ବଜେଟ୍‌ ଅଧିବେଶନ ପୂର୍ବରୁ ବଦଳିପାରେ ମୋଦିଙ୍କ ଟିମ୍‌: କାଲିଠୁ ଦିଲ୍ଲୀରେ ବିଜେପି କାର୍ଯ୍ୟକାରଣୀ

କେନ୍ୟୁଜ୍(ବ୍ୟୁରୋ): ୨୦୨୪ ଏଜେଣ୍ଡା ପ୍ରସ୍ତୁତ କରିବ କରିବ ବିଜେପି। ଏହାସହ ଚଳିତ ବର୍ଷ ୧୦ ରାଜ୍ୟରେ ହେବାକୁ ଥିବା ନିର୍ବାଚନ ପାଇଁ ପ୍ରସ୍ତୁତ ହେବ ରଣନୀତି। କାଲିଠାରୁ ଦିଲ୍ଲୀରେ ବିଜେପିର ୨ ଦିନିଆ ରାଷ୍ଟ୍ରୀୟ କାର୍ଯ୍ୟକାରିଣୀ। ଅର୍ଥନୈତିକ, ରାଜନୈତିକ ଓ ଜନକଲ୍ୟାଣକାରୀ ଯୋଜନା ଉପରେ ହେବ ଆଲୋଚନା। ଆସନ୍ତା ୨୦ରେ ରାଷ୍ଟ୍ରୀୟ ଅଧ୍ୟକ୍ଷ ଜେ ପି ନଡ୍ଡାଙ୍କ କାର୍ଯ୍ୟକାଳ ସରୁଛି। ଚର୍ଚ୍ଚା ହେଉଛି ତାଙ୍କ କାର୍ଯ୍ୟକାଳ ୨୦୨୪ ଲୋକସଭା ନିର୍ବାଚନ ପାଇଁ ବୃଦ୍ଧି କରାଯାଇ ପାରେ।

ସେପଟେ ରାଷ୍ଟ୍ରୀୟ କାର୍ଯ୍ୟକାରିଣୀ ପରେ ବଦଳିପାରେ କେନ୍ଦ୍ର ମନ୍ତ୍ରିମଣ୍ଡଳ। ପୂର୍ବରୁ ଚର୍ଚ୍ଚା ହେଉଥିଲା, ମକର ସଂକ୍ରାନ୍ତୀରୁ ବଜେଟ୍‌ ଅଧିବେଶନ ମଧ୍ୟରେ କେନ୍ଦ୍ର ମନ୍ତ୍ରିମଣ୍ଡଳରେ ଦେଖିବାକୁ ମିଳିପାରେ ପରିବର୍ତ୍ତନ। ବିଜେପିର ସଂଗଠନ ଏବଂ ଯେଉଁ ରାଜ୍ୟଗୁଡିକରେ ଚଳିତ ବର୍ଷ ନିର୍ବାଚନ ରହିଛି ତାକୁ ଦୃଷ୍ଟିରେ ରଖି ଏହି ଅଦଳବଦଳ ହୋଇପାରେ।

ଚର୍ଚ୍ଚା ହେଉଛି ପରିବର୍ତ୍ତନରେ ଓଡ଼ିଶାରୁ ଆଉ ଜଣେ ସାଂସଦଙ୍କୁ ମନ୍ତ୍ରିମଣ୍ଡଳରେ ସ୍ଥାନ ପାଇ ପାରନ୍ତି। ପଶ୍ଚିମ ଓଡ଼ିଶାରୁ ଜଣେ ସାଂସଦଙ୍କୁ ମିଳିପାରେ ମନ୍ତ୍ରୀ ପଦ। ପଶ୍ଚିମ ଓଡ଼ିଶାରୁ ଅଛନ୍ତି ୫ ସାଂସଦ, ଜୁଏଲ ଓରାମ, ସୁରେଶ ପୂଜାରୀ, ସଂଗୀତା ସିଂହଦେଓ, ନୀତେଶ ଗଙ୍ଗଦେବ ଓ ବସନ୍ତ ପଣ୍ଡା। ରେସ୍‌ରେ ଆଗରେ ଅଛନ୍ତି ବରଗଡ଼ ସାଂସଦ ସୁରେଶ ପୂଜାରୀ ଓ ବଲାଙ୍ଗୀର ସାଂସଦ ସଂଗୀତା ସିଂହଦେଓ। ମନ୍ତ୍ରିମଣ୍ଡଳ ପ୍ରସଙ୍ଗରେ କେନ୍ଦ୍ରୀୟ ନେତୃତ୍ୱ ରାଜ୍ୟର ଶୀର୍ଷ ନେତୃତ୍ୱଙ୍କ ସହ ଆଲୋଚନା କରି ସାରିଛନ୍ତି। କେଉଁମାନଙ୍କୁ ମନ୍ତ୍ରିମଣ୍ଡଳରେ ସ୍ଥାନ ଦିଆଯିବ ତାର ସମ୍ଭାବ୍ୟ ତାଲିକା ପ୍ରସ୍ତୁତ ହୋଇଯାଇଛି। କିନ୍ତୁ ଏ ପ୍ରସଙ୍ଗରେ କେହି ମୁହଁ ଖୋଲୁ ନାହାନ୍ତି।

ପରିବର୍ତ୍ତନର ମାପଦଣ୍ଡ କାର୍ଯ୍ୟଦକ୍ଷତା ହେବ ନାହିଁ। ଆଗକୁ ଯେଉଁ ରାଜ୍ୟରେ ନିର୍ବାଚନ ହେବାକୁ ଅଛି ସେଠାକାର ସାଂସଦଙ୍କୁ ମନ୍ତ୍ରିମଣ୍ଡଳରେ ସାମିଲ କରାଯାଇ ପାରେ। ଚଳିତ ବର୍ଷ ୧୦ଟି ରାଜ୍ୟରେ ନିର୍ବାଚନ ରହିଛି। ଏହି ରାଜ୍ୟ ମାନଙ୍କ ମଧ୍ୟରେ ପ୍ରମୁଖ ରହିଛି ମଧ୍ୟପ୍ରଦେଶ, କର୍ଣ୍ଣାଟକ, ତେଲେଙ୍ଗାନା, ଛତିଶଗଡ଼ ଓ ରାଜସ୍ଥାନ। ଅଦଳବଦଳରେ ସେହି ରାଜ୍ୟଗୁଡିକୁ ମିଳିପାରେ ଗୁରୁତ୍ୱ। ମନ୍ତ୍ରିମଣ୍ଡଳରେ ଲୋକସଭା ସାଂସଦଙ୍କୁ ଗୁରୁତ୍ୱପୂର୍ଣ୍ଣ ବିଭାଗ ମିଳିପାରେ। ରାଜ୍ୟସଭାରୁ ଥିବା ମନ୍ତ୍ରୀଙ୍କୁ ବିଜେପି ସଂଗଠନରେ ଗୁରୁତ୍ୱପୂର୍ଣ୍ଣ ଦାୟିତ୍ୱ ଦିଆଯିବ। ମହିଳା ଓ ସଂରକ୍ଷିତ ବର୍ଗର ସାଂସଦଙ୍କ ସଂଖ୍ୟା ମନ୍ତ୍ରିମଣ୍ଡଳରେ ବଢିପାରେ। ୨୦୨୪ ଲୋକସଭା ନିର୍ବାଚନ ପୂର୍ବରୁ ମନ୍ତ୍ରିମଣ୍ଡଳରେ ଶେଷ ପରିବର୍ତ୍ତନ ହେବାକୁ ଯାଉଛି। ଏହାସହ ସବୁ ସାଂସଦଙ୍କୁ ବିଭିନ୍ନ ଲୋକସଭା କ୍ଷେତ୍ର ପାଇଁ ଗୁରୁ ଦାୟିତ୍ୱ ଦିଆଯିବ ବୋଲି ଚର୍ଚ୍ଚା ହେଉଛି

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.