କମେଡି ଶୋ’ରୁ ପଞ୍ଜାବର ମୁଖ୍ୟମନ୍ତ୍ରୀ ପଦ ପର୍ଯ୍ୟନ୍ତ…ଏମିତି ରହିଛି ଭଗବନ୍ତ ମାନଙ୍କ ଯାତ୍ରା

ପଞ୍ଜାବରେ ଏଥର ଭଗବନ୍ତ ମାନଙ୍କ ମୁଣ୍ଡରେ ହାତୀ ସୁନା କଳସ ଢାଳିଛି। ସେ ମୁଖ୍ୟମନ୍ତ୍ରୀ ପଦର ମୁକୁଟ ପିନ୍ଧିବାକୁ ଯାଉଛନ୍ତି। ରାଜ୍ୟରେ ଆମ୍‌ ଆଦ୍‌ମୀ ପାର୍ଟିକୁ ସ୍ପଷ୍ଟ ବହୁମତ ମିଳିଛି। ଭଗବନ୍ତ ମାନ ନିଜ ଧୁରି ବିଧାନସଭା ଆସନରୁ ବିଜୟ ହାସଲ କରିଛନ୍ତି ଏବଂ ନିକଟତମ ପ୍ରତିଦ୍ୱନ୍ଦ୍ୱୀ କଂଗ୍ରେସର ଦଲବୀର ସିଂ ଗୋଲ୍ଡିଙ୍କୁ ପରାସ୍ତ କରିଛନ୍ତି। ଫଳାଫଳ ଦିନ ସକାଳେ ଭଗବନ୍ତ ମାନ ପ୍ରଥମେ ଗୁରୁଦ୍ୱାର ପହଞ୍ଚି ପ୍ରାର୍ଥନା କରିଥିଲେ। ସେପଟେ ପଞ୍ଜାବରେ କଂଗ୍ରେସର ସିଏମ୍‌ ପ୍ରାର୍ଥୀ ଚରଣଜିତ୍‌ ସିଂ ଚନ୍ନି ମଧ୍ୟ ସକାଳେ ଗୁରୁଦ୍ୱାର ଯାଇଥିଲେ।

ସମସ୍ତ ଏଗ୍‌ଜିଟ୍‌ ପୋଲରେ କୁହାଯାଇଥିଲା କି, ଏଥର ପଞ୍ଜାବରେ ଆମ୍‌ ଆଦ୍‌ମୀ ପାର୍ଟି ସରକାର ଗଠନ କରିପାରେ। ଆପ୍‌ ଭଗବନ୍ତ ମାନଙ୍କୁ ନିଜର ମୁଖ୍ୟମନ୍ତ୍ରୀ ପ୍ରାର୍ଥୀ ରୂପେ ଛିଡ଼ା କରାଇଥିଲା। ସେ ପ୍ରଥମରୁ ହିଁ ଆଗରେ ରହିଥିଲେ। ମାନ ବର୍ତ୍ତମାନ ଆମ୍‌ ଆଦ୍‌ମୀ ପାର୍ଟିର ସାଂସଦ ଅଛନ୍ତି। ସେ ଦ୍ୱିତୀୟ ଥର ଲୋକସଭାରେ ପହଞ୍ଚିଛନ୍ତି। ମାନ ସଙ୍ଗରୁର୍‌ ଆସନରୁ ସାଂସଦ ରହିଛନ୍ତି। ଧୁରି ବିଧାନସଭା ଆସନ ଏହି ନିର୍ବାଚନ ମଣ୍ଡଳୀରେ ଆସିଥାଏ।

ପଞ୍ଜାବର ଧୁରି ବିଧାନସଭା ଆସନରୁ ଆମ୍‌ ଆଦମୀ ପାର୍ଟିର ମୁଖ୍ୟମନ୍ତ୍ରୀ ପ୍ରାର୍ଥୀ ଭଗବନ୍ତ ମାନ ୫୦,୦୦୦ରୁ ଅଧିକ ଭୋଟ୍‌ରେ ବିଜୟ ହାସଲ କରିଛନ୍ତି। ମାନଙ୍କ ଜନ୍ମ ୧୯୭୩ ଅକ୍ଟୋବର ୧୭ରେ ପଞ୍ଜାବର ସଙ୍ଗରୁର୍‌ ଜିଲା ସତୋଜ ଗାଁରେ ହୋଇଥିଲା। ସେ ସଙ୍ଗରୁର୍‌ସ୍ଥିତ ଏସ୍‌ୟୁଏସ୍‌ କଲେଜରୁ ବିକମ୍‌ କରିଥିଲେ। କିନ୍ତୁ ବିକମ୍‌ ପରେ ସେ ଚାକିରି କି ବିଜନେସ୍‌ଠାରୁ ଦୂରେଇ ରହି ଅଲଗା କିଛି କରିବାକୁ ଇଚ୍ଛା କରିଥିଲେ। ଭଗବନ୍ତ କମେଡିଠୁ ନେଇ ରାଜନୀତି ପର୍ଯ୍ୟନ୍ତ ସବୁ ଜାଗାରେ ନିଜର ସ୍ୱତନ୍ତ୍ର ପରିଚୟ ସୃଷ୍ଟି କରିଛନ୍ତି।

ତେବେ ପ୍ରଥମରୁ ହିଁ ଭଗବନ୍ତ ଆମ୍‌ ଆଦମୀ ପାର୍ଟିରେ ନ ଥିଲେ, ବରଂ ସେ ନିଜ ରାଜନୀତି କ୍ୟାରିୟର ମନପ୍ରୀତ୍‌ ସିଂ ବାଦଲଙ୍କ ପାର୍ଟି ପଞ୍ଜାବ ପିପୁଲ୍ସ ପାର୍ଟିରୁ ଆରମ୍ଭ କରିଥିଲେ। ଏଥର ନିର୍ବାଚନରେ ସେ କଂଗ୍ରେସର ଦଲବୀର ସିଂଙ୍କୁ କଡ଼ା ଟକ୍କର ଦେଉଥିଲେ। କହି ରଖୁଛୁ, ଭଗବନ୍ତ ମାନଙ୍କ ବିବାହ ଇନ୍ଦ୍ରପ୍ରୀତ କୌରଙ୍କ ସହ ହୋଇଥିଲା। ଯଦିଓ ୨୦୧୫ରେ ଦୁହେଁ ଅଲଗା ହୋଇ ଯାଇଥିଲେ। ସେମାନଙ୍କର ଦୁଇ ସନ୍ତାନ ଅଛନ୍ତି।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.