ବ୍ରାଜିଲରେ ବନ୍ୟା ଯୋଗୁ ଭୂସ୍ଖଳନ! ମୃତ୍ୟୁ ସଂଖ୍ୟା ୯୧କୁ ବୃଦ୍ଧି, ୨୪ରୁ ଅଧିକ ନିଖୋଜ

ବ୍ରାଜିଲରେ ଏବେ ଭୟଙ୍କର ବନ୍ୟା ପରିସ୍ଥିତି। ପ୍ରବଳ ବର୍ଷା ଯୋଗୁ ଏଠାରେ ଭୂସ୍ଖଳନ ହୋଇ ବହୁ ଲୋକଙ୍କ ପ୍ରାଣହାନି ଘଟିଛି। ସରକାରୀ ତଥ୍ୟ ମୁତାବକ, ବନ୍ୟା ଓ ଭୂସ୍ଖଳନରେ ମୃତ୍ୟୁ ସଂଖ୍ୟା ୯୧କୁ ବୃଦ୍ଧି ପାଇଛି ଏବଂ ୨୪ରୁ ଅଧିକ ଲୋକ ନିଖୋଜ ଅଛନ୍ତି। ଉତ୍ତର ବ୍ରାଜିଲର ପରନାମବୁକୋ ରାଜ୍ୟର ଅଧିକାରୀମାନେ ଏ ନେଇ ସୂଚନା ଦେଇଛନ୍ତି। ସରକାରୀ ତଥ୍ୟ ମୁତାବକ, ରାଜ୍ୟ ଏବଂ କେନ୍ଦ୍ର ସରକାରଙ୍କ ଶତାଧିକ ଉଦ୍ଧାର କର୍ମୀ ନିଖୋଜ ଲୋକଙ୍କୁ ଖୋଜିବାରେ ଲାଗି ପଡ଼ିଛନ୍ତି।
ଦେଶର ରାଷ୍ଟ୍ରପତି ଜେୟର ବୋଲ୍ସୋନାରୋ ସୋମବାର ଆକାଶ ମାର୍ଗ ଯୋଗେ ପରନାମବୁକୋ ରାଜଧାନୀ ରିପିଫ୍ ଏବଂ ଏହା ଆଖାପାଖ ଅଞ୍ଚଳକୁ ଅନୁଧ୍ୟାନ କରିଥିଲେ। ପରେ ଗଣମାଧ୍ୟମ ସହ ବାର୍ତ୍ତାଳାପ ବେଳେ ରାଷ୍ଟ୍ରପତି କହିଥିଲେ କି, ଭୂମି ଉପରେ ଏମିତି କୌଣସି ଜାଗା ନ ଥିଲା, ଯେଉଁଠି ହେଲିକାପ୍ଟରକୁ ଓହ୍ଲାଯାଇ ପାରିବ। ତେବେ ବିପର୍ଯ୍ୟୟରେ ପ୍ରାଣ ହରାଇଥିବା ଲୋକଙ୍କ ଶୋକସନ୍ତପ୍ତ ପରିବାର ପ୍ରତି ରାଷ୍ଟ୍ରପତି ସମବେଦନା ଜ୍ଞାପନ କରିଛନ୍ତି।
କହି ରଖୁଛୁ, ଗତ ସପ୍ତାହରେ ପରନାମବୁକୋରେ ପ୍ରବଳ ବର୍ଷା ଯୋଗୁ ଶୁକ୍ରବାର ଏଠାରେ ଭୂସ୍ଖଳନ ହୋଇଥିଲା। ଏଥି ଯୋଗୁ ପାହାଡ଼ଗୁଡ଼ିକୁ ଯଥେଷ୍ଟ କ୍ଷତି ପହଞ୍ଚିଥିଲା। ଆଞ୍ଚଳିକ ବିକାଶ ମନ୍ତ୍ରୀ ଡାନିୟଲ ଫରେରା କହିଛନ୍ତି ଯେ ସରକାର ଜରୁରୀକାଳୀନ ପରିସ୍ଥିତି ଘୋଷଣା କରିଥିବା ନଗର ପାଳିକାମାନଙ୍କୁ ଅର୍ଥ ଯୋଗାଇବା କାର୍ଯ୍ୟ କରୁଛନ୍ତି।