#Me Too ମୁଭମେଣ୍ଟର ଚକ୍ରବ୍ୟୂହରେ ଚେତନ ଭଗତ, ସୋସିଆଲ ମିଡିଆରେ ଘୁରି ବୁଲୁଛି ପ୍ରେମ ନିବେଦନର ମେସେଜ୍

ମୁହଁ ଖୋଲୁଛନ୍ତି ମହିଳା । ନିଡର ହୋଇ କହୁଛନ୍ତି ସହିଥିବା ନିର୍ଯାତନା କଥା। ସାରା ବିଶ୍ୱରେ ଚାଲିଛି #Me Too ଅଭିଯାନ। ଭାରତରେ ଏବେ କିଛି ଦିନ ହେଲା, ଏ ଅଭିଯାନ ଜୋର ଧରିଛି। ଏହାକୁ ଆରମ୍ଭ କରିଥିଲେ ଅଭିନେତ୍ରୀ ତନୁଶ୍ରୀ ଦତ୍ତା। ଆମେରିକାରେ ରହୁଥିବା ତନୁଶ୍ରୀ ଭାରତ ଆସି ୧୦ ବର୍ଷର ତଳର ପୁରୁଣା ଦୁଃଖ କହିଥିଲେ। ଜାତୀୟ ଚଳଚ୍ଚିତ୍ର ପୁରସ୍କାର ପ୍ରାପ୍ତ ନାନା ପାଟେକରଙ୍କୁ ଆକ୍ଷେପ କଲେ। ହର୍ଣ୍ଣ ଓକେ ପ୍ଲିଜ୍‌ ସିନେମାର ସୁଟିଂରେ ନାନା ତାଙ୍କୁ ଅସଦାଚରଣ ପ୍ରଦର୍ଶନ କରିଥିବା କହିଥିଲେ। ଥାନାରେ ମଧ୍ୟ ଏତଲା ହୋଇଛି। ଏହାକୁ ନେଇ ନାନା କିନ୍ତୁ ନା କହୁଛନ୍ତି। କହିଛନ୍ତି ୧୦ ବର୍ଷ ତଳେ ଏହା ମିଥ୍ୟା ବୋଲି କହି ସାରିଛନ୍ତି । ବର୍ତ୍ତମାନ ବି ଏ ଅଭିଯୋଗ ମିଥ୍ୟା ।

ତନୁଶ୍ରୀଙ୍କ ଅଭିଯୋଗ ପରଠାରୁ, #Me Too ମୁଭମେଣ୍ଟ ତୀବ୍ର ହେଉଛି । ମହିଳା ଆଗକୁ ଆସି ନାଁ ଧରି ଅଭିଯୋଗ କରୁଛନ୍ତି । ବଲିଉଡର ନାଁ କରା ବ୍ୟକ୍ତିଙ୍କ ସହ ସାମ୍ବାଦିକ, ଲେଖକ ସମସ୍ତଙ୍କ ବିରୋଧରେ ଅଭିଯୋଗ ଆସିଲାଣି । ଲେଖକ ଚେତନ ଭଗତ ଜଣେ ମହିଳାଙ୍କୁ ପ୍ରେମ ନିବେଦନ କରିଥିଲେ। ହ୍ଵାଟ୍‌ସ ଆପ୍‌ର ସେହି ପୁରୁଣା ବାର୍ତ୍ତାଳାପ ଏବେ ସୋସିଆଲ ମିଡିଆରେ ଘୁରି ବୁଲୁଛି। ଚେତନ ଭଗତ ତୁରନ୍ତ ଭୁଲ ବୁଝି, କ୍ଷମା ମାଗି ନେଲେ ।

bikashମହିଳା ସଶକ୍ତୀକରଣକୁ ନେଇ ନିର୍ମିତ ସିନେମା କୁଇନ୍‌ର ନିର୍ଦ୍ଦେଶକ ବିକାଶ ବହଲ। ସେ ମଧ୍ୟ #Me Too ମୁଭମେଣ୍ଟର ଚକ୍ରବ୍ୟୂହ ଭିତରେ । ଫାଣ୍ଟମ ପ୍ରଡକ୍ସନ ହାଉସରେ କାମ କରୁଥିବା ଜଣେ ମହିଳା କର୍ମଚାରୀ, ତାଙ୍କ ବିରୋଧରେ ଅସଦାଚରଣ ଅଭିଯୋଗ ଆଣିଛନ୍ତି । ସଂପୃକ୍ତଙ୍କ ମହିଳାଙ୍କ କଥାକୁ ସମର୍ଥନ କରିଛନ୍ତି, କୁଇନର ତାରକା କଙ୍ଗନା ରଣାୱତ । ଫାଣ୍ଟମ ପ୍ରଡକ୍ସନ ହାଉସର ସହ ପ୍ରତିଷ୍ଠାତା ହେଉଛନ୍ତି, ଅନୁରାଗ କାଶ୍ୟପ, ବିକ୍ରମାଦିତ୍ୟ ମୋଟୱାନୀ, ମଧୁ ମନ୍ତୋନ ଓ ବିକାଶ ବହଲ । ଏହି ଅଭିଯୋଗ ପରେ ତୁରନ୍ତ ଦୁଃଖ ପ୍ରକାଶ କରି ଫାଣ୍ଟମ ପ୍ରଡକ୍ସନ ହାଉସ ବନ୍ଦ କଥା କହିଛନ୍ତି ଅନୁରାଗ କାଶ୍ୟପ ।

ଗୌତମ ଅଧିକାରୀଙ୍କ ନାଁରେ ଅଭିଯୋଗ

me too

ସେହିପରି ଜଣେ ମହିଳା ସାମ୍ବାଦିକ, ଟାଇମ୍ସ ଅଫ ଇଣ୍ଡିଆରେ ପୂର୍ବତନ ଏକ୍‌ଜିକ୍ୟୁଟିଭ୍‌ ଏଡିଟର ତଥା ଡିଏନ୍‌ଏରେ ପୂର୍ବତନ ଏଡିଟର ଇନ୍‌ ଚିଫ ଗୌତମ ଅଧିକାରୀଙ୍କ ନାଁରେ ଅଭିଯୋଗ ଆଣିଛନ୍ତି । ଏ ପ୍ରସଙ୍ଗରେ ଅଧିକାରୀ କିନ୍ତୁ କୌଣସି ପ୍ରତିକ୍ରିୟା ରଖିନାହାଁନ୍ତି । ଧିରେଧିରେ ହୋଇ ମହିଳା ମୁହଁ ଖୋଲି, ହାଇ ଆଣ୍ଡ ପାୱରଫୁଲ୍‌ ବ୍ୟକ୍ତିଙ୍କୁ କାଠଗଡ଼ାରେ ଠିଆ କରାଉଛନ୍ତି। ହଲିଉଡ୍‌ରେ ଗତ ବର୍ଷ ଆରମ୍ଭ ହୋଇଥିଲା #Me Too ମୁଭମେଣ୍ଟ। ଏହା ସାରା ବିଶ୍ୱକୁ ବ୍ୟାପିଛି । ଏବେ ଭାରତରେ ମଧ୍ୟ ମହିଳା, ନିଜସ୍ୱ #Me Too ମୂହୁର୍ତ୍ତ ସୃଷ୍ଟି କରିଛନ୍ତି। ପୁରୁଷ ପ୍ରାଧାନ୍ୟ ସମାଜ ସହ ମୁକାବିଲା କରିବାକୁ ନିଜକୁ ପ୍ରସ୍ତୁତ କରିଛନ୍ତି।

ପଦ ହରାଇଲେ ହିନ୍ଦୁସ୍ତାନ ଟାଇମ୍ସର ବ୍ୟୁରୋ ଚିଫ୍‌ ତଥା ପଲିଟିକାଲ୍‌ ଏଡିଟର ପ୍ରଶାନ୍ତ ଝା 

#Me Too ଅଭିଯାନ ପରେ ମହିଳା ଅସଦାଚରଣ ନେଇ ଅନେକ ଘଟଣା ସାମ୍‌ନାକୁ ଆସୁଛି । ଅସଦାଚରଣ ଅଭିଯୋଗରେ ପଦ ହରାଇଛନ୍ତି ହିନ୍ଦୁସ୍ତାନ ଟାଇମ୍ସର ବ୍ୟୁରୋ ଚିଫ୍‌ ତଥା ପଲିଟିକାଲ୍‌ ଏଡିଟର ପ୍ରଶାନ୍ତ ଝା । ତାଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ନିଆଯାଇଛି । ଏବେ ପ୍ରଶାନ୍ତ ଝା ଜଣେ ରିପୋର୍ଟର ଭାବରେ କାମ କରିବେ । ଜଣେ ପୂର୍ବତନ କର୍ମଚାରୀଙ୍କୁ ସେ ଅସଦାଚରଣ କରିଥିବା ଅଭିଯୋଗ ହୋଇଛି । ଆଇନଜୀବୀ ଅବନ୍ତିକା ମେହେଟ୍ଟାଙ୍କୁ ହ୍ଵାଟ୍ସଆପ୍‌ରେ ଅଶାଳୀନ ମେସେଜ୍‌ ବି କରିଥିଲେ ପ୍ରଶାନ୍ତ ଝା । #Me Too କ୍ୟାମ୍ପେନ୍‌ରେ ତନୁଶ୍ରୀ ମୁହଁ ଖୋଲିବା ପରେ ପ୍ରଶାନ୍ତଙ୍କ ସମ୍ପର୍କରେ ଖୁଲାସା କରିଥିଲେ ଅବନ୍ତିକା । ପ୍ରଶାନ୍ତ ପଠାଇଥିବା ଆପତ୍ତିଜନକ ମେସେଜକୁ ସେ ପୋଷ୍ଟ କରିଥିଲେ । ଏହାପରେ ପ୍ରଶାନ୍ତଙ୍କ ବିରୋଧରେ ଆଗକୁ ଆସିଥିଲେ ଜଣେ ପୂର୍ବତନ କର୍ମଚାରୀ । ଶେଷରେ ସେ ହିନ୍ଦୁସ୍ତାନ ଟାଇମ୍ସର ପଲିଟିକାଲ୍‌ ଏଡିଟର ଓ ଚିଫ୍‌ ବ୍ୟୁରୋ ପଦରୁ ବିଦା ହୋଇଛନ୍ତି ପ୍ରଶାନ୍ତ ଝା ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.