ସିବିଆଇରେ ହାଜର ହେଲେ ମନୀଷ ସିସୋଦିଆ, ମଦ ନୀତି ଉପରେ ପଚରାଉଚରା କରିବ ସିବିଆଇ
କିଛି ଦିନ ଜେଲରେ ରହିବାକୁ ପଡିଲେ ମଧ୍ୟ କିଛି ଫରକ ପଡିବନି । ସିବିଆଇରେ ହାଜର ହେବା ପୂର୍ବରୁ ଟ୍ଵିଟ୍ କରି କହିଲେ ମନୀଷ ସିସୋଦିଆ। ମଦ ନୀତି ଉପରେ ପଚରାଉଚରା କରିବ ସିବିଆଇ ।
ଦିଲ୍ଲୀ ଉପମୁଖ୍ୟମନ୍ତ୍ରୀ ତଥା ଆପ୍ ନେତା ମନୀଷ ସିସୋଦିଆ ସିବିଆଇ ନିକଟରେ ହାଜର ହୋଇଛନ୍ତି । ମଦ ନୀତି ଉପରେ ପଚରାଉଚରା କରିବ ତଦନ୍ତକାରୀ ସଂସ୍ଥା । ଦିଲ୍ଲୀ ସରକାର ପ୍ରତ୍ୟାହାର କରି ନେଇଥିବା ମଦ ନୀତି ଉପରେ ତଦନ୍ତ କରୁଛି ସିବିଆଇ । ପୂର୍ବରୁ ଗତ ୧୯ ତାରିଖରେ ସିସୋଦିଆଙ୍କୁ ଜେରା ହେବାର ଥିଲା । କିନ୍ତୁ ସିବିଆଇରେ ହାଜର ହେବାକୁ ସେ ଅଧିକ ସମୟ ମାଗିଥିଲେ । ମାର୍ଚ୍ଚରେ ଉପସ୍ଥାପିତ ହେବାକୁ ଥିବା ବଜେଟ ପାଇଁ କାମ କରୁଥିବାରୁ ହାଜର ହେବାକୁ ସମୟ ନେଇଥିଲେ ସିସୋଦିଆ ।
ଦିଲ୍ଲୀ ସରକାରଙ୍କ ଅର୍ଥ ବିଭାଗ ସିସୋଦିଆଙ୍କ ହାତରେ ରହିଛି। ମଦ ନୀତି ମାମଲାରେ ପୂର୍ବରୁ ଅନେକ ଥର ତାଙ୍କ କାର୍ଯ୍ୟାଳୟ ଓ ବାସଭବନରେ ରେଡ୍ କରିଛି ସିବିଆଇ ଓ ଇଡି । ତାଙ୍କୁ ସିବିଆଇ ଗିରଫ କରିପାରେ ବୋଲି ଆଶଙ୍କା କରୁଛି ଆମ୍ ଆଦମୀ ପାର୍ଟି । ଗତବର୍ଷ ଅକ୍ଟୋବର ୧୭ ତାରିଖରେ ସିସୋଦିଆଙ୍କୁ ଜେରା କରାଯାଇଥିଲା । ଏହି ମାମଲାରେ ସିବିଆଇ ମଦ ବ୍ୟବସାୟୀ ଓ କିଛି ମିଡିଲ୍ ମ୍ୟାନଙ୍କୁ ମିଶାଇ ୭ ଜଣଙ୍କ ନାଁରେ ଚାର୍ଜସିଟ୍ ଦାଖଲ କରିଛି ସିବିଆଇ । ଯେଉଁଥିରେ ମନ୍ତ୍ରୀଙ୍କୁ ଅଭିଯୁକ୍ତ ବୋଲି ତାଲିକାଭୁକ୍ତ କରାଯାଇ ନଥିଲା ।
ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲ ୨୪ ଫେବୃଆରୀରେ ଏକ ପ୍ରେସ୍ ମିଟ୍ରେ ଯୋଗ ଦେଇଥିଲେ। ଏହି କାର୍ଯ୍ୟକ୍ରମରେ ଅରବିନ୍ଦ କେଜ୍ରିୱାଲ ଦାବି କରିଥିଲେ, ସିବିଆଇ ରବିବାର ମନୀଷ ସିସୋଦିଆଙ୍କୁ ଗିରଫ କରିବ। କେଜ୍ରିୱାଲ କହିଛନ୍ତି, ସିବିଆଇ ରବିବାର ମନୀଷ ସିସୋଦିଆଙ୍କୁ ଡାକିଛି। ଆଉ ଏହି ସମୟରେ ହୁଏତ ତାଙ୍କୁ ଗିରଫ କରିପାରେ ସିବିଆଇ ।
ସୂଚନା ମୁତାବକ, ଗତ ରବିବାର ମଧ୍ୟ ପଚରାଉଚରା ପାଇଁ ସିବିଆଇ ମନୀଷ ସିସୋଦିଆଙ୍କୁ ଡାକିଥିଲା, କିନ୍ତୁ ବଜେଟ୍ ଥିବାରୁ ସେ ଉପସ୍ଥିତ ହେଇପାରିବେ ନାହିଁ ସୂଚନା ଦେଇଥିଲେ । ଯାହା ପରେ ଏଜେନ୍ସି ତାଙ୍କୁ ଫେବୃଆରୀ ୨୬ ରେ ହାଜର ହେବାକୁ କହିଥିଲେ।