ଜ୍ୟାକଲିନ୍ଙ୍କୁ ଆଶ୍ୱସ୍ତି; କୋର୍ଟଙ୍କ ବିନା ଅନୁମତିରେ ଯାଇପାରିବେ ବିଦେଶ, କେବଳ ଦେବାକୁ ହେବ ଠିକଣା ଓ ଫୋନ୍ ନମ୍ବର
ବଲିଉଡ୍ ଅଭିନେତ୍ରୀ ଜ୍ୟାକଲିନ୍ ଫର୍ଣ୍ଣାଡିଜ୍ଙ୍କୁ ବଡ଼ ଆଶ୍ୱସ୍ତି। ସୁକେଶ ଚନ୍ଦ୍ରଶେଖରଙ୍କ ସହ ଜଡ଼ିତ ୨୦୦ କୋଟି ମନି ଲଣ୍ଡରିଂ ମାମଲାରେ ଦିଲ୍ଲୀର ପଟିଆଲା ହାଉସ୍ କୋର୍ଟ ତାଙ୍କୁ ଆଶ୍ୱସ୍ତି ଦେଇଛନ୍ତି।

ବଲିଉଡ୍ ଅଭିନେତ୍ରୀ ଜ୍ୟାକଲିନ୍ ଫର୍ଣ୍ଣାଡିଜ୍ଙ୍କୁ ବଡ଼ ଆଶ୍ୱସ୍ତି। ସୁକେଶ ଚନ୍ଦ୍ରଶେଖରଙ୍କ ସହ ଜଡ଼ିତ ୨୦୦ କୋଟି ମନି ଲଣ୍ଡରିଂ ମାମଲାରେ ଦିଲ୍ଲୀର ପଟିଆଲା ହାଉସ୍ କୋର୍ଟ ତାଙ୍କୁ ଆଶ୍ୱସ୍ତି ଦେଇଛନ୍ତି। ଏଣିକି କୋର୍ଟଙ୍କ ବିନା ଅନୁମତିରେ ଜ୍ୟାକଲିନ୍ ବିଦେଶ ଯାତ୍ରା କରିପାରିବେ। କୋର୍ଟ ଜ୍ୟାକଲିନ୍ଙ୍କ ଜାମିନ୍ ସର୍ତ୍ତରେ ପରିବର୍ତ୍ତନ କରି ତାଙ୍କୁ ଅନୁମତି ପ୍ରଦାନ କରିଛନ୍ତି।
ତେବେ ବିଦେଶ ଯାତ୍ରା ପୂର୍ବରୁ ଜ୍ୟାକଲିନ୍ଙ୍କୁ ଇଡି ଏବଂ କୋର୍ଟଙ୍କୁ ୩ ଦିନ ଆଗରୁ ଖବର ଦେବାକୁ ହେବ। ଅର୍ଥାତ୍ ଯଦି ଜ୍ୟାକଲିନ୍ ନିଜର କୌଣସି ପ୍ରୋଜେକ୍ଟ କାମରେ ବିଦେଶ ଯାଉଛନ୍ତି, ତା’ ହେଲେ ତାଙ୍କୁ କୋର୍ଟଙ୍କଠାରୁ ଅନୁମତି ନେବାର ଆବଶ୍ୟକ ନାହିଁ। କେବଳ କୋର୍ଟଙ୍କୁ ଏ ସମ୍ପର୍କରେ ସୂଚିତ କରିବାକୁ ପଡ଼ିବ।
କୋର୍ଟ କହିଛନ୍ତି ଯେ ଜ୍ୟାକଲିନ୍ ଫର୍ଣ୍ଣାଡିଜ୍ ଫିଲ୍ମ ଇଣ୍ଡଷ୍ଟ୍ରୀରେ କାମ କରନ୍ତି। ତାଙ୍କୁ ନିଜ କାମରେ ବାରମ୍ବାର ବିଦେଶ ଯାତ୍ରା କରିବାକୁ ପଡ଼ିଥାଏ। ଏବେ ବିଦେଶ ଯିବା ପୂର୍ବରୁ ଜ୍ୟାକଲିନ୍ ସମସ୍ତ ବିବରଣୀ ଦେବେ। ସେ କେଉଁ ଦେଶକୁ ଯାଉଛନ୍ତି, ସେଠାରେ ତାଙ୍କୁ କେତେଦିନ ରହିବାକୁ ପଡ଼ିବ, ଏ ସବୁକିଛି କୋର୍ଟଙ୍କୁ ଜଣାଇବାକୁ ହେବ। ଏହାସହ ଅଭିନେତ୍ରୀଙ୍କୁ ସେଠାକାର ଠିକଣା ଓ ଫୋନ୍ ନମ୍ବର ମଧ୍ୟ ଦେବାକୁ ପଡ଼ିବ।
କହି ରଖୁଛୁ, ଗତବର୍ଷ ନଭେମ୍ବରରେ ଜ୍ୟାକଲିନ୍ଙ୍କୁ ମନି ଲଣ୍ଡରିଂ ମାମଲାରେ ଜାମିନ୍ ମିଳିଥିଲା। କିନ୍ତୁ ଏଥିପାଇଁ କୋର୍ଟ ସର୍ତ୍ତ ରଖିଥିଲେ ଯେ ଜ୍ୟାକଲିନ୍ କୋର୍ଟଙ୍କ ବିନା ଅନୁମତିରେ ଦେଶ ବାହାରକୁ ଯାଇପାରିବେ ନାହିଁ।