ଆସନ୍ତାକାଲି ଆସିବ ନିର୍ଭୟା ରାୟ, ଡେଥ୍‌ ଓ୍ଵାରେଣ୍ଟ ଉପରେ ରହିତାଦେଶ ପ୍ରସଙ୍ଗ

ଆସନ୍ତାକାଲି ଆସିବ ନିର୍ଭୟା ରାୟ। ଦୋଷୀଙ୍କ ଡେଥ୍‌ ଓ୍ଵାରେଣ୍ଟ ଉପରେ ପଟିଆଲା ହାଉସକୋର୍ଟ ଜାରି କରିଥିବା ରହିତାଦେଶ ଉପରେ ରାୟ ଶୁଣାଇବେ ଦିଲ୍ଲୀ ହାଇକୋର୍ଟ। ରବିବାର ମାମଲାର ଶୁଣାଣି କରି ଦିଲ୍ଲୀ ହାଇକୋର୍ଟ ରାୟ ସଂରକ୍ଷିତ ରଖିଥିଲେ। ଡେଥ୍‌ ଓ୍ଵାରେଣ୍ଟ ଉପରେ ରହିତାଦେଶକୁ ଚ୍ୟାଲେଞ୍ଜ କରିଥିଲେ କେନ୍ଦ୍ର ସରକାର। ଆଇନଗତ ବିକଳ୍ପ ଶେଷ ହୋଇଥିବା ଦୋଷୀଙ୍କୁ ଫାଶୀ ଦେବାକୁ କେନ୍ଦ୍ର ସରକାର ଅନୁରୋଧ କରିଥିଲେ। ଏହାକୁ ବିରୋଧ କରିଥିଲେ ଦୋଷୀଙ୍କ ଓକିଲ। ଅଲଗା ଅଲଗା ଫାଶୀ ଦିଆଯିବା ଆଇନ୍‌ ବିରୋଧୀ ବୋଲି ସେ ଯୁକ୍ତି ବାଢିଥିଲେ। ଏହି ମାମଲାରେ ୪ ଜଣ ଦୋଷୀଙ୍କୁ ମଧ୍ୟ ନୋଟିସ ଜାରି କରିଥିଲେ ଦିଲ୍ଲୀ ହାଇକୋର୍ଟ। ୪ ଦୋଷୀଙ୍କୁ ଫେବ୍ରୁଆରୀ ୧ ତାରିଖରେ ଫାଶୀ ପାଇଁ ଡେଥ୍‌ ଓ୍ଵାରେଣ୍ଟ ଜାରି ହୋଇଥିବା ବେଳେ ଫାଶୀ ତାରିଖର ଦିନକ ପୂର୍ବରୁ ଏଥିରେ ସ୍ଥଗିତାଦେଶ ଲଗାଇଥିଲେ ପଟିଆଲା ହାଉସକୋର୍ଟ ।

ଦିଲ୍ଲୀ ନିର୍ଭୟା ଗଣଦୁଷ୍କର୍ମ ଓ ହତ୍ୟା ମମାଲାରେ ଦିଲ୍ଲୀ ପଟିଆଲା ହାଉସ୍‌ କୋର୍ଟ ଜାରି କରିଥିବା ଡେଥ୍‌ ଓ୍ଵାରେଣ୍ଟ ଉପରେ ରହିତାଦେଶ ସମ୍ପର୍କିତ ଆବେଦନ ଉପରେ ଆସନ୍ତାକାଲି ରାୟ ଶୁଣାଇବେ ଦିଲ୍ଲୀ ହାଇକୋର୍ଟ । ରବିବାର ଏ ନେଇ ୩ ଘଣ୍ଟାର ମରାଥନ ଶୁଣାଣି ପରେ କୋର୍ଟ ରାୟ ସଂରକ୍ଷିତ ରଖିଥିଲେ । ଆଇନଗତ ବିକଳ୍ପ ଶେଷ ହୋଇଥିବା ଦୋଷୀଙ୍କୁ ଫାଶୀ ଦେବାକୁ କୋର୍ଟଙ୍କୁ ଅନୁରୋଧ କରିଥିଲେ କେନ୍ଦ୍ର ସରକାରଙ୍କ ପକ୍ଷରୁ ଲଢୁଥିବା ସଲିସିଟର ଜେନେରାଲ୍‌ ତୁଷାର ମେହେଟ୍ଟା । ଏପରିକି ଫାଶୀ ବିଳମ୍ବ ପାଇଁ ପଓ୍ଵନ ଗୁପ୍ତା ଏ ପର୍ଯ୍ୟନ୍ତ ରାଜକ୍ଷମା ଆବେଦନ କରିନଥିବା ଦର୍ଶାଇଥିଲେ । ତେବେ ସରକାରୀ ଓକିଲଙ୍କ ଯୁକ୍ତିଙ୍କୁ ବିରୋଧ କରିଛନ୍ତି ଦୋଷୀଙ୍କ ଓକିଲ । ଦୋଷୀଙ୍କ ପାଖରେ ପୁଣି ରାଜକ୍ଷମା ଆବେଦନ କରିବାର ଅଧିକାର ଥିବାରୁ ଅଲଗା ଫାଶୀ ଦିଆଯିବା ଆଇନ ବିରୋଧୀ ବୋଲି ଯୁକ୍ତି ବାଢିଥିଲେ । ଏକା ସାଙ୍ଗରେ ସମସ୍ତ ଦୋଷୀଙ୍କ ଡେଥ ଓ୍ଵାରେଣ୍ଟ ଜାରି ହୋଇଥିବାରୁ ଫାଶୀ ବି ଗୋଟିଏ ଥରେ ଦିଆଯାଉ ବୋଲି ଦୋଷୀଙ୍କ ଓକିଲ କହିଥିଲେ । ମାମଲାରେ କୋର୍ଟ ୪ ଦୋଷୀ ମୁକେଶ କୁମାର, ବିନୟ ଶର୍ମା, ପଓ୍ଵନ ଗୁପ୍ତା ଓ ଅକ୍ଷୟ ସିଂହଙ୍କୁ ନୋଟିସ ଜାରି ହୋଇଥିଲା । ୪ ଦୋଷଙ୍କ ମଧ୍ୟରୁ ବିନୟ ଶର୍ମା ଓ ମୁକେଶ କୁମାରଙ୍କ କ୍ୟୁରେଟିଭ ପିଟିସନ ଓ ରାଜକ୍ଷମା ଆବେଦନ ଖାରଜ ହୋଇଛି । ସେହିପରି ରାଷ୍ଟ୍ରପତିଙ୍କ ନିକଟରେ ରାଜକ୍ଷମା ଆବେଦନ କରିଛି ଅକ୍ଷୟ ସିଂହ । ପୂର୍ବରୁ ଅକ୍ଷରର କ୍ୟୁରେଟିଭ ପିଟିସନ ଖାରଜ ହୋଇସାରିଛି । ତେବେ ଦୋଷୀ ପଓ୍ଵନ ଗୁପ୍ତା ପାଖରେ ଉଭୟ କ୍ୟୁରେଟିଭ ଓ ମର୍ସି ପଟିସନ୍‌ ଭଳି ଦୁଇଟି ବିକଳ୍ପ ରହିଛି । ୪ ଦୋଷୀଙ୍କୁ ଫେବ୍ରୁଆରୀ ୧ ତାରିଖରେ ଫାଶୀ ପାଇଁ ଡେଥ୍‌ ଓ୍ଵାରେଣ୍ଟ ଜାରି ହୋଇଥିଲା । ଦିନକ ପୂର୍ବରୁ ଏଥିରେ ସ୍ଥଗିତାଦେଶ ଲଗାଇଥିଲେ ପଟିଆଲା ହାଉସକୋର୍ଟ । ଏବେ ନୂଆ ଡେଥ ଓ୍ଵାରେଣ୍ଟକୁ ନେଇ ସସପେନ୍ସ ଜାରି ରହିଛି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.