ଏଠି ଦିନରେ ନାଇଟି ପିନ୍ଧିଲେ ୨ ହଜାର ଟଙ୍କା ଜରିମାନା

ରାଜମହେନ୍ଦ୍ରି (ଆନ୍ଧ୍ର ପ୍ରଦେଶ): ନାଇଟିର ଅର୍ଥ ହେଉଛି ଏହାକୁ ରାତିରେ ପିନ୍ଧା ଯାଏ । ତେଣୁ ଦିନରେ ପିନ୍ଧିବା ମନା । ଯଦି କେହି ମହିଳା ଏହାକୁ ପିନ୍ଧନ୍ତି ତେବେ ଦେବାକୁ ହେବ ଜରିମାନା । ଏଭଳି ନିୟମ କରାଯାଇଛି ଏଠାକାର ଟୋକଲାପାଲୀ ଗାଁରେ । ଆନ୍ଧ୍ର ପ୍ରଦେଶ ଗୋଦାବରୀ ଜିଲ୍ଲାରେ ଥିବା ଏହି ଗାଁର ବୟସ୍କ ଲୋକମାନେ ବସି ଏଭଳି କଡ଼ା ନିୟମ କରିଛନ୍ତି । ସକାଳ ୭ଟାରୁ ରାତି ୭ଟା ଭିତରେ ନାଇଟି ପିନ୍ଧଲେ ୨୦୦୦ ଟଙ୍କା ଅର୍ଥଦଣ୍ଡ ଦେବାକୁ ହେବ । ଏହା ସହିତ କଥା ନିର୍ଦ୍ଦେଶ ମାନୁନଥିବା ମହିଳାଙ୍କ ସମ୍ପର୍କରେ ଯିଏ ଖବର ଦେବ ତାକୁ ୧୦୦୦ ଟଙ୍କା ପୁରସ୍କାର ଦିଆଯିବ ବୋଲି ମଧ୍ୟ ଘୋଷଣା କରାଯାଇଛି । ଯଦି ଦିନରେ ନାଇଟି ପିନ୍ଧିଥିବା ମହିଳା ଜରିମାନା ନଦିଅନ୍ତି ତେବେ ତାଙ୍କୁ ଗାଁରୁ ବାସନ୍ଦ କରାଯିବ ବୋଲି ମଧ୍ୟ ନିର୍ଦ୍ଦେଶ ରହିଛି । ତେବେ ଏ ସମ୍ପର୍କରେ କୌଣସି ସରକାରୀ ଅଧିକାରୀଙ୍କୁ ଯେମିତି କେହି ନକୁହନ୍ତି ସେ ନେଇ ମଧ୍ୟ କଡ଼ା ତାଗିଦ କରାଯାଇଛି ।

ଟୋକଲାପାଲୀ ହେଉଛି ମତ୍ସ୍ୟଜୀବୀଙ୍କ ଗାଁ । ଏଠି ମହିଳାମାନେ ନାଇଟି ପିନ୍ଧି ଲୁଗାପଟା କାଚିବା, ମିଟିଂକୁ ଯିବା ଆଦି ଘଟଣା କାହାକୁ ପସନ୍ଦ ଆସିନଥିଲା । ଏହା ପରେ ସରପଞ୍ଚ ଏବଂ ଅନ୍ୟ ବୟସ୍କ ବ୍ୟକ୍ତିମାନେ ବସି ଦିନରେ ଏହାକୁ ପିନ୍ଧିବା ଉପରେ ବ୍ୟାନ୍ ଲଗାଇଥିଲେ । ଏମିତିକି ଢୋଲ ବଜାଇ ଗାଁ ସାରା ଏହି ନିର୍ଦ୍ଦେଶ ଲାଗୁ ହେଲେ ବୋଲି ପ୍ରଚାର କରାଯାଇଥିଲା । ଗାଁରେ ପ୍ରାୟ ୨୪୦୦ ମହିଳା ରହୁଥିଲେ ମଧ୍ୟ କେହି ବି ଏହାର ବିରୋଧ କରିନଥିଲେ । ଓଲଟା ଏହି ନିଷ୍ପତ୍ତିରେ ସେମାନେ ସମ୍ମତି ପ୍ରଦାନ କରି ନିୟମକୁ ମାନିବେ ବୋଲି କହିଛନ୍ତି ।

 

Leave A Reply

Your email address will not be published.