କଶ୍ମୀର ମାଡ଼ରେ ପାଗଳା ହେଲା ପାକିସ୍ତାନ, ଲଦାଖ ସୀମାନ୍ତରେ ନିୟୋଜିତ କଲା ଯୁଦ୍ଧ ବିମାନ
ଜମ୍ମୁ-କଶ୍ମୀରରୁ ଧାରା ୩୭୦ ଉଚ୍ଛେଦ ହେବା ଦିନଠାରୁ ଭୟରେ ରହିଛି ପାକିସ୍ତାନ। ପାକିସ୍ତାନର ଇମ୍ରାନ୍ ସରକାର ଭାରତ ବିରୋଧରେ ଗୋଟିଏ ପରେ ଗୋଟିଏ ନକାରାତ୍ମକ ପଦକ୍ଷେପ ଗ୍ରହଣ କରିଚାଲିଛନ୍ତି। ଏବେ ପାକିସ୍ତାନ ସରକାର ଲଦାଖ ସୀମାନ୍ତରେ ଯୁଦ୍ଧ ବିମାନ ନିୟୋଜିତ କରିବା ଆରମ୍ଭ କରିଛନ୍ତି।
ଖାଲି ଯୁଦ୍ଧ ବିମାନ ନୁହେଁ, ବିପୁଳ ସଂଖ୍ୟାରେ ସେନା ଓ ଅନ୍ୟାନ୍ୟ ଯୁଦ୍ଧାସ୍ତ୍ର ମଧ୍ୟ ପାକିସ୍ତାନ ପକ୍ଷରୁ ଲଦାଖ ସୀମାକୁ ଲାଗିଥିବା ସକାରଦୁ ଏୟାର ବେସରେ ନିୟୋଜିତ କରାଯାଇଛି। ଏହି ଖବର ମିଳିବା ପରେ ଭାରତୀୟ ସେନା ପାକିସ୍ତାନର ସମସ୍ତ ଗତିବିଧି ଉପରେ ତୀକ୍ଷ୍ଣ ନଜର ରଖିବା ଆରମ୍ଭ କରିଛନ୍ତି।
ସୂଚନା ଅନୁଯାୟୀ, ପାକିସ୍ତାନ ବାୟୁସେନାର ୩ଟି ସି-୧୩୦ ପରିବହନ ବିମାନରେ ପ୍ରଥମେ ଅଧିକ ସଂଖ୍ୟକ ସେନା ଓ ଯୁଦ୍ଧାସ୍ତ୍ରକୁ ଗିଲଗିଟ-ବାଲଟିସ୍ତାନରେ ଥିବା ସକାରଦୁ ଏୟାରବେସକୁ ଅଣାଯାଇଥିଲା । ଏବେ ଜେଏଫ୍-୧୭ ଯୁଦ୍ଧ ବିମାନକୁ ମଧ୍ୟ ସକରାଦୁ ଏୟାରବେସକୁ ଅଣାଯାଇଛି।
ପାକିସ୍ତାନ କୌଣସି ବଡ଼ଧରଣର କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବା ପାଇଁ ଏଭଳି ସମରସଜ୍ଜା କରୁଥିବା ସନ୍ଦେହ କରାଯାଉଛି। ପାକିସ୍ତାନ ଦ୍ୱାରା କରାଯାଉଥିବା ସମସ୍ତ ଗତିବିଧି ଉପରେ ନଜର ମଧ୍ୟ ରଖାଯାଇଛି। ଏଥିପାଇଁ ଭାରତୀୟ ଯବାନ ଏବଂ ବାୟୁସେନା ପ୍ରସ୍ତୁତ ରହିଛି । ଏହି ସୂଚନା ମିଳିବା ପରେ ଗୁଇନ୍ଦା ବିଭାଗ ଠାରୁ ଆରମ୍ଭ କରି ଭାରତୀୟ ବାୟୁ ଓ ସ୍ଥଳ ସେନା ପକ୍ଷରୁ ସକାରଦୁ ଏୟାରବେସ ଉପରେ ନଜର ରଖାଯାଇଛି।