ମଧ୍ୟପ୍ରଦେଶ ଭିଣ୍ଡ ଜିଲ୍ଲାର ଜଣେ ଗ୍ରାହକଙ୍କ ଆକାଉଣ୍ଟକୁ ପ୍ରତିମାସ ରହସ୍ୟମୟ ଭାବେ ଟଙ୍କା ଆସୁଥିଲା । ଏହା ଦେଖି ଗ୍ରାହକ ଜଣକ ବି ବେଶ ଖୁସି ହୋଇଯାଉଥିଲେ ଓ ଟଙ୍କା ଉଠାଇ ନେଉଥିଲେ । ମନେ ମନେ ଭାବୁଥିଲେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଗଲା ନିର୍ବାଚନ ପ୍ରଚାରରେ କରିଥିବା ପ୍ରତିଶୃତିକୁ ପୂରଣ କରିବାକୁ ଯାଇ ସମସ୍ତଙ୍କ ଆକାଉଣ୍ଟକୁ ଟଙ୍କା ପଠାଉଛନ୍ତି । ଧନୀ ଲୋକଙ୍କ କଳା ଧନକୁ ଧଳା କରିବାକୁ ହିଁ ହୁଏତ ପ୍ରଧାନମନ୍ତ୍ରୀ ଏପରି ଏକ ଅଭିନବ ଉପାୟ ଆପଣେଇଛନ୍ତି ଓ ଦେଶର ଗରିବ ମାନଙ୍କ ଭିତରେ ସେହି ଅସତ ଧନକୁ ବାଣ୍ଟି ଦେଊଛନ୍ତି । କିନ୍ତୁ ଏହି ବ୍ୟକ୍ତି ଜଣକର ଏହି ଧାରଣା ବେଶୀ ଦିନ ପର୍ଯ୍ୟନ୍ତ ତିଷ୍ଠି ପାରିନଥିଲା । ପରବର୍ତ୍ତୀ ମୁହୁର୍ତରେ ଏହା ଏକ ଅତ୍ୟନ୍ତ ହାସ୍ୟାସ୍ପଦ ମୋଡ ନେଇଥିଲା ।
ପ୍ରକୃତରେ ଆଲାମପୁର ସ୍ଥିତ ଏସବିଆଇ ଶାଖାର ପ୍ରବନ୍ଧକଙ୍କ ଏକ ଭୁଲ ଯୋଗୁଁ ହିଁ ଏପରି ଏକ ଘଟଣା ବାସ୍ତବତାର ରୂପ ନେଇଥିଲା । ବ୍ୟାଙ୍କ କର୍ମଚାରୀ ରାଜେଶ ସୋନକର ଦୁଇ ଜଣ ଗ୍ରାହକଙ୍କୁ ଅନ୍ୟ ସାଧାରଣ ଗ୍ରାହକଙ୍କ ପରି ସେମାନଙ୍କ ଆକାଉଣ୍ଟ ନମ୍ୱର ଦେଇଥିଲେ । କିନ୍ତୁ ଆଶ୍ଚର୍ଯ୍ୟ କର କଥା ହେଉଛି ଏହି ଦୁହିଁଙ୍କୁ ଦିଆଯାଇଥିବା ଆକାଉଣ୍ଟ ନମ୍ବର ସମାନ ଥିଲା । ଦୁହିଁଙ୍କ ନାମ ହୁକୁମ ସିଂହ । କିନ୍ତୁ ଏ ଦୁହିଁଙ୍କ ଜନ୍ମ ସ୍ଥାନ ଭିନ୍ନ ଭିନ୍ନ । ଦୁଇ ଜଣଙ୍କୁ ମିଳିଥିବା ପାସ ବୁକରେ ଦୁହିଁଙ୍କ ଫୋଟୋ ବ୍ୟତୀତ ଆଉ ସବୁ ସମାନ ଥିଲା | ଏହା ମାନେ ହେଉଛି ଗୋଟିଏ ଖାତାର ଦୁଇ ଗ୍ରାହକ ଥିଲେ । କିଛି ଦିନ ଆଗରୁ ଦୁଇ ଜଣ ସମାନ ଏସବିଆଇ ଶାଖାକୁ ଖାତା ଖୋଲିବା ପାଇଁ ଯାଇଥିଲେ । ଆଉ ଖାତା ଖୋଲିବା ପରେ ରୂରେଇ ଗାଁର ହୁକୁମ ସିଂ ନିଜ ଜମା ରାଶିକୁ ଆକାଉଣ୍ଟରେ ଜମା କରିବାକୁ ଲାଗିଲେ । କିନ୍ତୁ ଗୋଟିଏ ଆକାଉଣ୍ଟ ହୋଇଥିବାରୁ ଅନ୍ୟ ଜଣେ ହୁକୁମ ସିଂଙ୍କ ଆକାଉଣ୍ଟରେ ମଧ୍ୟ ସମାନ ଟଙ୍କା ଜମା ହେଉଥିଲା ।
ଏହା ସହ ପଢନ୍ତୁ: ମଙ୍ଗଳ ଗ୍ରହରୁ ମିଳିଲା ବିଶାଳକାୟ ଜୀବର ଶବ, ଚାଲିଛି ବୈଜ୍ଞାନିକଙ୍କ ପରୀକ୍ଷା ନିରୀକ୍ଷା
ଆଉ ସବୁଠୁ ହାସ୍ୟକର କଥା ଯେ ସେ ଏହାକୁ ମୋଦିଙ୍କର ଦାନ ବୋଲି ଭାବି ଉଠାଇ ଦେଉଥିଲେ । କିସ୍ତି ଭାବରେ ୬ ମାସ ଭିତରେ ସେ ପ୍ରାୟ ୮୯,୦୦୦ ଟଙ୍କା ଉଠେଇ ସାରିଛନ୍ତି । କିଛି ଦିନ ପାରେ ଅନ୍ୟ ହୁକୁମ ସିଂ ଜଣକ ନିଜ ଆକାଉଣ୍ଟ ଯାଞ୍ଚ କରିବାରୁ ଜାଣିବାକୁ ପାଇଲେ ତାଙ୍କ ଖାତାରେ ମାତ୍ର ୩୫,୪୦୦ ଟଙ୍କା ଅଛି ଯେବେକି ଟଙ୍କା ଆକାଉଣ୍ଟରେ ୧ ଲକ୍ଷ ୪୦ ହଜାର ଟଙ୍କା ରହିବା କଥା । ନିଜ ଆକାଉଣ୍ଟରେ ମାତ୍ର ଏତିକି ଟଙ୍କା ଦେଖି ଏହି ବ୍ୟକ୍ତି ଜଣକ ଆଶ୍ଚର୍ଯ୍ୟ ହୋଇଯାଇଥିଲେ । ସେ ସଙ୍ଗେ ସଙ୍ଗେ ଯାଇ ବ୍ୟାଙ୍କ କତ୍ତୃପକ୍ଷଙ୍କ ପାଖରେ ଅଭିଯୋଗ ମଧ୍ୟ କରିଥିଲେ । କିନ୍ତୁ ବ୍ୟାଙ୍କ କତ୍ତୃପକ୍ଷ ଏହା ପଛରେ ବ୍ୟାଙ୍କ ଅଧିକାରୀଙ୍କ ଦୋଷ ଥିବା ଜାଣି ପୂରା ଘଟଣା ଟିକୁ ଚାପିବାକୁ ଚେଷ୍ଟା କରିଥିବା କଥା କହିଛନ୍ତି ହୁକୁମ ସିଂ । କିନ୍ତୁ ଆଲାମପୁର ଏସବିଆଇ ଅଧିକାରୀ ନିଜ ତ୍ରୁଟିକୁ ମାନି ନେଇ ଥିବା ବେଳେ ଅତି ଶୀଘ୍ର କ୍ଷତିଗ୍ରସ୍ଥଙ୍କୁ ତାଙ୍କ ଟଙ୍କା ଫେରେଇ ଦିଆଯିବ ବୋଲି କହିଛନ୍ତି ।