ମବ୍ ଲିଞ୍ଚିଂ ନେଇ କେନ୍ଦ୍ର ଗୃହ ମନ୍ତ୍ରାଳୟର ଆଡଭାଇଜରି : ପିଲା ଚୋରି, ଗୋହତ୍ୟା ସନ୍ଦେହରେ ହିଂସାକାଣ୍ଡ କଲେ ଦୃଢ଼ କାର୍ୟ୍ୟାନୁଷ୍ଠାନ

ନୂଆଦିଲ୍ଲୀ: ଉତ୍ତ୍ୟକ୍ତ ଲୋକଙ୍କ ଦ୍ୱାରା ହିସାଂକାଣ୍ଡ ବା ଭିଡ଼ହିଂସା ବା ମବ୍‌ ଲିଞ୍ଚିଙ୍ଗ୍‌ ନେଇ ଲୋକସଭାରେ ହଙ୍ଗାମା । କେନ୍ଦ୍ର ସରକାର ଗଠନ କରିଥିବା ଉଚ୍ଚସ୍ତରୀୟ କମିଟିକୁ ନେଇ ସଂସଦରେ ବିରୋଧୀ ହୋହଲ୍ଲା କରିଛନ୍ତି । ବରିଷ୍ଠ କଂଗ୍ରେସ ନେତା ମଲ୍ଲିକାର୍ଜୁନ ଖର୍ଗେ ରାଜସ୍ଥାନ ଅଲୱାର ମବ୍‌ ଲିଞ୍ଚିଙ୍ଗ୍‌ ପ୍ରସଙ୍ଗ ଉଠାଇ ସରକାରଙ୍କୁ ଟାର୍ଗେଟ କରିଥିଲେ । ଅଲୱାରରେ ଗୋ ଚାଲଣ ସନ୍ଦେହରେ ଉତ୍ତ୍ୟକ୍ତ ଲୋକଙ୍କ ଆକ୍ରମଣରେ ରକବର ଖାନଙ୍କର ମୃତ୍ୟୁ ଘଟିଥିଲା । ଏହି ଘଟଣା ଉଠାଇ ଦୋଷୀଙ୍କ ବିରୋଧରେ ଦୃଢ଼ କାର୍ୟ୍ୟାନୁଷ୍ଠାନ ଦାବି କରିଥିଲେ ଖର୍ଗେ । ସେ କହିଥିଲେ, ମବ୍‌ ଲିଞ୍ଚିଙ୍ଗ୍‌ ଘଟଣାର ଅନୁଧ୍ୟାନ ପାଇଁ ଗଠିତ ସଚିବସ୍ତରୀୟ କମିଟିରୁ କିଛି ସୁଫଳ ମିଳିବ ନାହିଁ । ସୁପ୍ରିମକୋର୍ଟ ବିଚାରପତିଙ୍କ ଦ୍ୱାରା ଘଟଣାର ତଦନ୍ତ ପାଇଁ ସେ ଦାବି କରିଛନ୍ତି ।

ସେପଟେ ବିରୋଧୀଙ୍କ ଅଭିଯୋଗର ଜବାବ ରଖିଛନ୍ତି କେନ୍ଦ୍ର ଗୃହମନ୍ତ୍ରୀ ରାଜନାଥ ସିଂହ । ସେ କହିଛନ୍ତି, ଏଭଳି ସମ୍ବେଦନଶୀଳ ଘଟଣାକୁ ନେଇ ରାଜନୀତି କରା ନଯାଉ । ଯଦି ଆବଶ୍ୟକ ପଡ଼େ, ତେବେ ସରକାର ସ୍ୱତନ୍ତ୍ର ଆଇନ ଆଣିବେ । ମବ୍‌ ଲିଞ୍ଚିଙ୍ଗ୍‌ ଘଟଣାର ଅନୁଧ୍ୟାନ ପାଇଁ କେନ୍ଦ୍ର ସରକାର ଦୁଇଟି କମିଟି ଗଠନ କରିଛନ୍ତି । କେନ୍ଦ୍ର ଗୃହ ସଚିବଙ୍କ ଅଧ୍ୟକ୍ଷତାରେ ଏକ ୪ ଜଣିଆ ଉଚ୍ଚସ୍ତରୀୟ କମିଟି ଗଠନ କରାଯାଇଛି । ଏହାସହ କେନ୍ଦ୍ର ଗୃହମନ୍ତ୍ରୀଙ୍କ ଅଧ୍ୟକ୍ଷତାରେ ଆଉ ଏକ ମନ୍ତ୍ରିସ୍ତରୀୟ କମିଟି ଗଠନ ହୋଇଛି । ଦେଶରେ ମବ୍‌ ଲିଞ୍ଚିଙ୍ଗ୍‌ ବଢ଼ି ଚାଲିଛି। ଉତ୍ତ୍ୟକ୍ତ ଲୋକଙ୍କ ଦ୍ୱାରା ହିଂସାକୁ ନେଇ ସୁପ୍ରିମକୋର୍ଟ କଡ଼ା ଆପତ୍ତି ଉଠାଇଥିଲେ। ନୂଆ ଆଇନ ପ୍ରଣୟନ ନେଇ ବିଚାର କରିବାକୁ କହିଥିଲେ ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.