କୂଅରେ ଗଳି ପଡ଼ିଲା ବରଯାତ୍ରୀଙ୍କୁ ନେଇ ଫେରୁଥିବା ବୋଲେରୋ, ଘଟଣାସ୍ଥଳରେ ୭ ମୃତ
ମଧ୍ୟ ପ୍ରଦେଶ: ମଧ୍ୟ ପ୍ରଦେଶର ଛିନ୍ଦଓ୍ଵାଡ଼ା ଜିଲ୍ଲାରେ ଏକ ମର୍ମନ୍ତୁଦ ସଡ଼କ ଦୁର୍ଘଟଣାରେ ୭ ଜଣଙ୍କ ମୃତ୍ୟୁ ଘଟିଛି। ମୃତକଙ୍କ ମଧ୍ୟରେ ଏକ ଛୋଟ ପିଲା ମଧ୍ୟ ରହିଛି। ଗୁରୁବାର ସକାଳେ ବର ଯାତ୍ରୀଙ୍କୁ ନେଇ ଯାଉଥିବା ଏକ ବୋଲେରୋ କୂଅରେ ଗଳି ପଡ଼ିଥିଲା। ଫଳରେ ଗାଡ଼ିରେ ଥିବା ୭ ଜଣଙ୍କ ମୃତ୍ୟୁ ଘଟିଛି। ଏହି ଦୁର୍ଘଟଣାରେ ଆଉ କିଛି ଲୋକ ଗୁରୁତର ମଧ୍ୟ ହୋଇଛନ୍ତି। ସମସ୍ତ ଗୁରୁତରଙ୍କୁ ତୁରନ୍ତ ଚିକିତ୍ସା ପାଇଁ ସ୍ଥାନୀୟ ହସ୍ପିଟାଲରେ ଭର୍ତ୍ତି କରାଯାଇଛି। ଖବର ପାଇ ସ୍ଥାନୀୟ ପୋଲିସ ଘଟଣାସ୍ଥଳରେ ପହଞ୍ଚି ବୋଲେରୋକୁ କୂଅରୁ ବାହାର କରିଥିଲା। ତା’ ପରେ ମୃତକଙ୍କୁ ପୋଷ୍ଟ ମର୍ଟମ୍ ପାଇଁ ସ୍ଥାନୀୟ ହସ୍ପିଟାଲକୁ ପଠାଇଥିଲା।
ଗୁରୁବାର ଭୋର୍ରୁ ଏହି ଛାତିଥର ଘଟଣା ଛିନ୍ଦଓ୍ଵାଡ଼ା ଜିଲ୍ଲାର ମୋହଖେଡ ଥାନା ଅଞ୍ଚଳର କୋଡାମାଓ ନିକଟରେ ଘଟିଛି। ସୂଚନା ମୁତାବକ, କୋଡାମାଓରୁ ଏକ ବରଯାତ୍ରୀ ଦଳ ନିକଟସ୍ଥ ଗାଁ ଭାଜୀପାନୀ ଯାଉଥିଲା। ବୋଲେରୋ ଡ୍ରାଇଭର ଗାଡ଼ିକୁ ଅତି ଦ୍ରୁତ ଗତିରେ ଚଲାଉଥିଲେ। ଗାଡ଼ିର ସ୍ପିଡ୍ ଅଧିକ ଥିବା ବେଳେ ରାସ୍ତା ଅନ୍ଧାର ଥିଲା। ଏଣୁ ଡ୍ରାଇଭର ଗାଡ଼ି ଉପରୁ ନିୟନ୍ତ୍ରଣ ହରାଇଥିଲେ। ଫଳରେ ରାସ୍ତା କଡ଼ରେ ଥିବା ଏକ କୂଅ ଭିତରକୁ ବୋଲେରୋ ଖସି ପଡ଼ିଥିଲା।
Madhya Pradesh | Seven people, including a child, charred to death as a vehicle carrying them to a wedding procession fell into a gorge in Chhindwara: Chhindwara CMHO Dr. GC Chaurasiya pic.twitter.com/68XICcLF96
— ANI MP/CG/Rajasthan (@ANI_MP_CG_RJ) June 16, 2022
ଏ ନେଇ ସ୍ଥାନୀୟ ଲୋକେ ପୋଲିସକୁ ସୂଚନା ଦେଇଥିଲେ। ଖବର ପାଇ ଆମ୍ବୁଲାନ୍ସ ଘଟଣାସ୍ଥଳରେ ପହଞ୍ଚିଥିଲା। ଦୀର୍ଘ ଘଣ୍ଟାର କଠିନ ପରିଶ୍ରମ ପରେ ପୋଲିସ ଟିମ୍ କୂଅ ଭିତରୁ ବୋଲେରୋକୁ ବାହାର କରିଥିଲେ ଓ କାରରୁ ୭ଟି ମୃତ ଦେହ ଉଦ୍ଧାର କରିଥିଲେ।
ସକାଳୁ ସକାଳୁ ଘଟିଥିବା ଏହି ଦୁର୍ଘଟଣାକୁ ନେଇ ମଧ୍ୟ ପ୍ରଦେଶର ମୁଖ୍ୟମନ୍ତ୍ରୀ ଶିବରାଜ ସିଂହ ଚୌହ୍ଵାନ ଟ୍ଵିଟ୍ କରି ଗଭୀର ଶୋକ ବ୍ୟକ୍ତ କରିଛନ୍ତି। ସେ ଟ୍ଵିଟରରେ ଲେଖିଛନ୍ତି- ଛିନ୍ଦଓ୍ଵାଡ଼ା ଜିଲ୍ଲାରେ ସଡ଼କ ଦୁର୍ଘଟଣାରେ ୭ଟି ଅମୂଲ୍ୟ ଜୀବନ ଚାଲିଯାଇଛି। ଏହି ଘଟଣା ବିଷୟରେ ଶୁଣି ବହୁତ ଦୁଃଖ ଲାଗୁଛି। ଭଗବାନ ଦିବଂଗତ ଆତ୍ମାକୁ ଶାନ୍ତି ଦିଅନ୍ତୁ। ଏଥି ସହ ଶୋକାକୁଳ ପରିବାରକୁ ଏହି ଦୁଃଖ ସହିବାକୁ ଶକ୍ତି ପ୍ରଦାନ କରିବାକୁ ପ୍ରାର୍ଥନା କରୁଛି। ଆହତଙ୍କ ଶୀଘ୍ର ସୁସ୍ଥତା କାମନା କରୁଛି।
Also Read: ସୁସ୍ଥ ହେବା ପରେ ମହାପ୍ରଭୁଙ୍କ ଆଶୀର୍ବାଦ ନେବାକୁ ପୁରୀ ଆସିବେ ରାହୁଲ, ସୂଚନା ଦେଲେ ବାପା