Below header

ବେରୋଜଗାରୀ ଓ ଅତ୍ୟଧିକ ଋଣ ସମସ୍ୟା : ୩ ବର୍ଷରେ ଜୀବନ ହାରିଛନ୍ତି ୨୫ ହଜାର ବ୍ୟକ୍ତି

ନୂଆଦିଲ୍ଲୀ : ବେକାରୀ ସମସ୍ୟା ଓଋଣ ଭାର ଚାପରୁ ୨୫ ହଜାରରୁ ଅଧିକ ଲୋକ ଆତ୍ମହତ୍ୟା କରିଛନ୍ତି । ୨୦୧୮-୨୦୨୦ ମଧ୍ୟରେ ଏହି କାରଣଗୁଡ଼ିକ ପାଇଁ ୨୫,୦୦୦ରୁ ଅଧିକ ଲୋକ ଆତ୍ମହତ୍ୟା କରିଛନ୍ତି। ରାଜ୍ୟସଭାରେ କେନ୍ଦ୍ର ଗୃହ ରାଷ୍ଟ୍ରମନ୍ତ୍ରୀ ନିତ୍ୟାନନ୍ଦ ରାଏ ଏକ ପ୍ରଶ୍ନର ଉତ୍ତର ରଖିବା ସମୟରେ ଏଭଳି ତଥ୍ୟ ଦେଇଛନ୍ତି । ଏଥିପାଇଁ କେନ୍ଦ୍ରର ମୋଦି ସରକାର ବିରୋଧଙ୍କ କଡା ସମାଲୋଚନାର ସମ୍ମୁଖୀନ ହେଉଛନ୍ତି । ରୋଜଗାର ସୃଷ୍ଟି ନ କରିପାରିବା କେନ୍ଦ୍ର ସରକାରଙ୍କ ବଡ ବିଫଳତା ବୋଲି ଅଭିଯୋଗ ହେଉଛି । କେନ୍ଦ୍ରୀୟ ଅପରାଧ ରେକର୍ଡ ବ୍ୟୁରୋ ତଥ୍ୟକୁ ଉଦ୍ଧାର କରି ସେ କହିଛନ୍ତି ଯେ ବେକାରି ଓ ଋଣ ସମସ୍ୟା ପାଇଁ ଆତ୍ମହତ୍ୟା ସଂଖ୍ୟା ବୃଦ୍ଧି ପାଉଛି।

ଏହାଛଡା ସରକାର ସୂଚନା ଦେଇ କହିଛନ୍ତି, ୨୦୧୮ରେ ଏହି ସବୁ କାରଣ ଲାଗି ୭,୭୧୧ ଜଣ ଆତ୍ମହତ୍ୟା କରିଥିଲେ। ୨୦୨୦ରେ ସେଭଳି ଆତ୍ମହତ୍ୟା ସଂଖ୍ୟା ୮,୭୬୧କୁ ବୃଦ୍ଧି ପାଇଛି। ଏହି ସମୟ ଭିତରେ ପ୍ରାୟ ୧୬,୦୯୧ ଜଣ ଦେବାଳିଆ ହୋଇଯିବା କାରଣରୁ ଆତ୍ମହତ୍ୟା କରିଛନ୍ତି।

ସେହିପରି ୨୦୧୮-୨୦୨୦ ମଧ୍ୟରେ ବେକାରି ସମସ୍ୟା ଯୋଗୁଁ ୯,୧୪୦ ଜଣ ପ୍ରାଣ ହରାଇଛନ୍ତି। ୨୦୧୮ରେ ଏହି କାରଣ ପାଇଁ ଆତ୍ମହତ୍ୟା କରିଥିବା ଲୋକଙ୍କ ସଂଖ୍ୟା ୨,୭୪୧ ଥିଲା। ୨୦୧୯ରେ ତାହା ୨,୮୫୧ ଓ ୨୦୨୦ରେ ୩,୫୪୮କୁ ବୃଦ୍ଧି ପାଇଥିଲା। ୨୦୨୦ରେ ଦେବାଳିଆ ଓ ଋଣବୋଝ ଯୋଗୁଁ ୫,୨୧୩ ଜଣ ଆତ୍ମହତ୍ୟା କରିଛନ୍ତି। ୨୦୧୮ରେ ସେହି ସମାନ କାରଣ ଯୋଗୁଁ ୪,୯୭୦ ଓ ୨୦୨୦ରେ ୫୯୦୮ ଜଣ ଆତ୍ମହତ୍ୟା କରିଥିଲେ।

ମନ୍ତ୍ରୀ କହିଛନ୍ତି ଯେ ମାନସିକ ସ୍ତରରେ ଚାପଗ୍ରସ୍ତ ଥିବା ଲୋକମାନଙ୍କ ପାଇଁ ଜାତୀୟ ମାନସିକ ସ୍ବାସ୍ଥ୍ୟ କାର୍ଯ୍ୟକ୍ରମ କାର୍ଯ୍ୟକାରୀ କରାଯାଇଛି। ୬୯୨ଟି ଜିଲ୍ଲାରେ ଜିଲ୍ଲା ମାନସିକ ସ୍ବାସ୍ଥ୍ୟ କାର୍ଯ୍ୟକ୍ରମ ଲାଗୁ କରାଯାଇଛି ଯେଉଁଥିରେ ଆତ୍ମହତ୍ୟା ରୋକିବା ଲାଗି ପରାମର୍ଶ ଦିଆଯାଉଛି। ଦେଶରେ ଅଧିକ ନିଯୁକ୍ତି ସୁଯୋଗ ସୃଷ୍ଟି କରିବା ଲାଗି ଆତ୍ମନିର୍ଭର ଭାରତ ରୋଜଗାର ଯୋଜନା କାର୍ଯ୍ୟକାରୀ କରାଯାଇଛି। ନିଯୁକ୍ତିଦାତାଙ୍କୁ ପ୍ରୋତ୍ସାହନ ପ୍ରଦାନ କରାଯାଉଛି। ଅର୍ଥନୀତିର ପ୍ରମୁଖ କ୍ଷେତ୍ର ଲାଗି ଯେଉଁ ଉତ୍ପାଦନ ଭିତ୍ତିକ ପ୍ରୋତ୍ସାହନ ସ୍କିମ୍ (ପିଏଲ୍‌ଆଇ) ଘୋଷଣା କରାଯାଇଛି ତାହା ନିଯୁକ୍ତି ସୁଯୋଗ ସୃଷ୍ଟି କରିବାରେ ବିଶେଷ ସହାୟକ ହେବ ବୋଲି ସେ କହିଛନ୍ତି। ୨୦୨୦ରେ ସରକାର ସଂସଦରେ କହିଥିଲେ, ପ୍ରବାସୀ ଶ୍ରମିକଙ୍କ ମୃତ୍ୟୁ ନେଇ ଆମ ପାଖରେ କୌଣସି ତଥ୍ୟ ନାହିଁ। ତେଣୁ କ୍ଷତିପୂରଣର ପ୍ରଶ୍ନ ଉଠୁନାହିଁ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.