Below header

ଝାଡଖଣ୍ଡରେ ବାଜିମାତ କଲା ଜେଏମ୍‌ଏମ୍‌-କଂଗ୍ରେସ ମେଣ୍ଟ, ଦ୍ୱିତୀୟ ଥର ପାଇଁ ମୁଖ୍ୟମନ୍ତ୍ରୀ ହେବାକୁ ପ୍ରସ୍ତୁତ ହେଉଛନ୍ତି ହେମନ୍ତ ସୋରେନ୍‌

କେନ୍ୟୁଜ୍(ବ୍ୟୁରୋ): ଝାଡଖଣ୍ଡରେ ସରକାର ଗଢିବେ ଜେଏମ୍‌ଏମ୍‌ଏମ୍‌-କଂଗ୍ରେସ ମେଣ୍ଟ। ଦ୍ୱିତୀୟ ଥର ପାଇଁ ମୁଖ୍ୟମନ୍ତ୍ରୀ ଆସନରେ ବସିବାକୁ ଯାଉଛନ୍ତି ଝାଡଖଣ୍ଡ ମୁକ୍ତି ମୋର୍ଚ୍ଚାର ନେତା ହେମନ୍ତ ସୋରେନ୍‌। ଜେଏମ୍‌ଏମ-କଂଗ୍ରେସ ମେଣ୍ଟକୁ ମିଳିଛି ସ୍ପଷ୍ଟ ବହୁମତ। ୮୧ ଆସନ ବିଶିଷ୍ଟ ଝାଡଖଣ୍ଡ ବିଧାନସଭାରେ ସରକାର ଗଢିବା ପାଇଁ ମ୍ୟାଜିକ୍‌ ନମ୍ବର ୪୧ ଥିବା ବେଳେ ମେଣ୍ଟକୁ ଏହାଠାରୁ ଢେର ଅଧିକ ଆସନ ମିଳିଛି। ୪୬ ଆସନ ଦେଇ ବିଜୟୀ କରିଛନ୍ତି ଝାଡଖଣ୍ଡ ଭୋଟର। ହେମନ୍ତ ସୋରେନ୍‌ ବାରହାଟ ଓ ଡୁମ୍‌କା ଆସନରେ ଲଢିଥିବା ବେଳେ ଉଭୟରେ ବାଜିମାତ କରିଛନ୍ତି। ଜନାଦେଶ ଆସିବା ପରେ ରାଜ୍ୟବାସୀଙ୍କୁ ଧନ୍ୟବାଦ ଦେଇଛନ୍ତି ହେମନ୍ତ ସୋରେନ୍‌ । ସେହିପର ତାଙ୍କ ଉପରେ ବିଶ୍ୱାସ ରଖିଥିବାରୁ ରାହୁଲ, ସୋନିଆଙ୍କୁ ମଧ୍ୟ ଧନ୍ୟବାଦ ଜଣାଇଛନ୍ତି।

Image result for jharkhand election

ଝାଡଖଣ୍ଡରେ ଏଥର କିନ୍ତୁ କାମ ଦେଇନି ମୋଦି ମ୍ୟାଜିକ୍‌। ପ୍ରଭାବ ପଡିଲାନି ମୋଦି ଶାହଙ୍କ ମାରାଥନ ପ୍ରଚାର। କାମ ଦେଲାନି ଝାଡଖଣ୍ଡରେ ଧାରା ୩୭୦ ଓ ନାଗରିକା ଆଇନ୍‌କୁ ନେଇ ଭାଷଣ। ପୁଣି ଥରେ କ୍ଷମତାକୁ ଫେରିବା ପାଇଁ ଦାମ୍ଭିକତା ଦେଖାଇଥିବା ବିଜେପିକୁ ବଡ ଝଟ୍‌କା ଲାଗିଛି। ୨୦୧୪ ତୁଳନାରେ ୧୦ରୁ ଅଧିକ ଆସନ ହରାଇଛି ବିଜେପି। ମାତ୍ର ୨୫ ଆସନରେ ସୀମିତ ରହିଛି ବିଜେପି। AJSUର ହାତ ଛାଡିବା ମଧ୍ୟ ବିଜେପି ପାଇଁ ମହଙ୍ଗା ସାବ୍ୟସ୍ତ ହୋଇଛି। ୬ ମାସ ତଳର ଲୋକସଭା ନିର୍ବାଚନ ତୁଳନାରେ ବିଜେପିକୁ ବଡ ଧରଣର ଘାଟା ହୋଇଛି। ଲୋକସଭା ନିର୍ବାଚନରେ ୧୪ ଆସନରୁ ଏନଡିଏ ୧୨ଟି ପୋଛି ନେଇଥିଲା। ବିଧାନସଭା ନିର୍ବାଚନରେ ଚିତ୍‌ ମାରିଛି। ଏପରିକି ମୁଖ୍ୟମନ୍ତ୍ରୀ ରଘୁବର ଦାସ ମଧ୍ୟ ନିଜେ ହାରି ଯାଇଛନ୍ତି।

Image result for jharkhand election

୨୦୧୪ ତୁଳନରେ ବିଜେପିକୁ ବଡ ଘାଟା ହୋଇଥିବା ବେଳେ ଜେଏମଏମ-କଂଗ୍ରେସ ମେଣ୍ଟକୁ ପ୍ରାୟ ଡବଲ ଫାଇଦା ମିଳିଛି। ୨୦୧୪ରେ ଜେଏମଏମ୍‌ ଓ କଂଗ୍ରେସ ମେଣ୍ଟକୁ ୨୫ଟି ଆସନ, ବିଜେପିକୁ ୩୭ଟି, ଜେଭିଏମ୍‌ ୮, ଏଜେଏସୟୁ ୫ ଓ ଅନ୍ୟାନ୍ୟ ଦଳଙ୍କୁ ୬ଟି ଆସନ ମିଳିଥିଲା। ଏଥର ବିଜେପି ୧୦ରୁ ଅଧିକ ଆସନ ହରାଇଥିବା ବେଳେ ଜେଏମ୍‌ଏମ୍‌-କଂଗ୍ରେସ ମେଣ୍ଟକୁ ୨୦ରୁ ଅଧିକ ଆସନ ଲାଭ ହୋଇଛି। କିଛି ଦିନ ତଳେ ହରିଆଣାରେ ଆଞ୍ଚଳିକ ଦଳର ହାତ ଧରି ବିଜେପି କ୍ଷମତାକୁ ଆସିଥିବା ବେଳେ ମହରାଷ୍ଟ୍ରରେ ଶିବସେନା ହାତ ଛାଡିବା ପରେ ବହୁମତ ପାଇ ସୁଦ୍ଧା ସରକାର ଗଢି ପାରି ନଥିଲା। ଝାଡଖଣ୍ଡରେ ପଦ୍ମ ସଂପୂର୍ଣ୍ଣ ମଉଳି ଯାଇଛି।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.