Below header

ଇସ୍ରୋର ସ୍ୱର୍ଣ୍ଣିମ ସଫଳତା: ଜାଣିଛନ୍ତି ଏହି ମିଶନ ପାଇଁ କେମିତି ସବୁ ବ୍ୟବସ୍ଥା ହୋଇଥିଲା? ନଜର ପକାନ୍ତୁ

ସହଜରେ ମିଳେନାହିଁ ଏହି ସ୍ବର୍ଣ୍ଣିମ ସଫଳତା, ଶହ ଶହ ବୈଜ୍ଞାନିକଙ୍କର ବର୍ଷତମାମ ପରିଶ୍ରମର ଫଳ ହେଉଛି ଚନ୍ଦ୍ରଯାନ-୩

କେନ୍ୟୁଜ୍(ବ୍ୟୁରୋ):  ଜହ୍ନରେ ନାଁ ଲେଖିଲା ଭାରତ । ମହାକାଶ ଗବେଷଣାରେ ଇସ୍ରୋର ସ୍ବର୍ଣ୍ଣିମ ସଫଳତା । ଚନ୍ଦ୍ରପୃଷ୍ଠରେ ଅବତରଣ କଲା ଚନ୍ଦ୍ରଯାନ । ଇଏ ହେଉଛି ସେହି ଐତିହାସିକ ମୁହୂର୍ତ୍ତ । ଯେଉଁ ସମୟକୁ ସାରା ଦେଶ ଓ ବିଶ୍ବ ଅପେକ୍ଷା କରିଥିଲା । ସମୟ- ୫ଟା ୪୪ । ଚନ୍ଦ୍ରପୃଷ୍ଠକୁ ଅନ୍ତିମ ଯାତ୍ରା ଆରମ୍ଭ କରିଥିଲା ବିକ୍ରମ ଲ୍ୟାଣ୍ଡର । ପ୍ରଥମ ପର୍ଯ୍ୟାୟରେ ୩୦ କିଲୋମିଟର ଉଚ୍ଚତାରୁ ତଳକୁ ଖସିଥିଲା । ସେତେବେଳେ ବିକ୍ରମର ବେଗ ସେକେଣ୍ଡ ପିଛା ଥିଲା ୧.୬ କିଲୋମିଟର ।

୭.୪ କିଲୋମିଟକୁ ଖସିଥିଲା ବିକ୍ରମ ଲ୍ୟାଣ୍ଡର । ଅବତରଣ ସହ ଧୀରେ ଧୀରେ ହ୍ରାସ ହେଉଥିଲା ବେଗ । ଅବତରଣର ଦ୍ବିତୀୟ ପର୍ଯ୍ୟାୟରେ ସମାନ୍ତରାଳ ସ୍ଥିତିରେ ଥିବା ବିକ୍ରମ ନେଇଥିଲା ୫୦ ଡିଗ୍ରୀ ମୋଡ଼ । ସେତେବେଳେ ଚନ୍ଦ୍ରପୃଷ୍ଠରୁ ଦୂରତା ୬.୮ କି.ମିକୁ କମିଥିଲା । ୮୦୦ ମିଟର ଉଚ୍ଚତାରୁ ଆରମ୍ଭ ହୋଇଥିଲା ଫାଇନାଲ ବ୍ରେକିଂ ଫେଜ୍ । ୧୫୦ ମିଟରକୁ ଖସିଥିଲା ଚନ୍ଦ୍ରଯାନ । ସେଠାରୁ ଅବତରଣ ସ୍ଥାନର ଅନୁଧ୍ୟାନ କରିଥିଲା । ଏହାପରେ ଦକ୍ଷିଣ ମେରୁକୁ ସ୍ପର୍ଶ କରିଥିଲା ସ୍ପେସକ୍ରାଫ୍ଟ । ହେଲେ ଏହି ଲ୍ୟାଣ୍ଡିଂ ପାଇଁ  କେମିତି କଣ ଥିଲା କାର୍ଯ୍ୟକ୍ରମ ଟିକିଏ ସଂକ୍ଷେପରେ ନଜର ପକାନ୍ତୁ ।

ଲ୍ୟାଣ୍ଡିଂ ପାଇଁ ଆଜି କାହିଁକି ଦିନ ଧାର୍ଯ୍ୟ କରାଯାଏ ?

ଚନ୍ଦ୍ରରେ ଗୋଟିଏ ଦିନ ପୃଥିବୀରେ ୧୪ ଦିନ ସହ ସମାନ । ଚନ୍ଦ୍ରର କକ୍ଷପଥରେ ଚନ୍ଦ୍ରଯାନ ପହଞ୍ଚିବା ପରେ ସେଠାରେ ରାତି ଥିଲା । ଆଜିଠାରୁ ସେଠାରେ ଦିନ ହେବ । ସୂର୍ଯ୍ୟ କିରଣ ପଡ଼ିବ । ମୁନ୍ ମିଶନ ସଫଳ କରିବା ପାଇଁ ସୂର୍ଯ୍ୟ କିରଣ ଆବଶ୍ୟକ । ଆଜିଠାରୁ ସେପ୍ଟେମ୍ବର ୫ ତାରିଖ ଯାଏ ଦକ୍ଷିଣ ମେରୁରେ ସୂର୍ଯ୍ୟକିରଣ ପଡ଼ିବ । ଫଳରେ ଚାର୍ଜ ହେବ ଚନ୍ଦ୍ରଯାନର ରୋଭର। ମିଶନ ସଫଳ କରିବା ଦିଗରେ ଶକ୍ତି ମିଳିବ ।

ଚନ୍ଦ୍ରର ଦକ୍ଷିଣ ମେରୁରେ କାହିଁକି ଲ୍ୟାଣ୍ଡିଂ ?

ଚନ୍ଦ୍ରର ଦକ୍ଷିଣ ମେରୁରେ ଏମିତି କିଛି ଅଞ୍ଚଳ ଅଛି ଯେଉଁଠି କୋଟି କୋଟି ବର୍ଷ ହେବ ସୂର୍ଯ୍ୟକିରଣ ପଡ଼ିନି । ସେଠାରେ ତାପମାତ୍ରା ମାଇନସ୍ ୨୪୮ ଡିଗ୍ରୀ ସେଲସିୟସ୍ ଯାଏ ଖସିଯାଏ । ବରଫ ଆକାରରେ ସେଠାରେ ପାଣି ମହଜୁଦ ଥିବା ବୈଜ୍ଞାନିକ ଅନୁମାନ କରୁଛନ୍ତି । ୨୦୦୮ରେ ଚନ୍ଦ୍ରରେ ପାଣିର ସଙ୍କେତ ଦେଇଥିଲା ଚନ୍ଦ୍ରଯାନ-୧ ।

କେତେ ସ୍ପିଡରେ ଲ୍ୟାଣ୍ଡ କରିବ ଚନ୍ଦ୍ରଯାନ ?

୩୦ କିଲୋମିଟର ଉଚ୍ଚତାରୁ ଆରମ୍ଭ ହେବ ଅବତରଣ ପ୍ରକ୍ରିୟା । ପ୍ରତି ସେକେଣ୍ଡରେ ୧.୬୮ କିଲୋମିଟର ବେଗରେ ଚନ୍ଦ୍ରପୃଷ୍ଠ ଅଭିମୁଖେ ବଢ଼ିବ ସ୍ପେସକ୍ରାଫ୍ଟ । ପ୍ରଥମେ ୩୦ କିଲୋମିଟରରୁ ୭.୫ କିଲୋମିଟର ଓ ପରେ ୬.୮ କିଲୋମିଟର ଯାଏ ଖସିବ ଲ୍ୟାଣ୍ଡର । ସେତେବେଳକୁ ଗତି ପ୍ରତି ସେକେଣ୍ଡରେ ୩୫୦ ମିଟର ହୋଇଯିବ । ଚନ୍ଦ୍ରପୃଷ୍ଠର ୮୦୦ ମିଟରକୁ ଖସିବା ବେଳେ ଚନ୍ଦ୍ରଯାନର ବେଗ ସେକେଣ୍ଡ ପିଛା ଶୂନ ହୋଇଯିବ ।

କେମିତି ଚିହ୍ନଟ ହେବ ଲ୍ୟାଣ୍ଡିଂ ସ୍ଥାନ ? 

ଚନ୍ଦ୍ରଯାନରେ ଲାଗିଥିବା ସେନସର କ୍ୟାମେରା ଇନପୁଟ୍ ଓ ରେଫରେନ୍ସ ଫଟୋକୁ ମେଳ କରାଯିବ । ଫଟୋକୁ ମେଳ କରି ଦେଖାଯିବ ଯେ, ଲ୍ୟାଣ୍ଡର ଘୂରୁଥିବା ଅଞ୍ଚଳ ତଳେ ଅବତରଣ ପାଇଁ ପ୍ରକୃଷ୍ଟ ସ୍ଥାନ ଅଛି କି ନାହିଁ । ଅନୁକୂଳ ସ୍ଥାନ ନଥିଲେ ପାଖାପାଖି ୬୦ ମିଟର ଏପାଖ ସେପାଖ ହେବ ଲ୍ୟାଣ୍ଡର । ତାପରେ ଚନ୍ଦ୍ରପୃଷ୍ଠରେ ଉପଯୁକ୍ତ ସ୍ଥାନ ଦେଖି ଅବତରଣ କରିବ । … ଉପଯୁକ୍ତ ଲ୍ୟାଣ୍ଡିଂ ସ୍ଥାନ ନପାଇଲେ କଣ ହେବ ? ଚନ୍ଦ୍ରଯାନରେ ବିକଳ୍ପ ଭାବରେ ଏମର୍ଜେନ୍ସୀ ମୋଡ୍ ରଖାଯାଇଛି । ଯାହା ଅଟୋମେଟିକ ଲ୍ୟାଣ୍ଡିଂ କରାଇପାରିବ । ବିକ୍ରମ ଲ୍ୟାଣ୍ଡର ନିଜେ ନିର୍ଦ୍ଧାରଣ କରିବ ଅବତରଣ ପାଇଁ କେଉଁଟା ଉପଯୁକ୍ତ ସ୍ଥାନ ।

କେତେ ପରିଧି ଭିତରେ ଅବତରଣ କରିବ ଲ୍ୟାଣ୍ଡର ?

ଦକ୍ଷିଣ ମେରୁରେ ସମତଳ ଅଞ୍ଚଳ ନାହିଁ । ଆବଡାଖାବଡ଼ା ଓ ଗଭୀର ଗାତ ଅଛି । ଏଥିପାଇଁ ଇସ୍ରୋ ୪/୨.୪ କିଲୋମିଟର ଅଞ୍ଚଳକୁ ଚିହ୍ନଟ କରାଯାଇଛି । ଯାହାକୁ ଲ୍ୟାଣ୍ଡିଂ ସାଇଟ୍ କୁହାଯାଉଛି । ଏହାକୁ ଅଲଗା ଅଲଗା ୨୪ ମିଟରରେ ଭାଗ କରାଯାଇଛି । ସେଥିରୁ କୌଣସି ଗୋଟିଏ ସ୍ଥାନରେ ଅବତରଣ କରିବ ଲ୍ୟାଣ୍ଡର ।

ମୁନ ମିଶରେ କେତେ ଖର୍ଚ୍ଚ ହୋଇଛି?

ଚନ୍ଦ୍ରଯାନ-୩ରେ ଖର୍ଚ୍ଚ ହୋଇଛି ୬୧୫ କୋଟି ଟଙ୍କା । ଚନ୍ଦ୍ରଯାନ-୨ର ବଜେଟ୍ ଆକାର ଥିଲା ୯୭୮ କୋଟି ଟଙ୍କା । ଏଥିରୁ ୬୦୩ କୋଟି ଅର୍ବିଟର, ଲ୍ୟାଣ୍ଡର, ରୋଭର ନିର୍ମାଣରେ ଖର୍ଚ୍ଚ ହୋଇଥିଲା ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.