ମନୀଷ ସିସୋଦିଆ କୋର୍ଟରେ କଲେ ଆବେଦନ, ଲୋକସଭା ନିର୍ବାଚନରେ ପ୍ରଚାର ପାଇଁ ମାଗିଲେ ମଧ୍ୟବର୍ତ୍ତୀକାଳୀନ ଜାମିନ

ମଦ ଦୁର୍ନୀତି ମାମଲାରେ ଦିଲ୍ଲୀର ପୂର୍ବତନ ଡେପୁଟି ସିଏମ୍ ମନୀଷ ସିସୋଦିଆ ଶୁକ୍ରବାର ରାଉସ୍ ଆଭେନ୍ୟୁ କୋର୍ଟରେ ମଧ୍ୟବର୍ତ୍ତୀକାଳୀନ ଜାମିନ ଆବେଦନ କରିଛନ୍ତି ।

ମଦ ଦୁର୍ନୀତି ମାମଲାରେ ଦିଲ୍ଲୀର ପୂର୍ବତନ ଡେପୁଟି ସିଏମ୍ ମନୀଷ ସିସୋଦିଆ ଶୁକ୍ରବାର ରାଉସ୍ ଆଭେନ୍ୟୁ କୋର୍ଟରେ ମଧ୍ୟବର୍ତ୍ତୀକାଳୀନ ଜାମିନ ଆବେଦନ କରିଛନ୍ତି । ସିସୋଦିଆ ନିଜ ଆବେଦନରେ ଲୋକସଭା ନିର୍ବାଚନରେ ପ୍ରଚାର କରିବା ପାଇଁ ମଧ୍ୟବର୍ତ୍ତୀକାଳୀନ ଜାମିନ ମାଗିଛନ୍ତି । ଆପ୍‌ ନେତାଙ୍କ ଆବେଦନ ଉପରେ ଅପରାହ୍ନ ୨ଟାରେ ଶୁଣାଣି ହେବ ।

ଦିଲ୍ଲୀର ପୂର୍ବତନ ଡେପୁଟି ସିଏମ୍ ସିସୋଦିଆ ରାଉସ୍ ଆଭେନ୍ୟୁ କୋର୍ଟରେ ଲୋକସଭା ନିର୍ବାଚନରେ ପ୍ରଚାର ନିମନ୍ତେ ମଧ୍ୟବର୍ତ୍ତୀକାଳୀନ ଜାମିନ ପାଇଁ ଉଭୟ ଇଡି ଏବଂ ସିବିଆଇ ମାମଲାରେ ଆବେଦନ ଦାଖଲ କରିଛନ୍ତି । ସେପଟେ ସିବିଆଇ ମାମଲାରେ ଶୁଣାଣି କରି କୋର୍ଟ ସିସୋଦିଆଙ୍କ ନ୍ୟାୟିକ ହେପାଜତକୁ ଏପ୍ରିଲ ୨୪ ପର୍ଯ୍ୟନ୍ତ ବଢ଼ାଇ ଦେଇଛନ୍ତି ।

ସିସୋଦିଆଙ୍କ ଜାମିନ ଆବେଦନ ଉପରେ ବୁଧବାର ରାଉସ୍ ଆଭେନ୍ୟୁ କୋର୍ଟରେ ଶୁଣାଣି ହୋଇଥିଲା । ଏହି ସମୟରେ ଇଡି ଜାମିନ ଆବେଦନକୁ ବିରୋଧ କରି କହିଥିଲା କି, ଆମ ପାଖରେ ପ୍ରମାଣ ଅଛି ଯେ ମନୀଷ ସିସୋଦିଆ ଏକ୍ସପର୍ଟଙ୍କ ରିପୋର୍ଟରୁ ବିଚ୍ୟୁତ ହେବା ପାଇଁ ଇମେଲ କରିଛନ୍ତି । କୋର୍ଟ ଉଭୟ ପକ୍ଷର ଯୁକ୍ତି ଶୁଣିବା ପରେ ପରବର୍ତ୍ତୀ କାର୍ଯ୍ୟପ୍ରକ୍ରିୟା ପାଇଁ ଏପ୍ରିଲ୍ ୧୫ ତାରିଖ ଧାର୍ଯ୍ୟ କରିଛନ୍ତି ।

ସୂଚନାଯୋଗ୍ୟ, ୨୦୨୧ ମାର୍ଚ୍ଚ ୨୨ରେ ମନୀଷ ସିସୋଦିଆ ନୂତନ ମଦ ନୀତି ଘୋଷଣା କରିଥିଲେ । ୨୦୨୧ ନଭେମ୍ବର ୧୭ରେ ନୂତନ ମଦ ନୀତି ଅର୍ଥାତ୍‌ ଏକ୍ସାଇଜ୍ ପଲିସି ୨୦୨୧-୨୨ ଲାଗୁ କରାଯାଇଥିଲା । ନୂତନ ନୀତି ଆସିବା ପରେ ସରକାର ମଦ ବ୍ୟବସାୟରୁ ବାହାରି ଆସିଥିଲେ ଏବଂ ପୂରା ମଦ ଦୋକାନ ଘରୋଇ ହାତକୁ ଚାଲିଯାଇଥିଲା ।

ନୂତନ ନୀତି ଆଣିବା ପଛରେ ସରକାରଙ୍କ ତର୍କ ଥିଲା ଯେ ଏହାଦ୍ୱାରା ମାଫିଆ ରାଜ୍‌ ଶେଷ ହେବ ଏବଂ ସରକାରଙ୍କ ରାଜସ୍ୱ ବୃଦ୍ଧି ପାଇବ । ତେବେ ନୂତନ ନୀତି ଆରମ୍ଭରୁ ହିଁ ବିବାଦ ଲାଗି ରହିଥିଲା । ଯେତେବେଳେ ବିବାଦ ଅଧିକ ବଢ଼ିଥିଲା, ୨୦୨୨ ଜୁଲାଇ ୨୮ରେ ସରକାର ନିଜର ମଦ ନୀତିକୁ ରଦ୍ଦ କରି ପୁନର୍ବାର ପୁରୁଣା ନୀତି କାର୍ଯ୍ୟକାରୀ କରିଥିଲେ ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.