ମହାରାଷ୍ଟ୍ରରେ ଚାଲିଥିବା ମହାନାଟକରେ ପଡିଲା ଯବନିକା, ମୁଖ୍ୟମନ୍ତ୍ରୀ ହେବେ ଶିବସେନା ମୁଖ୍ୟ ଉଦ୍ଧବ ଠାକରେ

କେନ୍ୟୁଜ୍(ବ୍ୟୁରୋ): ପ୍ରଥମ ଥର ପାଇଁ ଠାକରେ ପରିବାର ମୁଣ୍ଡରେ ତାଜ୍‌। ଏବେ ଆଉ କିଙ୍ଗ ମେକର ନୁହେଁ, କିଙ୍ଗ ହେବେ ଉଦ୍ଧବ ଠାକରେ। ପୂରା ପାଞ୍ଚ ବର୍ଷ ପାଇଁ ମହରାଷ୍ଟ୍ରର ମୁଖ୍ୟମନ୍ତ୍ରୀ ପଦ ସମ୍ଭାଳିବେ ଶିବସେନା ସୁପ୍ରିମୋ। ସରକାର ଗଠନ ଉପରେ ମୋହର ମାରିଛନ୍ତି ଏନିସିପି ଓ କଂଗ୍ରେସ ଓ ଶିବସେନା। ଆଜି ତିନି ଦଳ ମଧ୍ୟରେ ଶେଷ ବିଚାର ବିମର୍ଷ ହୋଇଥିଲା। ବୈଠକରେ ମନ୍ତ୍ରାଳୟ ଭାଗବଣ୍ଟା ମଧ୍ୟ ଛିଡିଛି। ବିଧାୟକ ସଂଖ୍ୟାକୁ ନେଇ ୧୬-୧୫-୧୨ ଫର୍ମୂଲାରେ ସହମତ ହୋଇଛନ୍ତି ତିନି ଦଳ। ମୁଖ୍ୟମନ୍ତ୍ରୀ ପଦକୁ ମିଶାଇ ଶିବସେନାକୁ ମିଳିପାରେ ୧୬ଟି ମନ୍ତ୍ରାଳୟ। ଏଥିରେ ରହିଛି ୧୧ କ୍ୟାବିନେଟ୍‌ ଓ ୫ ରାଷ୍ଟ୍ର ପାହ୍ୟା। ସେହିପରି ଏନସିପି ଖାତାରେ ଉପମୁଖ୍ୟମନ୍ତ୍ରୀ ପଦ ସମେତ ମିଳିବ ୧୫ଟି ମନ୍ତ୍ରାଳୟ। ୧୧ କ୍ୟାବିନେଟ୍‌ ପାହ୍ୟା ଓ ୪ ରାଷ୍ଟ୍ର ପାହ୍ୟା। ୯ କ୍ୟାବିନେଟ୍‌ ଓ ୩ ରାଷ୍ଟ୍ରପାହ୍ୟା ସହ ୧୨ଟି ମନ୍ତ୍ରାଳୟରେ ସନ୍ତୁଷ୍ଟ ହେବ କଂଗ୍ରେସ। ତେବେ କଂଗ୍ରେସ ଭାଗରେ ରହିଛି ବାଚସ୍ପତି ପଦବୀ।

ଆଜି ଚୁଡାନ୍ତ ବୈଠକ ପୂର୍ବରୁ ପୃଥକ ପୃଥକ ବୈଠକ କରିଥିଲେ ତିନି ଦଳ। ମାତୋଶ୍ରୀରେ ଶିବସେନା ନେତାଙ୍କ ସହ ଆଲୋଚନା କରିଥିଲେ ଉଦ୍ଧବ ଠାକ୍‌ରେ। ସେହିପରି କଂଗ୍ରେସ ଓ ଏନସିପି ସେମାନଙ୍କ ସହଯୋଗୀଙ୍କ ସହ ସରକାର ଗଠନ ନେଇ ଆଲୋଚନା କରିଥିଲେ। ଅନ୍ୟପଟେ ଶିବସେନା-ଏନସିପି-କଂଗ୍ରେସ ମେଣ୍ଟକୁ ସୁବିଧାବାଦୀ ବୋଲି କହିଛନ୍ତି କେନ୍ଦ୍ରମନ୍ତ୍ରୀ ନୀତିନ ଗଡକରୀ। ବିଜେପିକୁ କ୍ଷମତାରୁ ଦୂରେଇ ରଖିବାକୁ ଏହି ମେଣ୍ଟ ହୋଇଛି। ୬ ରୁ ୮ ମାସ ଭିତରେ ମେଣ୍ଟ ଭାଙ୍ଗିଯିବ ବୋଲି ସେ ଭବିଷ୍ୟବାଣୀ ଶୁଣାଇଛନ୍ତି ।

ସେପଟେ ସଂଜୟ ରାଉତ କହିଛନ୍ତି ପୂରା ପାଞ୍ଚ ବର୍ଷ ରହିବେ ଶିବସେନା ମୁଖ୍ୟମନ୍ତ୍ରୀ। ବିଜେପି ଇନ୍ଦ୍ରପଦ ଦେବେଲି ମଞ୍ଜୁର ହେବ ନାହିଁ।ନିର୍ବାଚନ ଫଳାଫଳ ବାହାରିବାର ଦୀର୍ଘ ଏକ ମାସ ପରେ ମହାରାଷ୍ଟ୍ରରେ ଗଠନ ହେବ ସରକାର। ଆସନ୍ତାକାଲି ରାଜ୍ୟପାଳଙ୍କୁ ଭେଟି ଦାବି ରଖିପାରନ୍ତି ତିନି ଦଳର ପ୍ରତିନିଧି ମଣ୍ଡଳୀ। 

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.