ରାମ୍‌ ରହିମ୍‌ଙ୍କୁ ଡବଲ ଆଜୀବନ: ହତ୍ୟା ମାମଲାରେ ଡେରା ସଚ୍ଚା ସୌଦାର ମୁଖ୍ୟଙ୍କୁ ପୁଣି ସାରା ଜୀବନ ପାଇଁ ଜେଲ ଦଣ୍ଡାଦେଶ

ଡେରା ସଚ୍ଚା ସୌଦାର ମୁଖ୍ୟ ଗୁରୁମିତ ରାମ ରହିମ୍‌ଙ୍କୁ ଏକ ହତ୍ୟା ମାମଲାରେ ସିବିଆଇ ସ୍ୱତନ୍ତ୍ର କୋର୍ଟ ସୋମବାର ଆଜୀବନ କାରାଦଣ୍ଡାଦେଶ ଶୁଣାଇଛନ୍ତି। ତାଙ୍କ ବ୍ୟତୀତ ଅନ୍ୟ ୪ ଜଣଙ୍କୁ ମଧ୍ୟ ଆଜୀବନ ଜେଲ ଦଣ୍ଡ ମିଳିଛି। ରାମ ରହିମ୍‌ଙ୍କ ସମେତ ସମସ୍ତଙ୍କୁ ୨୦୦୨ ମସିହାରେ ପୂର୍ବ ଡେରା ପ୍ରବନ୍ଧକ ରଞ୍ଜିତ ସିଂହଙ୍କ ହତ୍ୟା ମାମଲାରେ ୮ ଅକ୍ଟୋବରରେ ଦୋଷୀ ସାବ୍ୟସ୍ତ କରାଯାଇଥିଲା। ଦଣ୍ଡାଦେଶ ଶୁଣାଣି ପୂର୍ବରୁ ହରିୟାଣାର ପଞ୍ଚକୁଲା ଜିଲ୍ଲାରେ ସୁରକ୍ଷା ବ୍ୟବସ୍ଥା କଡ଼ାକଡ଼ି କରିବା ଅବସରରେ ୧୪୪ ଧାରା ଲାଗୁ କରାଯାଇଥିଲା।

୨୦୧୭ ଅଗଷ୍ଟର ହିଂସାକୁ ଦେଖି ରାମ ରହିମ୍‌ଙ୍କ ସମ୍ବନ୍ଧୀୟ କୌଣସି ମାମଲାର ଶୁଣାଣି କିମ୍ବା ଦଣ୍ଡାଦେଶ ଘୋଷଣା ପୂର୍ବରୁ ସୁରକ୍ଷା ବ୍ୟବସ୍ଥାକୁ କଡ଼ାକଡ଼ି କରାଯାଉଛି। ୨୦୧୭ ମସିହାରେ ଏକ ବଳାତ୍କାର ମାମଲାରେ ରାମ ରହିମ୍‌ ଦୋଷୀ ସାବ୍ୟସ୍ତ ହେବା ପରେ ଧସ୍ତାଧସ୍ତିରେ ୩୬ ଜଣଙ୍କ ମୃତ୍ୟୁ ଘଟିଥିଲା। ଏଣୁ ଗତ ଶୁଣାଣି ବେଳେ ସିବିଆଇ ପକ୍ଷରୁ କୋର୍ଟଙ୍କୁ ରାମ୍‌ରହିମ୍‌ଙ୍କୁ ମୃତ୍ୟୁ ଦଣ୍ଡ ଦେବାକୁ ଦାବି କରାଯାଇଥିଲା।

ଅନ୍ୟପଟେ ନିଜେ ରାମ୍‌ ରହିମ୍‌ ରୋହତକ ଜେଲରୁ ଭିଡିଓ କନ୍‌ଫରେନ୍ସିଂ ଜରିଆରେ ଦୟା କରିବାକୁ ଗୁହାରୀ କରିଥିଲେ। ୨ ଜଣ ମହିଳା ସହଯୋଗୀଙ୍କୁ ଦୁଷ୍କର୍ମ କରିବା ଅଭିଯୋଗରେ ରାମ ରହିମ୍‌ ଏବେ ୨୦ ବର୍ଷ ପାଇଁ ଜେଲ ଭୋଗୁଛନ୍ତି। ତେବେ ରାମ ରହିମ୍‌ ବ୍ଲଡ୍‌ ପ୍ରେସର, ଆଖି ଓ ହାର୍ଟ ରୋଗରେ ପୀଡ଼ିତ ଥିବା କହି ତାଙ୍କ ଉପରେ ଦୟା କରିବାକୁ ଗୁହାରି କରିଥିଲେ। କିନ୍ତୁ ସିବିଆଇ ଡେରା ମୁଖ୍ୟଙ୍କର ଏହି ପିଟିସନ୍‌କୁ ବିରୋଧ କରି କହିଥିଲା ଯେ ପୀଡ଼ିତ ତାଙ୍କୁ ଭଗବାନ ଭଳି ମାନିଥିଲେ କିନ୍ତୁ ସେ ତାଙ୍କ ସହ ବିଶ୍ୱାସଘାତକ କଲେ। ଏଣୁ ତାଙ୍କୁ ସର୍ବୋଚ୍ଚ ଦଣ୍ଡ ମିଳିବା ଦରକାର।

୧୯ ବର୍ଷ ପରେ ମିଳିଲା ନ୍ୟାୟ:

୨୦୦୨ ଜୁଲାଇ ୧୦ରେ ରଞ୍ଜିତ ସିଂହଙ୍କୁ ହତ୍ୟା କରାଯାଇଥିଲା। ଏହି ମାମଲାର ତଦନ୍ତ ଭାର ସିବିଆଇକୁ ଦିଆଯାଇଥିଲା। ସମ୍ପୂର୍ଣ୍ଣ ମାମଲାର ଶୁଣାଣି ସିବିଆଇର ସ୍ୱତନ୍ତ୍ର ଅଦାଲତରେ ଚାଲିଥିଲା। ଘଟଣାକୁ ୧୯ ବର୍ଷ ବିତିଥିବା ବେଳେ ଚଳିତ ମାସ ଆରମ୍ଭରେ ରାମ ରହିମ୍‌ଙ୍କ ସମେତ ୫ ଜଣଙ୍କୁ ଦୋଷୀ ସାବ୍ୟସ୍ତ କରାଯାଇଥିଲା। ଅଗଷ୍ଟ ୧୨ରେ ହିଁ ଏହି ମାମଲା ଉପରେ ତର୍କ ବିତର୍କ ଶେଷ ହୋଇଥିଲା। ଆଜି କେବଳ ଏହାର ଶୁଣାଣି ହୋଇଛି।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.