ଆଜି ମୁମ୍ବାଇରେ ବସୁଛି ନୀତି ଆୟୋଗ ବୈଠକ, ଚାଷୀଙ୍କ ଆୟ ବୃଦ୍ଧି ପାଇଁ ୭ଟି ଏଜେଣ୍ଡା ଉପରେ ହେବ ଆଲୋଚନା

ମୁମ୍ବାଇ(କେନ୍ୟୁଜ୍): ଆଜି ମୁମ୍ବାଇରେ ବସୁଛି ନୀତି ଆୟୋଗ ବୈଠକ । ବୈଠକରେ ଚାଷୀମାନଙ୍କ ଆୟ ବୃଦ୍ଧି ଓ କୃଷି କ୍ଷେତ୍ରରେ ସଂସ୍କାର ପାଇଁ ଗୁରୁତ୍ୱପୂର୍ଣ୍ଣ ନିଷ୍ପତ୍ତି ନିଆଯିବ । ଏଥିରେ ଚାଷୀଙ୍କ ଆୟ ବୃଦ୍ଧି ସହ କୃଷି କ୍ଷେତ୍ରରେ ସଂସ୍କାର ନେଇ ମତାମତ ନିଆଯିବ । କୃଷି ଉତ୍ପାଦନ ବୃଦ୍ଧି ଓ ପଶୁ ସମ୍ପଦର ବିକାଶ ଏବଂ ବିପଣନ ପାଇଁ ଏପି.ଏଲ.ଏମ୍‌ ଆଇନ-୨୦୧୭ କାର୍ଯ୍ୟକାରିତା ନେଇ ଆଲୋଚନା ହେବ । ସେହିପରି ୨୦୧୮ରେ ପ୍ରଣୟନ କରାଯାଇଥିବା ଠିକାଭିତ୍ତିକ କୃଷି ଓ ଆନୁସଙ୍ଗିକ ସେବା କ୍ଷେତ୍ରରେ ରାଜ୍ୟମାନେ କେତେ ସଫଳତା ପାଇଛନ୍ତି ତାର ସମୀକ୍ଷା କରାଯିବ । ସାମଗ୍ରୀକ ଭାବେ କୃଷି କ୍ଷେତ୍ରରେ ବୈପ୍ଳବିକ ପରିବର୍ତ୍ତନ ପାଇଁ ରାଜ୍ୟମାନେ ଯାହା ମତ ଦେବେ ତାକୁ ମଧ୍ୟ ନୀତି ଆୟୋଗ ବୈଠକରେ ତର୍ଜମା କରାଯାଇ ୨ ମାସ ଭିତରେ କେନ୍ଦ୍ର ସରକାରଙ୍କୁ ରିପୋର୍ଟ ପ୍ରଦାନ କରିବେ ।

ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଏହି ବୈଠକରେ ଯୋଗଦେଉନଥିବାରୁ ତାଙ୍କ ସ୍ଥାନରେ କୃଷି ମନ୍ତ୍ରୀ ଅରୁଣ ସାହୁ ଯୋଗଦେବେ । ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଦ୍ୱିତୀୟ ପାଳିରେ ନୀତି ଆୟୋଗର ପୁନର୍ଗଠନ ପରେ ଏହା ହେଉଛି ଦ୍ୱିତୀୟ ଉଚ୍ଚସ୍ତରୀୟ ବୈଠକ । ୧୦ ଜଣିଆ ସଦସ୍ୟ ବିଶିଷ୍ଟ ନୀତି ଆୟୋଗ କମିଟିରେ ଓଡ଼ିଶା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ସହ ହରିୟାଣା, ଅରୁଣାଚଳ ପ୍ରଦେଶ, ଉତ୍ତରପ୍ରଦେଶ, ମଧ୍ୟପ୍ରଦେଶ, ପଞ୍ଜାବ ମୁଖ୍ୟମନ୍ତ୍ରୀ, କେନ୍ଦ୍ର କୃଷି ମନ୍ତ୍ରୀ, ଗ୍ରାମ୍ୟ ଉନ୍ନୟନ ଓ ପଞ୍ଚାୟତିରାଜ ମନ୍ତ୍ରୀ ସଦସ୍ୟ ଅଛନ୍ତି । ମହାରାଷ୍ଟ୍ର ମୁଖ୍ୟମନ୍ତ୍ରୀ ଦେବେନ୍ଦ୍ର ଫଡନଭିସଙ୍କ ଆବାହକତ୍ୱରେ ହେବାକୁ ଥିବା ଏହି ବୈଠକରେ କୃଷି କ୍ଷେତ୍ରରେ ସାମଗ୍ରୀକ ସଂସ୍କାର ଆଣିବା ସହ ଚାଷୀଙ୍କ ଆୟ ବୃଦ୍ଧି ପାଇଁ ୭ଟି ଏଜେଣ୍ଡା ଉପରେ ଆଲୋଚନା ହେବ । ଅନ୍ୟାନ୍ୟ ପ୍ରସଙ୍ଗ ମଧ୍ୟରେ ଅତ୍ୟାବଶ୍ୟକ ସାମଗ୍ରୀ ଆଇନରେ ଆବଶ୍ୟକ ସଂଶୋଧନ ପାଇଁ ପ୍ରସ୍ତାବ ଗ୍ରହଣ କରାଯିବ ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.