ବିଜେପି ସାଂସଦଙ୍କ ଉପରେ ରାଗିଗଲେ ଜୟା ବଚ୍ଚନ, କହିଲେ- ‘ଆପଣଙ୍କ ଖରାପ ଦିନ ଆସିବ, ମୁଁ ଅଭିଶାପ ଦେଉଛି’

ଆପଣଙ୍କ ଖରାପ ଦିନ ଆସିବ, ମୁଁ ଅଭିଶାପ ଦେଉଛି। ରାଜ୍ୟ ସଭାରେ ରାଗିଯାଇ ଟ୍ରେଜରୀ ବେଞ୍ଚ ସଦସ୍ୟଙ୍କୁ ଏହି ଅଭିଶାପ ଦେଇଛନ୍ତି ସମାଜବାଦୀ ପାର୍ଟିର ସାଂସଦ ଜୟା ବଚ୍ଚନ। ରାଜ୍ୟ ସଭାରେ ଆଜି ସମାଜବାଦୀ ପାର୍ଟିର ସାଂସଦ ଜୟା ବଚ୍ଚନ ବିଜେପି ଓ କେନ୍ଦ୍ର ସରକାରଙ୍କ ଉପରେ ପ୍ରବଳ ବର୍ଷିଛନ୍ତି। ରିପୋର୍ଟ ମୁତାବକ, ଟ୍ରେଜରୀ ବେଞ୍ଚରେ ବସିଥିବା ବିଜେପି ସାଂସଦଙ୍କ ସହ ସମାଜବାଦୀ ପାର୍ଟି ସାଂସଦ ଜୟା ବଚ୍ଚନଙ୍କ ପ୍ରବଳ ତର୍କ ବିତର୍କ ହୋଇଥିଲା। ଏହି ସମୟରେ ଜୟା ବଚ୍ଚନ ବିଜେପିର ଏହି ସାଂସଦଙ୍କ ଉପରେ ରାଗିଯାଇଥିଲେ।

ଜୟା ରାଗିଯାଇ କହିଥିଲେ-ଆପଣଙ୍କ ଖରାପ ଦିନ ଆସିବ, ମୁଁ ଅଭିଶାପ ଦେଉଛି। ଯଦି ଆପଣଙ୍କ ଭିତରେ ନିଜ ସାଥୀଙ୍କ ପାଇଁ ଟିକେ ବି ସମ୍ମାନ ନାହିଁ ତେବେ ଆମ ତଣ୍ଟି ହିଁ ଚିପି ଦିଅନ୍ତୁ। କଥା ତ କୁହାଇ ଦେଉ ନାହାନ୍ତି। ଏ ଅବସରରେ ଜୟା ରାଜ୍ୟ ସଭାର ଅଧ୍ୟକ୍ଷଙ୍କୁ କହିଥିଲେ ଯେ ମୋ ବିରୋଧରେ ଓ ମୋ କ୍ୟାରିୟର ବିରୋଧରେ ଅପଶବ୍ଦ କୁହାଯାଇଛି। ଏମିତି ସଦସ୍ୟଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ହେବା ଦରକାର।

ତେବେ ଟ୍ରେଜରୀ ବେଞ୍ଚ ସହ ତୁ ତୁ ମେଁ ମେଁ ଭିତରେ ଆଜି ରାଜ୍ୟ ସଭାରେ ଅଧ୍ୟକ୍ଷତା କରୁଥିବା ଭୁବନେଶ୍ୱର କଲିତାଙ୍କୁ ଗୃହକୁ ମୁଲତବୀ କରିବାକୁ ପଡ଼ିଥିଲା। ରାଜ୍ୟ ସଭାରେ NDPS ଆଇନ ସଂଶୋଧନ ବିଲ୍‌ ଉପରେ ଆଲୋଚନା ବେଳେ ଏପରି ଦେଖିବାକୁ ମିଳିଥିଲା। ଜୟାଙ୍କ ବୋହୂ ଐଶ୍ୱର୍ଯ୍ୟା ରାୟ ବଚ୍ଚନ ପାନାମା ପେପର୍ସ ମାମଲାରେ ଆଜି ଇଡି ଆଗରେ ହାଜର ହୋଇଥିଲେ। ଆଉ ଆଜି ଶାଶୁ ଜୟା ରାଗିଯାଇଥିଲେ। ତେବେ ଟ୍ରେଜରୀ ବେଞ୍ଚର ଜଣେ ସଦସ୍ୟ ଜୟାଙ୍କୁ ନେଇ କିଛି ବ୍ୟକ୍ତିଗତ ଆକ୍ଷେପ କରିଥିଲେ। ଏହାକୁ ନେଇ ଜୟା ଉତ୍‌କ୍ଷିପ୍ତ ହୋଇଥିବା କୁହାଯାଉଛି। ଫଳରେ ସେ ଅଭିଶାପ ଦେଇଥିଲେ।

Video Credit: Sansad TV

ତେବେ ଏନେଇ ଶିବ ସେନାର ସାଂସଦ ସଞ୍ଜୟ ରାଓ୍ଵତ କହିଛନ୍ତି, ଐଶ୍ୱର୍ଯ୍ୟ ରାୟ ବଚ୍ଚନଙ୍କୁ ନୋଟିସ୍‌ ଦେବାର କାରଣ ହେଉଛି ଜୟା ବଚ୍ଚନଙ୍କ ଉପରେ ସରକାରଙ୍କ ରାଗ। ସରକାର ଜୟା ବଚ୍ଚନଙ୍କ ବିରୋଧରେ କିଛି କରିପାରୁନାହାନ୍ତି। ଏଣୁ ସେ ତାଙ୍କ ବୋହୂଙ୍କୁ ପାନାମା ପେପର ଲିକ୍‌କୁ ନେଇ ପଚରାଉଚରା କରୁଛନ୍ତି। ଆଗକୁ ସରକାର ତାଙ୍କ ପୁଅ, ନାତି ଓ ନାତୁଣୀକୁ ବି ନୋଟିସ୍‌ ପଠାଇବେ ବୋଲି କହିଛନ୍ତି ରାଓ୍ଵତ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.