ବିଗୁଡୁଛି ଯୋଶୀମଠର ସ୍ଥିତି: ଭଙ୍ଗାଯାଉଛି ଫାଟିଥିବା ଘର ଏବଂ ହୋଟେଲ, ବର୍ଷା ହେଲେ ଭୟଙ୍କର ପରିସ୍ଥିତି

ଦିନକୁ ଦିନ ବିଗିଡିବାରେ ଲାଗିଛି ଉତ୍ତରାଖଣ୍ଡ ସ୍ଥିତ ଯୋଶୀମଠର ଅବସ୍ଥା । ମାଟି ଧସିବା ଯୋଗୁ ଘର ଓ ରାସ୍ତାଘାଟ ଫାଟି ଆଁ କରି ସାରିଲାଣି। ଅନେକ ଘର ଭୁଶୁଡିଗଲାଣି। ଆଉ କ୍ଷତିଗ୍ରସ୍ତ ଘର ଏବଂ ହୋଟେଲ ଭାଙ୍ଗିବା କାମ ଆରମ୍ଭ ହୋଇଛି। ପ୍ରଶାସନ ଘୋଷଣା କରି ଲୋକମାନଙ୍କୁ ଦୂରେଇ ରହିବା ପାଇଁ କହିଛି । ଯୋଶୀମଠର ‘ସିଙ୍କିଂ’ ସହରରେ ଘର ଭଙ୍ଗା କାର୍ଯ୍ୟ ଆରମ୍ଭ ହୋଇଛି। ହୋଟେଲ ମଲାରୀ ଏବଂ ହୋଟେଲ ମାଉଣ୍ଟ ଭ୍ୟୁରେ ଫାଟ ଅଧିକ ବଢୁଥିବାରୁ ଏହାକୁ ଆଜି ଭଙ୍ଗାଯିବ ।  ଏଭଳି ସ୍ଥିତି ଏହି ସ୍ଥାନର ବିପଦ ଆହୁରି ବଢ଼ିବାରେ ଲାଗିଛି। ପ୍ରବଳ ଥଣ୍ଡା ଭିତରେ ଏଠାରେ ବର୍ଷା ଆଲର୍ଟ ଜାରି କରାଯାଇଛି।

ପାଣିପାଗ ବିଭାଗର ସୂଚନା ମୁତାବକ, ଆସନ୍ତା ୧୧ ଓ ୧୨ ଜାନୁଆରୀରେ ଏଠାରେ ବର୍ଷା ହେବା ଆଶଙ୍କା କରାଯାଉଛି। ଆଉ ଯଦି ପାଣିପାଗ ବିଭାଗର ଅନୁମତି ଠିକ୍‌ ହୁଏ, ତେବେ ଯୋଶୀମଠର ସ୍ଥିତି ଭୟଙ୍କର ହେବ ।

ଯୋଶୀମଠ ସହରର ଶ୍ରୀନଗର, ଗାନ୍ଧିନଗର, ମନୋହରବାଗ ଆଦି ଓ୍ଵାର୍ଡକୁ ଅସୁରକ୍ଷିତ ଘୋଷଣା କରାଯାଇଛି। ଏହି ଓ୍ଵାର୍ଡରେ ପ୍ରବେଶ ଉପରେ ନିଷେଧାଦେଶ ଲାଗିଛି। ଯୋଶୀମଠର ୬୦୦ରୁ ଅଧିକ ଘର ବିପଦରେ। ଘରର ବିଭିନ୍ନ ସ୍ଥାନରେ ବଡ଼ବଡ଼ ଫାଟ। ମାଟି ତଳୁ ପାଣି ବାହାରୁଛି । କେତେବେଳେ କିଛି ବି ଘଟିପାରେ । ରାସ୍ତା ଏବଂ ଅନ୍ୟାନ୍ୟ ଭିତ୍ତିଭୂମିରେ ମଧ୍ୟ ବଡ଼ବଡ଼ ଫାଟ।


ବିପଦରେ ଥିବା ୬୦୦ ଘରକୁ ଖାଲି କରାଯାଇଛି । ୪ ହଜାର ଲୋକଙ୍କୁ ସୁରକ୍ଷିତ ସ୍ଥାନକୁ ସ୍ଥାନାନ୍ତର କରାଯାଇଛି । ସ୍ଥାନାନ୍ତର ହୋଇଥିବା ପରିବାରକୁ ଆସନ୍ତା ୬ ମାସ ପାଇଁ ଜଣପିଛା ୪ ହଜାର ଟଙ୍କା ସହାୟତା ଦିଆଯିବ । ହିମାଳୟର ଏହି ସହରର ସୁରକ୍ଷା ଉଭୟ ରାଜ୍ୟ ଓ କେନ୍ଦ୍ର ସରକାରଙ୍କ ପାଇଁ ଚ୍ୟାଲେଞ୍ଜ ପାଲଟିଛି। ବିଶେଷଜ୍ଞଙ୍କ ସୁପାରିସ ଆଧାରରେ ଯୋଜନା ପ୍ରସ୍ତୁତ କରିବେ ସରକାର। ବିଶେଷଜ୍ଞ ଟିମ ଅନୁଧ୍ୟାନ କରୁଛନ୍ତି । ଏକ୍ସର୍ଟ କମିଟିର ରିପୋର୍ଟ ମୁତାବକ ଯୋଶୀମଠ ସହରର ୩୦ ପ୍ରତିଶତ ସ୍ଥାନ ପ୍ରଭାବିତ ହୋଇଛି।

ଗତକାଲି କିଛି ଅଞ୍ଚଳକୁ ନୋ ଏଣ୍ଟ୍ରି ଜୋନ୍ ଘୋଷଣା କରିବା ସହ NDRF ଓ SDRFକୁ ମୁତୟନ କରାଯାଇଛି । ଏ ଅଞ୍ଚଳରେ କୌଣସି ମୂହୁର୍ତ୍ତରେ ବି ବଡ଼ ଅଘଟଣ ଘଟିବାର ଆଶଙ୍କା ଲାଗି ରହିଥିବାରୁ ଅହରହ ସ୍ଥିତି ଉପରେ ନଜର ରଖିଛନ୍ତି ଏନଡିଆରଏଫ୍ ସମେତ ଏସଡିଆରଏଫର ୧୫ଟି ଟିମ୍।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.