ନନ୍ଦୀଗ୍ରାମ ଲଢ଼େଇ: ୧୧ ମାର୍ଚ୍ଚରେ ନାମାଙ୍କନ କରିବେ ମମତା ବାନାର୍ଜୀ, ୧୨ରେ ଶୁଭେନ୍ଦୁ ଦେଖାଇବେ ଦମ୍‌

ବିଧାନସଭା ନିର୍ବାଚନକୁ ଆଖି ଆଗରେ ରଖି ତୃଣମୂଳ କଂଗ୍ରେସ ୨୯୧ ଜଣ ପ୍ରାର୍ଥୀଙ୍କ ନାଁ ଘୋଷଣା କରି ନିଜର ସମସ୍ତ କାର୍ଡ ଖୋଲିଦେଇଛି। ସେପଟେ ଭାଜପା ଏ ପର୍ଯ୍ୟନ୍ତ ମାତ୍ର ୫୭ ଜଣ ପ୍ରାର୍ଥୀଙ୍କ ନାଁ ଘୋଷଣା କରିଛି। ଏହାରି ଭିତରେ ରାଜ୍ୟର ନନ୍ଦୀଗ୍ରାମ ବିଧାନସଭା ଆସନ ସବୁଠୁ ଅଧିକ ହଟ୍‌ ସିଟ୍‌ ହୋଇଯାଇଛି। ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ ଏଥର ନନ୍ଦୀଗ୍ରାମ ଆସନରୁ ଲଢ଼ିବେ ଏବଂ ଭାଜପା ତାଙ୍କ ପ୍ରତିଦ୍ୱନ୍ଦ୍ୱୀ ଭାବେ ଶୁଭେନ୍ଦୁ ଅଧିକାରୀଙ୍କୁ ମଇଦାନକୁ ଓହ୍ଲାଉଛି। ରାଜନୀତିର ଏହି ଦୁଇ ଧୁରନ୍ଧର ଜଣେ ଜଣଙ୍କୁ ମାତ୍‌ ଦେବାକୁ ଦାବି କରୁଛନ୍ତି।

୧୧ ମାର୍ଚ୍ଚରେ ନାମାଙ୍କନ କରିବେ ମମତା

ନନ୍ଦୀଗ୍ରାମରୁ ନିର୍ବାଚନ ଲଢ଼ିବା ପାଇଁ ମମତା ବାନାର୍ଜୀ ୧୧ ମାର୍ଚ୍ଚରେ ନାମାଙ୍କନ ଦାଖଲ କରିବେ। ତେବେ ଏ ନେଇ ପୂର୍ବରୁ ମମତା ଘୋଷଣା କରିଥିଲେ କି, ୧୦ ମାର୍ଚ୍ଚରେ ସେ ନନ୍ଦୀଗ୍ରାମ ଯିବେ ଏବଂ ୧୧ ମାର୍ଚ୍ଚରେ ନାମାଙ୍କନ ଭରିବେ। କୁହାଯାଉଛି, ତୃଣମୂଳ କଂଗ୍ରେସ ଖୁବ୍‌ଶୀଘ୍ର ନିଜ ଘୋଷଣା ପତ୍ର ବି ଜାରି କରିପାରେ।

୧୨ ମାର୍ଚ୍ଚରେ ଶୁଭେନ୍ଦୁଙ୍କ ନାମାଙ୍କନ

ମମତା ବାନାର୍ଜୀଙ୍କ ଗୋଟିଏ ଦିନ ପରେ ଭାଜପା ପ୍ରାର୍ଥୀ ଶୁଭେନ୍ଦୁ ଅଧିକାରୀ ନିଜ ନାମାଙ୍କନ ଦାଖଲ କରିପାରନ୍ତି। ଗୋଟିଏ ସମୟରେ ଶୁଭେନ୍ଦୁ ତୃଣମୂଳ କଂଗ୍ରେସରେ ବଡ଼ ଭୂମିକା ନିଭାଉଥିଲେ। କିନ୍ତୁ ଏବେ ସେ ନିଜର ପୂର୍ବ ନେତା ମମତା ବାନାର୍ଜୀଙ୍କୁ ହରାଇବା ପାଇଁ ବଳ କଷୁଛନ୍ତି। ଶୁଭେନ୍ଦୁଙ୍କ ଅଧିକାରୀଙ୍କ କହିବା ହେଲା, ସେ ମମତା ବାନାର୍ଜୀଙ୍କୁ ୫୦ ହଜାର ଭୋଟରେ ହରାଇବେ।

କଂଗ୍ରେସ ନେତାଙ୍କୁ ଭେଟିଲେ ଶୁଭେନ୍ଦୁ

ସୂଚନା ମୁତାବକ, ଶୁଭେନ୍ଦୁ ଅଧିକାରୀ ଭାଜପାର କିଲ୍ଲା ମଜଭୁତ୍‌ କରିବା ପାଇଁ ଲଗାତାର ପ୍ରୟାସ ଜାରି ରଖିଛନ୍ତି। ଏହାରି ଭିତରେ ସେ ପଶ୍ଚିମବଙ୍ଗ କଂଗ୍ରେସର ଅଧ୍ୟକ୍ଷ ରହିଥିବା ସ୍ୱର୍ଗତ ସୋମେନ ମିତ୍ରାଙ୍କ ପରିବାରକୁ ଭେଟିଛନ୍ତି। ମିତ୍ରାଙ୍କ ସ୍ତ୍ରୀ ଶିଖା ମିତ୍ରା ବର୍ତ୍ତମାନ କଂଗ୍ରେସରେ ଅଛନ୍ତି। ଏମିତିରେ ଏହି ସାକ୍ଷାତକୁ ନେଇ ଅନେକ ଖିଅ ବାହାର କରାଯାଉଛି।

୨୯୪ ଆସନରେ ହେବ ମତଦାନ

ପଶ୍ଚିମବଙ୍ଗରେ ମୋଟ ୨୯୪ ବିଧାନସଭା ଆସନ ପାଇଁ ୮ଟି ପର୍ଯ୍ୟାୟରେ ଭୋଟ ଗ୍ରହଣ କରାଯିବ। ପ୍ରଥମ ପର୍ଯ୍ୟାୟ ୨୭ ମାର୍ଚ୍ଚରେ ହେବାକୁ ଥିବା ବେଳେ ଶେଷ ପର୍ଯ୍ୟାୟ ୨୯ ଏପ୍ରିଲରେ ହେବ। ୨ ମେ’ରେ ଫଳାଫଳ ଘୋଷଣା କରାଯିବ। କହି ରଖୁଛୁ, ଭାଜପା ଏଥର ପଶ୍ଚିମବଙ୍ଗରେ ୨୦୦ରୁ ଅଧିକ ଆସନ ଦାବି କରୁଛି।