ରାଜସ୍ଥାନ: କୋଟାରେ ଶିବରାତ୍ରି ଉତ୍ସବ ବେଳେ ବ୍ୟାପିଗଲା କରେଣ୍ଟ୍‌, ପୋଡ଼ିଗଲେ ୧୪ ପିଲା; ଦୁଇ ଜଣଙ୍କ ଅବସ୍ଥା ସଙ୍କଟାପନ୍ନ

ଶିବରାତ୍ରି ଉତ୍ସବ ବେଳେ ରାଜସ୍ଥାନର କୋଟାରେ ଏକ ବଡ଼ ଦୁର୍ଘଟଣା ଘଟିଛି । ଏଠାରେ ଶିବଙ୍କ ବରଯାତ୍ରୀ ବାହାରିବା ସମୟରେ ବିଦ୍ୟୁତ୍‌ ସଂସ୍ପର୍ଶରେ ଆସି ପ୍ରାୟ ୧୪ ଜଣ ପିଲା ପୋଡ଼ି ହୋଇ ଯାଇଛନ୍ତି ।

ଶିବରାତ୍ରି ଉତ୍ସବ ବେଳେ ରାଜସ୍ଥାନର କୋଟାରେ ଏକ ବଡ଼ ଦୁର୍ଘଟଣା ଘଟିଛି । ଏଠାରେ ଶିବଙ୍କ ବରଯାତ୍ରୀ ବାହାରିବା ସମୟରେ ବିଦ୍ୟୁତ୍‌ ସଂସ୍ପର୍ଶରେ ଆସି ପ୍ରାୟ ୧୪ ଜଣ ପିଲା ପୋଡ଼ି ହୋଇ ଯାଇଛନ୍ତି । ଦୁର୍ଘଟଣା ପରେ ଚାରିଆଡ଼େ କେବଳ ଚିତ୍କାର ଶୁଭିଥିଲା । ଲୋକମାନେ ତୁରନ୍ତ ପିଲାମାନଙ୍କୁ ଧରି ହସ୍ପିଟାଲ ଆଡ଼କୁ ଦୌଡ଼ିଥିଲେ । ଆହତ ସମସ୍ତ ପିଲାଙ୍କୁ ଚିକିତ୍ସା ପାଇଁ ଏମ୍‌ବିଏସ୍‌ ହସ୍ପିଟାଲରେ ଭର୍ତ୍ତି କରାଯାଇଛି । ସେମାନଙ୍କୁ ଭେଟିବା ପାଇଁ ଲୋକସଭା ବାଚସ୍ପତି ଓମ୍‌ ବିର୍ଲା ଓ ଶକ୍ତି ମନ୍ତ୍ରୀ ହୀରାଲାଲ ନାଗର ମଧ୍ୟ ପହଞ୍ଚିଛନ୍ତି ।

କୋଟାର ଏସ୍‌ପି (ସିଟି) ଅମୃତା ଧଓ୍ଵନ କହିଛନ୍ତି ଯେ ମଧ୍ୟାହ୍ନ ପାଖାପାଖି ୧୨ଟା ବେଳେ ଏହି ଘଟଣା ଘଟିଥିଲା । କିଛି ଲୋକ କଳସରେ ପାଣି ଭରିବା ପାଇଁ ଏକତ୍ରିତ ହୋଇଥିଲେ । ଏହି ଗୋଷ୍ଠୀରେ ୨୦ରୁ ୨୫ ଜଣ ପିଲାଙ୍କ ସହ ମହିଳା ଏବଂ ପୁରୁଷ ସାମିଲ ଥିଲେ ।

ସେମାନଙ୍କ ମଧ୍ୟରୁ ଜଣେ ପିଲା ହାତରେ ୨୦-୨୨ ଫୁଟ୍‌ ଲମ୍ବାର ଲୁହା ପାଇପ୍‌ ଥିଲା, ଯାହାକି, ଉପର ଦେଇ ଯାଇଥିବା ଉଚ୍ଚ ଶକ୍ତିସମ୍ପନ୍ନ ବିଦ୍ୟୁତ୍‌ ତାରରେ ମାଡ଼ ହୋଇଯାଇଥିଲା । ଫଳରେ ଏଥିରୁ କରେଣ୍ଟ୍‌ ଚାରିଆଡ଼େ ବ୍ୟାପି ଯାଇଥିଲା । ଏହି ସମୟରେ ସେଠାରେ ଉପସ୍ଥିତ ଅନ୍ୟ ପିଲାମାନେ ମଧ୍ୟ କରେଣ୍ଟ୍‌ ସଂସ୍ପର୍ଶରେ ଆସି ଯାଇଥିଲେ ।

ପୋଲିସ ଅଧିକାରୀ କହିଛନ୍ତି, ଏହି ପିଲାମାନଙ୍କ ମଧ୍ୟରୁ ଜଣଙ୍କ ଅବସ୍ଥା ଗୁରୁତର ରହିଛି ଏବଂ ସେ ୧୦୦ ପ୍ରତିଶତ ପର୍ଯ୍ୟନ୍ତ ପୋଡ଼ି ହୋଇଯାଇଛନ୍ତି । ଯେତେବେଳେ କି, ଅନ୍ୟ ଜଣେ ପିଲା ୫୦ ପ୍ରତିଶତ ପୋଡ଼ି ହୋଇଯାଇଛନ୍ତି । ବାକି ଅନ୍ୟମାନେ ଏହାଠୁ କମ୍‌ ପ୍ରଭାବିତ ହୋଇଛନ୍ତି । ପୋଲିସ ଘଟଣାସ୍ଥଳରେ ତଦନ୍ତ କରୁଛି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.