ମଧ୍ୟ ପ୍ରଦେଶର ‘ପଥର ମାଡ଼’ ମେଳା; ୧୫୦ରୁ ଅଧିକ ଲୋକ ଆହତ! ଏ ପର୍ଯ୍ୟନ୍ତ ଗଲାଣି ୧୬ ଜଣଙ୍କ ଜୀବନ

ମଧ୍ୟ ପ୍ରଦେଶର ଛିନ୍ଦଓ୍ଵାଡା ଜିଲ୍ଲାର ପାଢ଼ୁର୍ଣ୍ଣାରେ ପ୍ରତିବର୍ଷ ଆୟୋଜିତ ହୋଇଥାଏ ପ୍ରସିଦ୍ଧ ‘ପଥର ମାଡ଼’ ମେଳା। ଏଥର ମଧ୍ୟ ଏହା ଶନିବାର ପୂର୍ବାହ୍ନ ୧୧ଟାରେ ଆରମ୍ଭ ହୋଇଥିଲା। ଦ୍ୱିପ୍ରହର ବେଳକୁ ପଥର ମାଡ଼ରେ ପାଖାପାଖି ଦେଢ଼ ଶହରୁ ଅଧିକ ଲୋକ ଆହତ ହୋଇଥିବା ଖବର ରହିଥିଲା। ଅଢ଼େଇ ଶହ ବର୍ଷ ପୁରୁଣା ଏହି ଖେଳରେ ସାଓ୍ଵରଗାଁ ଓ ପାଢ଼ୁର୍ଣ୍ଣାର ଲୋକେ ପରସ୍ପରକୁ ପଥର ମାଡ଼ କରିଥିଲେ।

ମେଳା ଇତିହାସରେ ଏ ପର୍ଯ୍ୟନ୍ତ ଏଥିରେ ୧୬ ଜଣଙ୍କ ଜୀବନ ଗଲାଣି। ତଥାପି ପରମ୍ପରା ନାଁରେ ଏହି ଖେଳ ଖେଳାଯାଇ ଆସୁଛି। ଛିନ୍ଦଓ୍ଵାଡା ଜିଲ୍ଲା ମୁଖ୍ୟାଳୟରୁ ପାଖାପାଖି ୭୦ କିଲୋମିଟର ଦୂରରେ ଏହି ଖେଳର ଆୟୋଜନ କରାଯାଇଥାଏ। ଏହାକୁ କହ୍ନାନ ନଦୀ କୂଳରେ ଖେଳାଯାଇଥାଏ।

ଏହି ଭୟଙ୍କର ଖେଳରେ ସାଓ୍ଵରଗାଁ ଓ ପାଢ଼ୁର୍ଣ୍ଣାର ଲୋକେ ଭାଗ ନେଇ ଥାଆନ୍ତି। ତେବେ ଏଥିରେ କିଏ କେତେ ଆହତ ହେଲା, ସେଥିରେ କାହାର କିଛି ଫରକ୍‌ ପଡ଼େ ନାହିଁ। ଖେଳ ଆରମ୍ଭର ଦିନକ ପୂର୍ବରୁ ନଦୀ ପାଖରେ ଛୋଟ ଛୋଟ ପଥର ଜମା କରାଯାଇଥାଏ, ଯେପରି ଲୋକମାନଙ୍କୁ ପଥରର ଅଭାବ ନ ପଡ଼େ। ଏଥର ମଧ୍ୟ ଏପରି ବ୍ୟବସ୍ଥା ହୋଇଥିଲା।

ପୋଲିସ ଓ ପ୍ରଶାସନ ଏହି ଖେଳକୁ ବନ୍ଦ କରିବାକୁ କିମ୍ବା ଏହାର ସ୍ୱରୂପ ବଦଳାଇବାକୁ ବାରମ୍ବାର ଚେଷ୍ଟା କରିଆସୁଥିଲେ ମଧ୍ୟ ସେମାନଙ୍କୁ ସଫଳତା ମିଳିପାରି ନାହିଁ। ପରମ୍ପରା ନାମରେ ଲୋକେ ପ୍ରଶାସନର କଥା ଶୁଣିବାକୁ ପ୍ରସ୍ତୁତ ନାହାନ୍ତି। ଥରେ ପ୍ରଶାସନ ଲୋକଙ୍କୁ ଏହି ଖେଳ ଖେଳିବା ପାଇଁ ରବର ବଲ୍‌ ଦେଇଥିଲା, ହେଲେ ଏହାକୁ ବ୍ୟବହାର କରିବାକୁ ଲୋକମାନେ ସିଧାସଳଖ ମନା କରି ଦେଇଥିଲେ।

କେବଳ ଏତିକି ନୁହେଁ, ପ୍ରଶସନ ଆହୁରି ବି ଅନେକ ପ୍ରୟାସ କରିଥିଲା। ଧ୍ୟାନ ଭଙ୍ଗ ପାଇଁ ‘ପଥର ମାଡ଼’ ଦିନ ବିଭିନ୍ନ ପ୍ରକାର ପ୍ରତିଯୋଗିତାର ମଧ୍ୟ ଆୟୋଜନ କରିଥିଲା, ତଥାପି ଲୋକେ କିଛି ଶୁଣି ନ ଥିଲେ। ଏହି କଥାକୁ ସେମାନେ କେବେ ବି ସ୍ୱୀକାର କରି ନ ଥିଲେ।

କୁହାଯାଏ, ଏହି ଖେଳ ପଛରେ ଏକ କିମ୍ବଦନ୍ତୀ ଯୋଡ଼ି ହୋଇଛି। ଲୋକଙ୍କ କହିବା ହେଲା, ପାଢ଼ୁର୍ଣ୍ଣାର ଏକ ପୁଅ ସାଓ୍ଵରଗାଁର ଏକ ଝିଅକୁ ଭଲପାଇ ବସିଥିଲା। ଉଭୟ ଗ୍ରାମବାସୀଙ୍କ ଇଚ୍ଛା ବିରୋଧରେ ସେମାନେ ଘରୁ ପଳାଇ ଯାଇଥିଲେ। ହେଲେ ନଦୀ ପାର୍‌ ସମୟରେ ଲୋକେ ସେମାନଙ୍କୁ ଦେଖି ନେଇଥିଲେ ଏବଂ ଉଭୟ ପକ୍ଷରୁ ପଥରମାଡ଼ କରିଥିଲେ। ଫଳରେ ସେହିଠାରେ ହିଁ ପ୍ରେମୀ ଯୁଗଳଙ୍କ ଜୀବନ ଚାଲିଯାଇଥିଲା। ସେହି ସମୟରୁ ଏହି ଖେଳ ଆରମ୍ଭ ହୋଇଥିବା ଗ୍ରାମବାସୀ କୁହନ୍ତି।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.