ପ୍ରେମିକ ସହ ଫେରାର ହୋଇଗଲା ପତ୍ନୀ, ଦୁଇ ଝିଅଙ୍କୁ ମାରି ଆତ୍ମହତ୍ୟା କଲେ ଆଇଟିଆଇ ପ୍ରଫେସର

ଘଟଣା ଏମିତି ଯାହା ଆପଣଙ୍କୁ ସ୍ତବ୍‌ଧ କରିଦେବ । କିଛି ସମୟ ଭାବିବାକୁ ବାଧ୍ୟ କରିବ, କାହିଁକି ଏମିତି ଘଟିଲା ବୋଲି ? ସ୍ତ୍ରୀ ତ ଭୁଲ କରି ବସିଲା । ହେଲେ ସ୍ୱାମୀ କରି ବସିଲା ତା ଠାରୁ ଆହୁରି ବଡ଼ ଅପରାଧ । ଘଟଣା ମହାରାଷ୍ଟ୍ର ଚନ୍ଦ୍ରପୁରର । ଗତ ଏପ୍ରିଲ ୩ ତାରିଖରେ ପୋଲିସ୍‌ ପାଖରେ ଖବର ପହଞ୍ଚିଲା ହତ୍ୟା ଓ ଆତ୍ମହତ୍ୟା ଘଟଣାର ।

ୠଷିକାନ୍ତ କୁଡୁପାଲ୍ଲୀ ନାମକ ଜଣେ ଆଇଟିଆଇ ପ୍ରଫେସର ନିଜର ଦୁଇ ନାବାଳିକା ଝିଅଙ୍କୁ ହତ୍ୟା କରିବା ପରେ ନିଜେ ଆତ୍ମହତ୍ୟା କରିଛନ୍ତି । ପିଲା ଦୁଇଟିଙ୍କୁ ସ୍କାର୍ଫରେ ଫାସି ଦେଇ ମାରିବା ପରେ ସେମାନଙ୍କ ଫଟୋ ହ୍ଵାଟ୍‌ସଆପ୍‌ରେ ପଠାଇ ଦେଇଥିଲେ ନିଜ ପତ୍ନୀଙ୍କ ପାଖକୁ । କାରଣ ଥିଲା ପରକୀୟା ପ୍ରୀତିରେ ଚୁର୍‌ ପତ୍ନୀ ପ୍ରଗତି କେଇ ଦିନ ପୂର୍ବରୁ ସ୍ୱାମୀ ଓ ଦୁଇ ଝିଅଙ୍କୁ ଛାଡ଼ି ପ୍ରେମିକ ସହ ଫେରାର ହୋଇଯାଇଥିଲା । ଜଣେ ଡ୍ରାଇଭର ଶାହାନଓ୍ଵାଜ୍‌ ଖାନ୍‌ ସହିତ ପଳାଇ ଯାଇଥିଲା ।

ସ୍ତ୍ରୀ’ର ପ୍ରତାରଣାକୁ ସହି ନପାରି ସ୍ୱାମୀ ୠଷିକାନ୍ତ କରି ବସିଲା ଅମାନବୀୟ କାଣ୍ଡ । ଯାହା କୌଣସି ଜନ୍ମକଲା ବାପା ପକ୍ଷରେ ସମ୍ଭବ ନୁହେଁ । ୠଷିକାନ୍ତ ତାଙ୍କ ୬ ବର୍ଷର ଝିଅ ନାରାୟଣୀ ଏବଂ ମାତ୍ର ୧୮ ମାସର ଝିଅ କାର୍ତ୍ତିକିକୁ ନିଜ ହାତରେ ଫାଶି ଦେଇ ମାରିଦେଲେ । ପତ୍ନୀ ଉପରେ ଏତେ ରାଗ ଥିଲା ଯେ ମାରିବା ପରେ ଫଟୋକୁ ନିଜ ସ୍ତ୍ରୀ ନିକଟକୁ ହ୍ଵାଟସଆପ୍‌ରେ ପଠାଇବା ପରେ ନିଜେ ଆତ୍ମହତ୍ୟା କରିଥିଲେ । ୠଷିକାନ୍ତଙ୍କ ଭାଇ ଗୋପାଳଙ୍କ ଠାରୁ ଖବର ପାଇ ପୋଲିସ୍‌ ଘଟଣାର ତଦନ୍ତ କରୁଛି । ଆଉ ଖୋଜୁଛି ଫେରାର ଥିବା ପ୍ରେମୀ ଯୁଗଳ ପ୍ରଗତି ଓ ଶାହାନଓ୍ଵାଜକୁ । ସେମାନଙ୍କ ନାଁରେ ପୋଲିସ୍‌ ହତ୍ୟା ମାମଲା ରୁଜୁ କରିଛି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.