ଗାଁରେ ପଶି ଆଖିବୁଜା ଗୁଳିଚାଳନା କଲେ ଆତଙ୍କବାଦୀ, ୧୦୦ ଜଣଙ୍କ ମୃତ୍ୟୁ

ପଶ୍ଚିମ ଆଫ୍ରିକୀୟ ଦେଶ ନାଇଜରରେ କେତେକ ସନ୍ଦିଗ୍ଧ ଆତଙ୍କବାଦୀ ଦୁଇଟି ଗାଁରେ ଆକ୍ରମଣ କରି ୧୦୦ ଜଣଙ୍କୁ ହତ୍ୟା କରିଛନ୍ତି। ଟୋଣ୍ଡିକିବିଣ୍ଡିର ମେୟର ରବିବାର ଏହି ସୂଚନା ଦେଇଛନ୍ତି। ସ୍ଥାନୀୟ ସେନାଠାରୁ ମିଳିଥିବା ସୂଚନା ମୁତାବକ, ମାଲି ସହ ଲାଗିଥିବା ଗାଁରେ ଆତଙ୍କବାଦୀମାନେ ଆକ୍ରମଣ କରିଛନ୍ତି।
ଏ ନେଇ ମେୟର ଅଲମୋଓ ହସାନେ କହିଛନ୍ତି, ଚୋମା ବାଙ୍ଗାସ ଗାଁରେ ହୋଇଥିବା ଆକ୍ରମଣରେ ପ୍ରାୟ ୭୦ ଜଣଙ୍କ ଜୀବନ ଯାଇଛି। ସେହିପରି ଜାରୋମଦାରୋୟ ଗାଁରେ ହୋଇଥିବା ଆକ୍ରମଣରେ ୩୦ ଜଣଙ୍କ ମୃତ୍ୟୁ ହୋଇଛି ଓ ୭୫ ଜଣ ଗୁରୁତର ହୋଇଛନ୍ତି। ନାଇଜରରେ ରାଷ୍ଟ୍ରପତି ନିର୍ବାଚନର ପ୍ରଥମ ପର୍ଯ୍ୟାୟ ଫଳାଫଳ ଘୋଷଣା ବେଳେ ଏହି ଆକ୍ରମଣ ହୋଇଛି।
ଏହି ନିର୍ବାଚନର ଫଳାଫଳରେ ଶାସକ ଦଳର ନେତା ମହମ୍ମଦ ବାଜୋମ୍ ୩୯.୩୩ ପ୍ରତିଶତ ଭୋଟ୍ ସହ ଆଗୁଆ ଅଛନ୍ତି। ଫେବ୍ରୁଆରୀରେ ହେବାକୁ ଥିବା ନିର୍ବାଚନରେ ତାଙ୍କ ବିପକ୍ଷରେ ଲଢ଼ୁଛନ୍ତି ୧୭ ପ୍ରତିଶତ ଭୋଟ ପାଇଥିବା ପୂର୍ବ ରାଷ୍ଟ୍ରପତି ମହାମନେ ଉସ୍ମାନେ। ନାଇଜରରେ ୨୭ ଡିସେମ୍ବରରେ ରାଷ୍ଟ୍ରପତି ନିର୍ବାଚନ ପାଇଁ ପ୍ରଥମ ପର୍ଯ୍ୟାୟ ଭୋଟ୍ ଗ୍ରହଣ ହୋଇଥିଲା।