କୁଆ ଉଡ଼ିବାକୁ ତାଳ ପଡ଼ିବାକୁ : ଶ୍ରାବଣ ମାସରେ ମୋଦି ସରକାରଙ୍କ ବଡ଼ ବଡ଼ ନିଷ୍ପତ୍ତି
ଦେଶରେ ସାଧାରଣ ନିର୍ବାଚନ ପରେ ଗତ ମେ ମାସ ୩୦ ତାରିଖରେ ପୁଣି ଥରେ ପ୍ରଧାନମନ୍ତ୍ରୀ ଭାବେ ଦାୟିତ୍ୱ ଗ୍ରହଣ କରିଥିଲେ ନରେନ୍ଦ୍ର ମୋଦି । ଏହା ପରେ ଅନେକ ଗୁରୁତ୍ୱପୂର୍ଣ୍ଣ ନିଷ୍ପତ୍ତି ନେଇଛି ତାଙ୍କ ସରକାର । ତେବେ ତା ଭିତରେ ଗୋଟିଏ ଚର୍ଚ୍ଚା ଉଠିଛି ଯେ ଶ୍ରାବଣ ମାସରେ ବୋଧହୁଏ ସବୁଠାରୁ ବଡ଼ ନିଷ୍ପତ୍ତି ସବୁ କାର୍ଯ୍ୟକାରୀ ହୋଇଛି । ଇଏ କଥାଟି ‘କୁଆ ଉଡ଼ିବାକୁ ତାଳ ପଡ଼ିବାକୁ’ ଭଳି ହୋଇ ପାରେ । ହେଲେ ଚଳିତ ଶ୍ରାବଣ ମାସରେ ଏମିତି କିଛି ହୋଇଛି ଯାହାକୁ ଆମେ ବିଶ୍ୱାସ କରିବାକୁ ବାଧ୍ୟ ।
ଜୁଲାଇ ୨୨ ତାରିଖ ସୋମବାର ଦିନ ଚନ୍ଦ୍ରପୃଷ୍ଠକୁ ଚନ୍ଦ୍ରାୟାଣ-୨କୁ ଛଡ଼ା ଯାଇଥିଲା । ଏହା ପୂର୍ବରୁ ଜୁଲାଇ ୧୪ ଦିନ ଏହାକୁ ଛଡ଼ାଯିବ ବୋଲି ସମୟ ନିର୍ଦ୍ଧାରଣ ହୋଇଥିଲା । ତେବେ ପରେ ସେଥିରେ ପରିବର୍ତ୍ତନ କରାଯାଇଥିଲା ଏବଂ ଜୁଲାଇ ୨୨ରେ ସଫଳ ଉତକ୍ଷେପଣ ହୋଇଛି ।
ଏହାପରେ ଜୁଲାଇ ୩୦ ତାରିଖରେ ରାଜ୍ୟସଭାରେ ତିନ୍ ତଲାକ୍ ବିଲ୍ ପାସ୍ ହେଲେ । ଯାହା ଅନେକ ଦିନ ଧରି ଅଟକି ରହିଥିଲା ଏବଂ ଲୋକସଭାରେ ପାସ୍ ହେବା ପରେ ମଧ୍ୟ ଏହାକୁ ରାଜ୍ୟସଭାରେ ପାସ୍ କରାଇବା ପାଇଁ ମୋଦି ସରକାର ଉଦ୍ୟମ କରି ବିଫଳ ହୋଇଥିଲେ ।
ଆଉ ଏବେ ଅଗଷ୍ଟ ୫ ତାରିଖ ଶ୍ରାବଣ ମାସର ତୃତୀୟ ସୋମବାର ଦିନ ଜମ୍ମୁ କଶ୍ମୀରରୁ ସ୍ୱତନ୍ତ୍ର ରାଜ୍ୟ ପାହ୍ୟା ପ୍ରତ୍ୟାହାର ନିଷ୍ପତ୍ତି ନିଆଯାଇଛି । ଆଜି ଏହି ବିଲ୍ ଉପରେ ଲୋକସଭାରେ ବିତର୍କ ଚାଲିଛି । ବିବାଦୀୟ ଜମ୍ମୁ କଶ୍ମୀର ପ୍ରସଙ୍ଗଟି ଏବେ ସାରା ବିଶ୍ୱକୁ ଚକିତ କରି ଦେଇଛି ।
ଶ୍ରାବଣ ମାସର ଆଉ କିଛି ଦିନ ବାକି ଅଛି । ଏହା ଭିତରେ ହୁଏତ ଆଉ ଗୋଟିଏ ଦୁଇଟି ବଡ଼ ବଡ଼ ନିଷ୍ପତ୍ତି ମଧ୍ୟ ଘୋଷଣା ହୋଇ ପାରେ । କାରଣ ଅଯୋଧ୍ୟା ମାମଲାର ସୁପ୍ରିମ୍ କୋର୍ଟରେ ଶୁଣାଣି ଚାଲିଛି ଏବଂ ଆସନ୍ତା ୧୫ ତାରିଖରେ ଦେଶ ପାଳିବ ୭୩ତମ ସ୍ୱାଧୀନତା ଦିବସ । ଏବେ ଦେଖିବାର କଥା ଅଯୋଧ୍ୟା ବିବାଦୀୟ ଜମି ମାମଲାରେ କଣ ରାୟ ଆସୁଛି ଏବଂ ମୋଦି ଅଗଷ୍ଟ ୧୫ ଦିନ ଲାଲକିଲ୍ଲାରୁ କଣ ଘୋଷଣା କରୁଛନ୍ତି !