ନିଜକୁ ପିନ୍ଧାଇଲେ ମଙ୍ଗଳସୂତ୍ର, ନିଜ ମଥାରେ ଭରିଲେ ସିନ୍ଦୁର! ଦେଖନ୍ତୁ କ୍ଷମା ବିନ୍ଦୁଙ୍କ ବିବାହ ଫଟୋ…
ଦୀର୍ଘ ଦିନରୁ ନିଜ ବିବାହକୁ ନେଇ ଚର୍ଚ୍ଚାରେ ରହିଥିବା କ୍ଷମା ବିନ୍ଦୁ ଶେଷରେ ବିବାହ ବନ୍ଧନରେ ବାନ୍ଧି ହୋଇଛନ୍ତି। ସେ ଆଉ କାହା ସହିତ ନୁହେଁ, ବରଂ ନିଜ ସହିତ ହିଁ ବାହା ହୋଇଛନ୍ତି। କ୍ଷମା ପୂର୍ବରୁ ଘୋଷଣା କରିଥିଲେ କି, ସେ ଆସନ୍ତା ଜୁନ୍ ୧୧ରେ ବିବାହ କରିବେ। କିନ୍ତୁ ବିବାଦ ଘନେଇବାରୁ କ୍ଷମା ଧାର୍ଯ୍ୟ ସମୟର ୨ ଦିନ ପୂର୍ବରୁ ହିଁ ବିବାହ କରି ନେଇଛନ୍ତି।
ବିବାହ କାର୍ଯ୍ୟକ୍ରମ କ୍ଷମାଙ୍କ ଘରେ ହିଁ ଆୟୋଜିତ ହୋଇଥିଲା। ଏହି ଅବସରରେ ହଳଦୀ ଓ ମେହେନ୍ଦୀ ରୀତିନୀତି ପାଳନ କରାଯାଇଥିଲା। ବିବାହରେ ନା କେହି ବର ଥିଲେ, ନା ବରଯାତ୍ରୀ। ବିବାହ ବେଦୀରେ କ୍ଷମା ନିଜକୁ ମଙ୍ଗଳସୂତ୍ର ପିନ୍ଧାଇବା ସହିତ ନିଜ ମଥାରେ ସିନ୍ଦୁର ଭରିଥିଲେ। ତେବେ ନିଜକୁ ବିବାହ କରିବା ପରେ କ୍ଷମା ଏକ ଭିଡିଓ ଜାରି କରି ସମସ୍ତଙ୍କୁ ଧନ୍ୟବାଦ ଜଣାଇଛନ୍ତି।
କହି ରଖୁଛୁ, ପ୍ରଥମେ କ୍ଷମା ଜୁନ୍ ୧୧ରେ ବିବାହ କରିବା ପାଇଁ ଘୋଷଣା କରିଥିଲେ, ଯାହା ପରେ ତାଙ୍କ ଘରକୁ ଲୋକଙ୍କ ଯିବାଆସିବା ଆରମ୍ଭ ହୋଇ ଯାଇଥିଲା। ସେପଟେ ଜଣେ ବିଜେପି ନେତ୍ରୀ କ୍ଷମାଙ୍କ ବିବାହ ନିଷ୍ପତ୍ତିକୁ ହିନ୍ଦୁ ଧର୍ମ ବିରୋଧୀ ବୋଲି କହିଥିଲେ। ସେହିପରି କଂଗ୍ରେସ ନେତା ମଧ୍ୟ ଏହି ବିବାହକୁ ପାଗଳପଣର ଉଦାହରଣ ଦେଇଥିଲେ। ଏହି କାରଣରୁ କ୍ଷମା ଧାର୍ଯ୍ୟ ସମୟ ପୂର୍ବରୁ ହିଁ ବିବାହ କରି ନେଇଛନ୍ତି।
କ୍ଷମା ବିନ୍ଦୁ ବିବାହ ଫଟୋ ସେୟାର କରିବା ସହିତ ଲେଖିଛନ୍ତି ଯେ ‘ଘର ବାହାରେ ନୋ ମିଡିଆର ବୋର୍ଡ ଲଗା ହୋଇଛି, ତଥାପି ମିଡିଆ ମୋ ଘରକୁ ଆସୁଛନ୍ତି। ଦୟାକରି ଏଠାକୁ ଆସନ୍ତୁ ନାହିଁ। ମୁଁ କୌଣସି ଅଫ୍ଲାଇନ ଇଣ୍ଟରଭ୍ୟୁ ଦେବି ନାହିଁ। ମୋର ଗତକାଲି ବିବାହ ହୋଇଛି। ମୋତେ ଏନ୍ଜୟ କରିବାକୁ ଦିଅନ୍ତୁ’।