ଚରମ ଅବହେଳା: ସିଜରିୟାନ୍‌ ଡେଲିଭରି ପରେ ପ୍ରସୂତିଙ୍କ ପେଟରେ ଟାୱେଲ ଛାଡ଼ିଲେ ଡାକ୍ତରାଣୀ, ୭୭ ଦିନ ପରେ ଜଣାପଡ଼ିଲା ମାମଲା

ଡାକ୍ତରଙ୍କୁ ଦ୍ୱିତୀୟ ଭଗବାନ ବୋଲି କୁହାଯାଏ। ମାତ୍ର କାନପୁରରେ ଜଣେ ଡାକ୍ତର ରାକ୍ଷସ ଭଳି କାମ କରି ରୋଗୀକୁ ମରଣ ମୁହଁକୁ ଠେଲି ଦେଇଥିବା ଦେଖିବାକୁ ମିଳିଛି। କାନପୁରର କଲ୍ୟାଣପୁରର ଏକ ନର୍ସିଂହୋମ୍‌ରେ ଜଣେ ମହିଳା ଡାକ୍ତର ସିଜରିୟାନ୍‌ ଡେଲିଭରି କରିବା ପରେ ମହିଳାଙ୍କ ପେଟରେ ଟାୱେଲ ଭଳି ଏକ ସର୍ଜିକାଲ ପ୍ୟାଡ୍‌କୁ ଛାଡ଼ି ଦେଇଥିଲେ। ଏହି ସର୍ଜିକାଲ ପ୍ୟାଡ୍‌ ପ୍ରସୂତିଙ୍କ ପେଟରେ ୭୭ ଦିନ ଯାଏଁ ରହିଥିଲା। ଫଳରେ ଯନ୍ତ୍ରଣା ବଢ଼ିଥିଲା ଓ ମହିଳାଙ୍କ ଅବସ୍ଥା ଗୁରୁତର ହେବାକୁ ଲାଗିଥିଲା।

ରବିବାର ପ୍ରସୂତିଙ୍କ ପେଟରୁ ଟାୱେଲ ବାହାର କରାଯାଇଛି। ଏନେଇ ଡିଏମ୍‌ ଓ ସିଏମ୍‌ଓଙ୍କୁ ଅଭିଯୋଗ ମଧ୍ୟ କରାଯାଇଥିଲା। ମାତ୍ର ଏବେ ଯାଏଁ ଡାକ୍ତରାଣୀଙ୍କ ବିରୋଧରେ କୌଣସି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଇନାହିଁ।

ରିପୋର୍ଟ ମୁତାବକ, କାନପୁରର କଲ୍ୟାଣପୁରର ନ୍ୟୁ ଆଜାଦ୍‌ ନଗରର ବାସିନ୍ଦା ହିତେଶ ବାଜପେୟୀଙ୍କ ପତ୍ନୀ ରାବୀ(୩୦)ଙ୍କ ଡେଲିଭରି ୧୭ ଅକ୍ଟୋବରରେ ବଗିଆ କ୍ରସିଂର ଏକ ନର୍ସିଂହୋମ୍‌ରେ ହୋଇଥିଲା। ଡେଲିଭରି ପରେ ୧୦ ଦିନ ଯାଏଁ ଯନ୍ତ୍ରଣା ଲାଗି ରହିବାରୁ ତାଙ୍କୁ ପୁଣିଥରେ ମେଡିକାଲରେ ଭର୍ତ୍ତି କରାଯାଇଥିଲା। ଅଲଟ୍ରାସାଉଣ୍ଡ କରିବାରୁ ପେଟରେ ରକ୍ତ ଜମାଟ ବାନ୍ଧିଥିବା ଜଣାପଡ଼ିଥିଲା। ପରେ ତାଙ୍କର ଅପରେସନ୍‌ କରିବାକୁ ପେଟରୁ ସର୍ଜିକାଲ ପ୍ୟାଡ୍‌ ବା ଟାୱେଲ ବାହାରିଥିଲା। ଏହା ପରେ ରାବୀଙ୍କ ସ୍ୱାମୀ ସମ୍ପୃକ୍ତ ନର୍ସିଂହୋମ୍‌ କର୍ତ୍ତୃପକ୍ଷଙ୍କ ବିରୋଧରେ ଅଭିଯୋଗ କରି ନ୍ୟାୟ ମାଗିଛନ୍ତି।