ଇଞ୍ଜେକସନ୍‌ ରୂପେ ନୁହେଁ ଏବେ କ୍ୟାପ୍‌ସୁଲ ଭାବେ ମିଳିବ କରୋନା ଟିକା, ଇସ୍ରାଇଲ୍‌ କମ୍ପାନୀ ଆରମ୍ଭ କରୁଛି ମାନବ ପରୀକ୍ଷଣ

ଆଉ ଇଞ୍ଜେକସନ୍‌ ରୂପେ ନୁହେଁ, ଏବେ ବଟିକା ଭାବେ ମିଳିବ କରୋନା ଟିକା। ଇସ୍ରାଇଲର ଏକ କମ୍ପାନୀ ବଟିକା ବା କ୍ୟାପ୍‌ସୁଲ ଭାବେ କରୋନା ଟିକା ଦେବାକୁ ଯୋଜନା କରିଛି। ରିପୋର୍ଟ ମୁତାବକ, ତେଲ ଅବିବଠାରେ Oramed ନାମକ ଔଷଧ ନିର୍ମାତା କମ୍ପାନୀ ଓରାଲ କୋଭିଡ୍‌-୧୯ ଭ୍ୟାକ୍‌ସିନ୍‌ର ମାନବ ପରୀକ୍ଷଣ ଆରମ୍ଭ କରିବାକୁ ଯାଉଛି। ଏହା ଉପଲବ୍ଧ ହେବା ପରେ ଲୋକଙ୍କୁ ଆଉ ଇଞ୍ଜେକସନ୍‌ ନେବାର ଆବଶ୍ୟକତା ପଡ଼ିବ ନାହିଁ।

ଇସ୍ରାଇଲର ଔଷଧ ନିର୍ମାତା କମ୍ପାନୀ ଦ୍ୱାରା ପ୍ରସ୍ତୁତ ସିଙ୍ଗଲ ଡୋଜ୍‌ଯୁକ୍ତ ସମ୍ଭାବିତ ଭ୍ୟାକ୍‌ସିନ୍‌ର ବିକାଶ ଭାରତର ପ୍ରେମାସ ବାୟୋଟିକ୍‌ କରୁଛି। ଏ ନେଇ ମାର୍ଚ୍ଚ ମାସରେ କମ୍ପାନୀ ପକ୍ଷରୁ ଘୋଷଣା କରାଯାଇଥିଲା ଯେ ଟିକାର ପରୀକ୍ଷଣ ଘୁଷୁରୀଙ୍କ ଉପରେ ସଫଳ ଭାବେ ହୋଇଛି। ଏହାକୁ ଖୁବ୍‌ଶୀଘ୍ର ମାନବଙ୍କ ଉପରେ ପରୀକ୍ଷଣ କରାଯିବ।

ସୂଚନାଯୋଗ୍ୟ ସେ ଭାରତରେ କୋଭିସିଲ୍ଡ, କୋଭାକ୍ସିନ୍‌, ଫାଇଜର, ସ୍ପୁଟନିକ୍‌ ଭି ଆଦି ଟିକା ଦିଆଯାଉଛି। ଏହା ଦ୍ୱାରା ପାଖାପାଖି ୭୦ ପ୍ରତିଶତ ଲୋକ ଲାଭବାନ୍‌ ବି ହୋଇସାରିଲେଣି। ଏଣୁ ଆଗକୁ ଯଦି ଇଞ୍ଜେକସନ୍‌ ବଦଳରେ ବଟିକା ଆସେ ତେବେ କରୋନା ବିପକ୍ଷରେ ଲଢ଼େଇ ଜୋରଦାର ହୋଇପାରିବ। ଖାସ୍‌ କରି ଛୋଟ ପିଲାମାନେ ଇଞ୍ଜେକସନ୍‌କୁ ଡରୁଥିବାରୁ ସେମାନଙ୍କ ପାଇଁ ଏହା ଅଧିକ ଫଳପ୍ରଦ ସାବ୍ୟସ୍ତ ହେବ।