ଓଠକୁ ଚୁମ୍ବନ ଦେବା ଯୌନ ଅପରାଧ ନୁହେଁ, ଏଭଳି କହି ଅଭିଯୁକ୍ତକୁ ଜାମିନ ଦେଲେ ବମ୍ବେ ହାଇକୋର୍ଟ

ନୂଆଦିଲ୍ଲୀ : ବମ୍ବେ ହାଇକୋର୍ଟ କହିଛନ୍ତି ଯେ ଭାରତୀୟ ପେନାଲ କୋଡ (ଆଇପିସି) ର ଧାରା ୩୭୭ ଅନୁଯାୟୀ ଓଠରେ ଚୁମ୍ବନ ଦେବା ଏବଂ ଶରୀରର ଅଙ୍ଗକୁ ଭଲ ପାଇବା ଏକ ଅପ୍ରାକୃତିକ ଅପରାଧ ନୁହେଁ। ଏପରି କହି ଜଣେ ୧୪ ବର୍ଷର ବାଳକର ଯୌନ ନିର୍ୟାତନା ମାମଲାର ଶୁଣାଣି ସମୟରେ କୋର୍ଟ ଏହି ରାୟ ଦେଇଛନ୍ତି । ଜଷ୍ଟିସ ଅନୁଜା ପ୍ରଭୁଦେସାଇଙ୍କ ଏଭଳି ରାୟ ଏବେ ଚର୍ଚ୍ଚାର ରହିଛି।

ସୂଚନା ମୁତାବକ, ନାବାଳକର ବାପା ନିଜ ଆଲମାରିରୁ କିଛି ଟଙ୍କା ହଜିଯାଇଥିବାର ଦେଖିଥିଲେ। ଏନେଇ ସେ ନାବାଳକକୁ ପଚାରିବାରୁ ଗେମ୍ ଖେଳିବା ପାଇଁ ଆଲମାରିରୁ ଟଙ୍କା ନେଇ ସେ ଅଭିଯୁକ୍ତକୁ ଦେଇଥିବା କହିଥିଲେ। ଏହା ସହ ଟଙ୍କା ଦେବା ସମୟରେ ଅଭିଯୁକ୍ତ ଓଠକୁ ଚୁମ୍ବନ ଦେବା ସହ ଗୁପ୍ତାଙ୍ଗକୁ ଛୁଇଁଥିବା କଥା ନାବାଳକ ନିଜ ବାପାଙ୍କୁ ଜଣାଇଥିଲେ। ଏବିଷୟରେ ଜାଣିବା ପ‌ରେ ନାବାଳକର ବାପା ପୁଲିସରେ ପୋସ୍କୋ ଅଧିନିୟମ ଅନୁଯାୟୀ ଓ ଧାରା ୩୭୭ ଅନୁଯାୟୀ ଏତଲା ରୁଜୁ କରିଥିଲେ। ଧାରା ୩୭୭ ଶାରୀରିକ ସମ୍ପର୍କ କିମ୍ବା ଅନ୍ୟ କୌଣସି ଅପ୍ରାକୃତିକ କାର୍ଯ୍ୟକୁ ଏକ ଦଣ୍ଡନୀୟ ଅପରାଧ କରିଥାଏ।

କୋର୍ଟ ଆହୁରି ମଧ୍ୟ ଦର୍ଶାଇଛନ୍ତି କି ପୋକ୍‌ସୋ ଧାରା ୮ ଓ ୧୨ ଅନୁଯାୟୀ ଏଭଳି ମାମଲାରେ ଅପରାଧୀକୁ ସର୍ବାଧିକ ୫ ବର୍ଷର ଦଣ୍ଡବିଧାନର ପ୍ରାବଧାନ ରହିଛି । ତେବେ ବ୍ୟକ୍ତି ଜଣକ ଗତ ୧ବର୍ଷ ହେବ ଜେଲ୍‌ରେ ବନ୍ଦୀ ଅଛନ୍ତି । ଏ ପର୍ଯ୍ୟନ୍ତ ତାଙ୍କ ବିରୋଧରେ ହୋଇଥିବା ଅଭିଯୋଗ ପ୍ରମାଣ ହୋଇନାହିଁ ଓ ନିକଟରେ ଏହି ମୋକଦ୍ଦମା ଆରମ୍ଭ ହେବାର କୌଣସି ସମ୍ଭାବନା ବି ନାହିଁ ।

ଏପରି ସ୍ଥଳେ ବ୍ୟକ୍ତିଜଣକୁ ଜାମିନ୍‌ ମିଳିବା ଉଚିତ୍‌ ଦର୍ଶାଇ କୋର୍ଟ ତାଙ୍କୁ ଜାମିନ୍‌ ମଞ୍ଜୁର କରିଛନ୍ତି । ବ୍ୟକ୍ତି ଜଣଙ୍କୁ ୩୦ହଜାର ଟଙ୍କାର ବ୍ୟକ୍ତିଗତ ମୁଚାଲିକାରେ ଜାମିନ୍‌ ଦେବା ସହ ପ୍ରତି ୨ ମାସରେ ଥରେ ପୋଲିସ ଥାନାରେ ରିପୋର୍ଟ କରିବାକୁ ଆଦେଶ ଦେଇଛନ୍ତି । ଏଥି ସହ ସେ କୌଣସି ବ୍ୟକ୍ତି ଉପରେ ଚାପ ନପକାଇବା, ମୋକଦ୍ଦମାରେ ସହଯୋଗ କରିବା ଓ ସବୁ କେସ୍‌ ତାରିଖରେ ଟ୍ରାଏଲ୍‌ କୋର୍ଟରେ ହାଜର ହେବାକୁ କୋର୍ଟ ସର୍ତ୍ତ ରଖିଛନ୍ତି ।

 

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.