ପଶ୍ଚିମବଙ୍ଗ ନିର୍ବାଚନ: ରଣଭୂମିରେ ମିଠାପଣ ଭରୁଛି ‘ମୋଦି ଓ ମମତା ମିଠେଇ’

ପଶ୍ଚିମବଙ୍ଗରେ ଜୋର୍‌ଦାର ହେଉଛି ନିର୍ବାଚନୀ ପ୍ରଚାର ଅଭିଯାନ। ଏହାରି ଭିତରେ ରାଜନୈତିକ ଦଳଗୁଡ଼ିକ ପରସ୍ପର ମଧ୍ୟରେ କଡ଼ା ଟକ୍କର ଜାରି ରଖିଛନ୍ତି। ଏଭଳି ସ୍ଥିତିରେ ମିଠା ଦୋକାନଗୁଡ଼ିକ ରାଜନୈତିକ ତିକ୍ତତାକୁ କମ୍‌ କରିବା ପାଇଁ ପ୍ରୟାସ କରୁଛନ୍ତି। ଏଠାରେ ମମତା ବାନାର୍ଜୀ ଓ ନରେନ୍ଦ୍ର ମୋଦିଙ୍କ ନାଁରେ ପ୍ରସ୍ତୁତ ମିଠାର ଢେର୍‌ ଲୋକପ୍ରିୟତା ଦେଖିବାକୁ ମିଳୁଛି।

କୋଲକାତାରେ ୧୮୮୫ରେ ବାଲାରାମ ମଲ୍ଲିକ ଓ ରାଧାରମଣ ମଲ୍ଲିକଙ୍କ ଦ୍ୱାରା ଆରମ୍ଭ ହୋଇଥିବା ମିଠା ବ୍ୟବସାୟକୁ ଏବେ ସୁଦୀପ ମଲ୍ଲିକ ସମ୍ଭାଳୁଛନ୍ତି। ବିଧାନସଭା ନିର୍ବାଚନ ପୂର୍ବରୁ ଏଠାକାର ସ୍ପେଶାଲ ମିଠାକୁ ନେଇ ପୂରା ପଶ୍ଚିମବଙ୍ଗରେ ଚର୍ଚ୍ଚା ହେଉଛି।

ଦୋକାନ ମାଲିକ ସୁଦୀପ ମଲ୍ଲିକ କୁହନ୍ତି, ସୋସିଆଲ ମିଡିଆରେ କ’ଣ ଚାଲୁଛି, ତାହାକୁ ଦେଖି ଆମେ ମିଠା ପ୍ରସ୍ତୁତ କରିଥାଉ। ଏହି ସମୟରେ ପଶ୍ଚିମବଙ୍ଗ ନିର୍ବାଚନଠୁ ବଡ଼ ପ୍ରସଙ୍ଗ ଆଉ କିଛି ନାହିଁ। ଏଥିପାଇଁ ଆମେ ରାଜନୈତିକ ଦଳଗୁଡ଼ିକର ଚିହ୍ନ ଥିବା ମିଠା ବେଶି ମାତ୍ରାରେ ପ୍ରସ୍ତୁତ କରୁଛୁ। ଲୋକଙ୍କୁ ଖେଲା ହୋବେ ଓ ଜୟ ଶ୍ରୀ ରାମ ନାରେ ସନ୍ଦେଶ(ବଙ୍ଗାଳି ମିଠା) ଖୁବ୍‌ ପସନ୍ଦ ଆସୁଛି।

ସେ କହିଛନ୍ତି କି, ବର୍ତ୍ତମାନ ସମୟରେ ଆମେ ରାଜ୍ୟର ଶାସକ ଦଳ ତୃଣମୂଳ କଂଗ୍ରେସ ସୁପ୍ରିମୋ ତଥା ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ ଏବଂ ଭାଜପାର ସବୁଠାରୁ ବଡ଼ ପ୍ରଚାରକ ତଥା ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଚିତ୍ର ଥିବା ସନ୍ଦେଶ ପ୍ରସ୍ତୁତ କରୁଛୁ। ଏହାକୁ ‘ଦିଦି ସନ୍ଦେଶ ଏବଂ ମୋଦି ସନ୍ଦେଶ’ ନାଁ ଦିଆଯାଇଛି, ଯାହାକୁ ନେଇ ସାଧାରଣ ଲୋକ ଏବଂ ଦଳୀୟ ସମର୍ଥକଙ୍କ ମଧ୍ୟରେ ଖୁବ୍‌ ଚର୍ଚ୍ଚା ହେଉଛି।