ଦିଲ୍ଲୀବାସୀଙ୍କୁ ଜାରି ରହିବ ମାଗଣା ବିଦ୍ୟୁତ୍‌, କେଜ୍ରିଓ୍ଵାଲ ସରକାର ନେଲେ ବଡ଼ ନିଷ୍ପତ୍ତି

ଦିଲ୍ଲୀରେ ଗତ କିଛି ବର୍ଷ ଧରି ଲୋକଙ୍କୁ ୨୦୦ ୟୁନିଟ୍ ପର୍ଯ୍ୟନ୍ତ ବିଦ୍ୟୁତ୍ ମାଗଣାରେ ମିଳୁଛି । ଏବେ ଦିଲ୍ଲୀର ଅରବିନ୍ଦ କେଜ୍ରିୱାଲ ସରକାର ଏହି ଯୋଜନା ଜାରି ରଖିବାକୁ ନିଷ୍ପତ୍ତି ନେଇଛନ୍ତି ।

ଦିଲ୍ଲୀରେ ଗତ କିଛି ବର୍ଷ ଧରି ଲୋକଙ୍କୁ ୨୦୦ ୟୁନିଟ୍ ପର୍ଯ୍ୟନ୍ତ ବିଦ୍ୟୁତ୍ ମାଗଣାରେ ମିଳୁଛି । ଏବେ ଦିଲ୍ଲୀର ଅରବିନ୍ଦ କେଜ୍ରିୱାଲ ସରକାର ଏହି ଯୋଜନା ଜାରି ରଖିବାକୁ ନିଷ୍ପତ୍ତି ନେଇଛନ୍ତି । ଆଜି ଦିଲ୍ଲୀ ସରକାରଙ୍କର ଏ ନେଇ କ୍ୟାବିନେଟ ବୈଠକ ବସିଥିଲା । ଏଥିରେ ନିଆଯାଇଥିବା ନିଷ୍ପତ୍ତି ଅନୁସାରେ, ବିଦ୍ୟୁତ୍ ଉପରେ ମିଳୁଥିବା ସବସିଡି ଜାରି ରହିବ । ଏଥି ସହିତ ୪୦୦ ୟୁନିଟ୍ ବିଦ୍ୟୁତ୍ ବ୍ୟବହାର ପାଇଁ ଗ୍ରାହକଙ୍କୁ କେବଳ ଅଧା ବିଲ୍ ଦେବାକୁ ପଡିବ ।

ଏ ସମ୍ପର୍କରେ ସୂଚନା ଦେଇ ମନ୍ତ୍ରୀ ଅତଶୀ କହିଛନ୍ତି ଯେ ଆମେ ଜନତାଙ୍କ ହିତକୁ ଧ୍ୟାନରେ ରଖି ୨୦୦ ୟୁନିଟ୍‌ ପର୍ଯ୍ୟନ୍ତ ବିଦ୍ୟୁତ୍‌ ବିଲ୍‌ ଜିରୋ ଏବଂ ୪୦୦ ୟୁନିଟ୍‌ ପର୍ଯ୍ୟନ୍ତ ଅଧା ବିଲ୍‌ ଯୋଜନାକୁ ୨୦୨୪-୨୫ ଆର୍ଥିକ ବର୍ଷରେ ମଧ୍ୟ ଜାରି ରଖିବାକୁ ନିଷ୍ପତ୍ତି ନେଇଛୁ ।

ସେପଟେ ସରକାରଙ୍କ ଏହି ନିଷ୍ପତ୍ତି ପରେ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲ ‘ଏକ୍ସ’ରେ ଲେଖିଛନ୍ତି, ‘ଦିଲ୍ଲୀବାସୀଙ୍କୁ ମୁଁ ବହୁତ ଅଭିନନ୍ଦନ ଜଣାଉଛି । ଆପଣଙ୍କର ୨୪ ଘଣ୍ଟା ବିଦ୍ୟୁତ (ଜିରୋ ପାଓ୍ଵାର କଟ୍‌) ଏବଂ ମାଗଣା ବିଦ୍ୟୁତ ୨୦୨୫ ମାର୍ଚ୍ଚ ୩୧ ପର୍ଯ୍ୟନ୍ତ ବୃଦ୍ଧି କରାଯାଇଛି । ଏଥିରେ ଓକିଲମାନଙ୍କ ଚାମ୍ବରରେ ମଧ୍ୟ ମାଗଣା ବିଦ୍ୟୁତ ଅନ୍ତର୍ଭୁକ୍ତ ରହିଛି’ ।

ମୁଖ୍ୟମନ୍ତ୍ରୀ କହିଛନ୍ତି, ‘ଆପଣଙ୍କ ଅବଗତି ପାଇଁ ଜଣାଇ ଦେଉଛି ଯେ କେବଳ ଦିଲ୍ଲୀ ଏବଂ ପଞ୍ଜାବରେ ୨୪ ଘଣ୍ଟା ବିଦ୍ୟୁତ୍ ଓ ମାଗଣା ବିଦ୍ୟୁତ୍ ମିଳୁଛି । ବାକି ସମଗ୍ର ଦେଶରେ ଦୀର୍ଘ ପାଓ୍ଵାର କଟ୍‌ ହେଉଛି ଏବଂ ହଜାର ହଜାର ଟଙ୍କାର ବିଦ୍ୟୁତ୍ ବିଲ୍ ଦେବାକୁ ପଡ଼ୁଛି’ ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.