ରୁଷକୁ ନେଇ ଭାରତର ଆଭିମୁଖ୍ୟ ଉପରେ ଅସନ୍ତୁଷ୍ଟ ବାଇଡେନ; କହିଲେ…ଆମର ସବୁ ମିତ୍ରଗୋଷ୍ଠୀ ଗୋଟିଏ ପଟେ, ଭାରତ ଆଉ ଗୋଟିଏ ପଟେ!

ୟୁକ୍ରେନ ଗତ ୨୭ ଦିନ ହେବ ରୁଷର ମିସାଇଲ ଆକ୍ରମଣ ଏବଂ ଗୁଳିଗୋଳାରେ ଜୁଝି ହେଉଛି। ଏ ଭିତରେ ଆମେରିକା ରାଷ୍ଟ୍ରପତି ଜୋ ବାଇଡେନ ରୁଷକୁ ନେଇ ଭାରତର ଆଭିମୁଖ୍ୟ ଉପରେ ଅସନ୍ତୋଷ ପ୍ରକାଶ କରିଛନ୍ତି। ବାଇଡେନ କହିଛନ୍ତି, ଭାରତ ଆମେରିକାର ପ୍ରମୁଖ ମିତ୍ରଗୋଷ୍ଠୀଙ୍କ ମଧ୍ୟରୁ ଏକ ବ୍ୟତିକ୍ରମ। ୟୁକ୍ରେନ ଉପରେ ଆକ୍ରମଣ କରିଥିବା ରୁଷକୁ ଦଣ୍ଡିତ କରିବା ପାଇଁ ପଶ୍ଚିମ ଦେଶଗୁଡ଼ିକ ପ୍ରତିବନ୍ଧକ ଲଗାଇଥିବା ବେଳେ ଭାରତ ଏହି ମାମଲାରେ କିଛି ମାତ୍ରାରେ ଅସ୍ଥିର ରହିଛି।

ଜୋ ବାଇଡେନ କହିଛନ୍ତି ଯେ କ୍ୱାଡ୍‌ରେ ଜାପାନ ଓ ଅଷ୍ଟ୍ରେଲିଆ ଭ୍ଲାଦିମିର୍‌ ପୁଟିନଙ୍କ ଆକ୍ରମଣକାରୀ ମନୋଭାବ ବିରୋଧରେ ଅତ୍ୟନ୍ତ କଠୋର ହୋଇଛନ୍ତି। କିନ୍ତୁ ଭାରତର ମନୋଭାବ ବିଚଳିତ ରହିଛି। ୟୁଏସ୍‌ ବିଜନେସ୍‌ ଲିଡର୍ସଙ୍କ ବୈଠକକୁ ସମ୍ବୋଧିତ କରି ବାଇଡେନ୍‌ ଏହା କହିଥିଲେ। ସେ ଆହୁରି କହିଥିଲେ ଯେ ଏହା ପୂର୍ବରୁ ନାଟୋ କେବେ ବି ଏତେ ଶକ୍ତିଶାଳୀ ଏବଂ ଏକଜୁଟ ନ ଥିଲା, ଯେତିକି ଆଜି ଅଛି।

ସୂଚନାଥାଉ କି, ୟୁକ୍ରେନ ଉପରେ ଆକ୍ରମଣ ପରଠାରୁ ରୁଷ ବିରୋଧରେ ଆମେରିକା ସମେତ ପଶ୍ଚିତ ଦେଶଗୁଡ଼ିକ କଡ଼ା ପଦକ୍ଷେପ ଉଠାଇ ଆର୍ଥିକ ପ୍ରତିବନ୍ଧକ ଲଗାଇଛନ୍ତି। ପ୍ରାୟ ସବୁ ବଡ଼ ବଡ଼ କମ୍ପାନୀ ରୁଷରେ ନିଜ ବ୍ୟବସାୟ ବନ୍ଦ କରି ଦେଇଛନ୍ତି। ୟୁଏନରେ ବି ଏହି ଦେଶଗୁଡ଼ିକ ରୁଷକୁ ଘେରିବାକୁ ଚେଷ୍ଟା କରିଥିଲେ ଏବଂ ଏହା ବିରୋଧରେ ଭୋଟ୍‌ ମଧ୍ୟ କରିଥିଲେ। ହେଲେ ଭାରତ ଏହି ମାମଲାରେ ନିରପେକ୍ଷତା ନୀତି ଆପଣାଇଛି, ଯାହାକି ବାଇଡେନଙ୍କୁ ପସନ୍ଦ ଆସିନି।

ରୁଷ ରାଷ୍ଟ୍ରପତି ପୁଟିନଙ୍କ ବିରୋଧରେ ଏକତା ଦେଖାଇବାକୁ ନେଇ ଜୋ ବାଇଡେନ ନାଟୋ ଦେଶ, ୟୁରୋପିୟନ ସଂଘ ଏବଂ ଆମେରିକୀୟ ସହଯୋଗୀଙ୍କୁ ପ୍ରଶଂସା କରିଛନ୍ତି। କିନ୍ତୁ ଯେଉଁଭଳି ଭାବେ କ୍ୱାଡ୍‌ ସଦସ୍ୟଙ୍କ ମଧ୍ୟରୁ ଭାରତ, ରୁଷ ସହିତ ତେଲ କିଣିବାକୁ ନିଷ୍ପତ୍ତି ନେଇଥିଲା ଏବଂ ୟୁଏନରେ ରୁଷ ବିରୋଧରେ ଭୋଟ କରିବାଠୁ ଦୂରେଇ ଥିଲା, ତାହାକୁ ନେଇ ବାଇଡେନ ଭାରତ ଉପରେ ଅସନ୍ତୁଷ୍ଟ ରହିଛନ୍ତି।

ପୂର୍ବରୁ ଆମେରିକା ରାଷ୍ଟ୍ରପତି ଜୋ ବାଇଡେନ ରୁଷ ରାଷ୍ଟ୍ରପତି ଭ୍ଲାଦିମିର ପୁଟିନଙ୍କୁ ‘ଓ୍ଵାର୍‌ କ୍ରିମିନାଲ୍‌’ କହିଥିଲେ। ବାଇଡେନଙ୍କ ଏହି ବୟାନରେ ରୁଷ କ୍ରୋଧିତ ହୋଇଛି, ଯେଉଁ କାରଣରୁ ଦୁଇ ଦେଶ ମଧ୍ୟରେ ତିକ୍ତତା ଲଗାତାର ବଢ଼ିବାରେ ଲାଗିଛି। ଏହି ମାମଲାରେ ରୁଷ, ଆମେରିକା ରାଷ୍ଟ୍ରଦୂତ ଜନ୍‌ ସୁଲିବନଙ୍କୁ ଡକାଇ ଏହାର ବିରୋଧ ମଧ୍ୟ କରିଛି। ରୁଷର ବୈଦେଶିକ ମନ୍ତ୍ରାଳୟ କହିଛି, ଆମେରିକା ରାଷ୍ଟ୍ରପତିଙ୍କର ଏଭଳି ବୟାନ ରୁଷ-ଆମେରିକା ସମ୍ପର୍କକୁ ଭାଙ୍ଗିବା ସ୍ଥିତିରେ ଆଣି ଛିଡ଼ା କରାଇ ଦେଇଛି।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.