥା ମୁଙ୍ଗାଭଲି ବିଧାୟକ ବୃଜେନ୍ଦ୍ର ସିଂ ଯାଦବ ବିଜେପିର ବିକାଶ ଯାତ୍ରା ଅଧୀନରେ ବିଧାନସଭା ନିର୍ବାଚନ ମଣ୍ଡଳୀରେ ଗାଁ ଗାଁ ବୁଲି ଲୋକମାନଙ୍କୁ ଭେଟୁଛନ୍ତି। ମନ୍ତ୍ରୀ ଲୋକମାନଙ୍କୁ ସରକାରଙ୍କ ଯୋଜନା ବିଷୟରେ ବୁଝାଇବା ସହିତ ଶିଳାନ୍ୟାସ ଏବଂ ଭୂମିପୂଜନ କାର୍ଯ୍ୟକ୍ରମ ମଧ୍ୟ କରୁଛନ୍ତି।

ତେବେ ଏହି ପୂରା ଘଟଣାଟି ମୁଙ୍ଗାଭଲି ବିଧାନସଭା କ୍ଷେତ୍ରର ଦେବର୍ଚ୍ଛି ଗାଁର ବୋଲି କୁହାଯାଉଛି। ମନ୍ତ୍ରୀ ଯେତେବେଳେ ଗାଁରେ ବୁଲି ଜନସମ୍ପର୍କ କରୁଥିଲେ, ତ ହଠାତ୍‌ ସେହି ସମୟରେ କେହି ଜଣେ ଅସାମାଜିକ ବ୍ୟକ୍ତି ତାଙ୍କୁ ବିଛୁଆତି ପତ୍ର କିମ୍ବା ପାଉଡର ବୋଳି ଦେଇଥିଲେ। ସାମ୍ନାକୁ ଆସିଥିବା ଭିଡିଓରେ ଦେଖିବାକୁ ମିଳୁଛି କି, ମନ୍ତ୍ରୀ ବୃଜେନ୍ଦ୍ର ସିଂ ଦେହ, ହାତ କୁଣ୍ଡାଇ ହେବାରୁ ଗାଁରେ ରାତିରେ ଗାଧାଉଛନ୍ତି।

ଭିଡିଓରେ ମନ୍ତ୍ରୀ ଏହା ମଧ୍ୟ କହୁଥିବାର ଶୁଣାଯାଉଛି ଯେ କେହି ଜଣେ ତାଙ୍କୁ ବିଛୁଆତି ଲଗାଇ ଦେଇଛି। ତେବେ ବିଛୁଆତି ଲଗାଇବା ପରେ ମନ୍ତ୍ରୀଙ୍କ ଅବସ୍ଥା ବେହାଲ ହୋଇଯାଇଥିଲା। ତାଙ୍କର ପୂରା ଶରୀର ଜୋର୍‌ରେ କୁଣ୍ଡାଇ ହେବାକୁ ଲାଗିଥିଲା। ଶେଷରେ କିଛି ଉପାୟ ନ ପାଇ ମନ୍ତ୍ରୀ ଗାଁରେ ହିଁ ଗାଧୋଇ କପଡ଼ା ବଦଳାଇ ଦେଇଥିଲେ। କୁହାଯାଉଛି, କେହି ଜଣେ ଅସାମାଜିକ ବ୍ୟକ୍ତି ମନ୍ତ୍ରୀଙ୍କୁ ସ୍ୱାଗତ କରିବା ସମୟରେ ଫୁଲରେ ବିଛୁଆତି ପାଉଡର ଲଗାଇ ଦେଇଥିଲେ, ଯାହାପରେ ମନ୍ତ୍ରୀଙ୍କ ଅବସ୍ଥା ଏପରି ହୋଇଥିଲା।