ସିଦ୍ଧୁଙ୍କ କଣ୍ଟ୍ରୋଭର୍ସି କ୍ୟାଲେଣ୍ଡର୍ : ଏହି ସବୁ ମାମଲାରେ ଫସି ସାରିଛନ୍ତି ପୂର୍ବତନ କ୍ରିକେଟର୍

ପୁଣି ଥରେ ବିବାଦରେ ପୂର୍ବତନ କ୍ରିକେଟର୍ ତଥା ସାଂସଦ ନବଜୋତ୍ ସିଂହ ସିଦ୍ଧୁ । ପାକିସ୍ତାନର ନୂଆ ପ୍ରଧାନମନ୍ତ୍ରୀ ଇମରାନ୍ ଖାନଙ୍କ ଶପଥ ଗ୍ରହଣ ଉତ୍ସବରେ ସାମିଲ୍ ହେବାକୁ ପାକିସ୍ତାନ ଗସ୍ତରେ ସିଦ୍ଧୁ । କିନ୍ତୁ ଏହି ଗସ୍ତ ସିଦ୍ଧୁଙ୍କ ପାଇଁ ଆଣିଦେଇଛି ଅନେକ ବିବାଦ । ପ୍ରଥମେ ପାକିସ୍ତାନର ସେନା ମୁଖ୍ୟଙ୍କୁ ଆଲିଙ୍ଗନ ଏବଂ ପରେ ଫେରିବା ସମୟରେ ଲାହୋର ବଜାରରୁ ମାର୍କେଟିଙ୍ଗ୍ କରିବା।  ଏହା ସହ ଏହି ଶପଥ ଗ୍ରହଣ ଉତ୍ସବରେ ଅନେକ କ୍ରିକେଟର୍ ଏବଂ ବିଶିଷ୍ଟ ବ୍ୟକ୍ତିଙ୍କୁ ନିମନ୍ତ୍ରଣ କରାଯାଇଥିଲା । କିନ୍ତୁ ସିଦ୍ଧୁଙ୍କ ବ୍ୟତୀତ ଆଉ କେହି ଯାଇନଥିଲେ । ଯାହା ଫଳରେ ସେ ବିରୋଧୀଙ୍କ ସମାଲୋଚନାର ଶିକାର ହୋଇଛନ୍ତି । ଏମିତିକି ପଞ୍ଜାବ ମୁଖ୍ୟମନ୍ତ୍ରୀ ଅମରିନ୍ଦର ସିଂହ ମଧ୍ୟ ଏହାକୁ ନାପସନ୍ଦ କରି ପ୍ରତିକ୍ରିୟା ରଖିଛନ୍ତି । ସେ କହିଛନ୍ତି ପ୍ରତିଦିନ ସୀମାରେ ସେମାନେ ଆମ ଲୋକଙ୍କ ମୁଣ୍ଡ ଗଡ଼ାଉଥିବା ବେଳେ ସିଦ୍ଧୁ ଠିକ୍ କାମ କରି ନାହାନ୍ତି । ତେବେ ବିବାଦ ସହ ସିଦ୍ଧୁଙ୍କ ସଂପର୍କ ବେଶ୍ ପୁରୁଣା । ନଜର ପକାନ୍ତୁ ସିଦ୍ଧୁଙ୍କ କିଛି ପୁରୁଣା ବିବାଦ ଉପରେ ।

– ସିଦ୍ଧୁ ଇଂଲଣ୍ଡକୁ ଟେଷ୍ଟ ସିରିଜ୍ ଖେଳିବାକୁ ଯାଇଥିବା ବେଳେ ନିଜ ଜୁନିୟର୍ ମନୋଜ ପ୍ରଭାକରଙ୍କୁ ଚାପୁଡା ମାରିଥିଲେ । ୧୯୯୬ରେ ଅଧିନାୟକ ମହମ୍ମଦ ଆଝାରୁଦ୍ଦିନଙ୍କ ଉପରେ ରାଗି ଇଂଲଣ୍ଡ ଗସ୍ତକୁ ଅଧାରେ ଛାଡି ଭାରତ ଚାଲି ଆସିଥିଲେ  ପାକିସ୍ତାନ ସହ ମ୍ୟାଚ୍ ବେଳେ ପାକ୍ ଖେଳାଳିଙ୍କ ସହ ମୈଦାନରେ ହିଁ ଝଗଡା କରିଥିଲେ । ଆମୀର ସୋହେଲ୍ ଏବଂ ଓକାର୍ ୟୁନିସଙ୍କ ସହ ମୈଦାନରେ ଲଢିବା ଘଟଣାକୁ କୌଣସି କ୍ରିକେଟ୍ ପ୍ରେମୀ ଭୁଲି ପାରିବେନି ।

– ଅମୃତସରରେ ସାଂସଦ ଥିବା ସମୟରେ ତାଙ୍କ ବିରୋଧରେ ହତ୍ୟା ମାମଲା ରୁଜୁ ହୋଇଥିଲା । ଏହି ମାମଲାରେ ହାଇକୋର୍ଟ ତାଙ୍କୁ ୩ ବର୍ଷର ଦଣ୍ଡାଦେଶ ଶୁଣାଇଛନ୍ତି । ପରେ ସୁପ୍ରିମକୋର୍ଟ ଏହି ମାମଲାରେ ତାଙ୍କୁ ୬୦୦୦ଟଙ୍କା ଜରିମାନାରେ ଦଣ୍ଡରୁ ମୁକ୍ତ କରିଥିଲେ ।

– କପିଲଙ୍କ କମେଡି ଶୋ ରେ ଅଶ୍ଳୀଳ ଜୋକ୍ ଶୁଣାଇ ବିବାଦକୁ ଚାଲି ଆସିଥିଲେ ସିଦ୍ଧୁ ।

– କ୍ରିସମସ୍ ଦିନ ଧମକ ଦେଇ ସିଦ୍ଧୁ କହିଥିଲେ ପଂଜାବରେ ଇଶାଇଙ୍କୁ ତଳକୁ ଖସାଇବ ତ ଆଖି ବାହାର କରିନେବୁ । ଏହା ସହ କହିଥିଲେ ପଂଜାବରେ କାହାକୁ ବି କୌଣସି ଉତ୍ସବରେ ହସ୍ତକ୍ଷେପ କରିବାର ଅଧିକାର ଦିଆଯିବନି । ଏଠାରେ ସମସ୍ତ ଧର୍ମର ବ୍ୟକ୍ତିଙ୍କୁ ନିଜ ଧର୍ମ ଅନୁସାରେ ଉତ୍ସବ ପାଳନ କରିବାର ସମ୍ପୂର୍ଣ୍ଣ ଅଧିକାର ରହିଛି।

– ସିଦ୍ଧୁଙ୍କ ଉପରେ ଅଭିଯୋଗ ଆଣି ଷ୍ଟାର୍ ଇଣ୍ଡିଆ ଅଦାଲତର ଦ୍ବାରସ୍ଥ ହୋଇଥିଲା। ଅଭିଯୋଗ ଥିଲା ଯେ ତାଙ୍କ ସହ ୨୨.୫ କୋଟି ଟଙ୍କାର ଚୁକ୍ତିକୁ ଉଲଂଘନ କରିଛନ୍ତି ସିଦ୍ଧୁ ।

– ଏହା ପରେ ଡିପାର୍ଟମେଂଟ୍ ଏବଂ ଅଫିସିଆଲ୍ ମିଟିଙ୍ଗରେ ନିଜ ପତ୍ନୀଙ୍କୁ ସାଙ୍ଗରେ ଧରି ଯାଇଥିଲେ ସିଦ୍ଧୁ । ଏହି ବୈଠକରେ ସିଦ୍ଧୁଙ୍କ ପତ୍ନୀ ନା କେବଳ ଉପସ୍ଥିତ ରହିଥିଲେ ବରଂ ଅଫିସରମାନଙ୍କୁ ନିର୍ଦ୍ଦେଶ ମଧ୍ୟ ଦେଇଥିଲେ । ଯେତେବେଳେ ଏନେଇ ସିଦ୍ଧୁଙ୍କୁ ପ୍ରଶ୍ନ ପଚରା ଗଲା ସେତେବେଳେ ତାଙ୍କର ଉତ୍ତର ଥିଲା ମୋ ଅର୍ଦ୍ଧାଙ୍ଗିନୀ ହେଉଛନ୍ତି ମୋ ସ୍ତ୍ରୀ । ତେଣୁ ସେ ମୋର ସମସ୍ତ ବୈଠକରେ ଉପସ୍ଥିତ ରହିବେ ।

Leave A Reply

Your email address will not be published.