ବନ୍ୟା ପରେ ପାକିସ୍ତାନରେ ହାହାକାର ସ୍ଥିତି, ହାତ ଟେକି ଦେଲେ ସରକାର

ପଡ଼ୋଶୀ ଦେଶ ପାକିସ୍ତାନରେ ନଦୀଗୁଡ଼ିକ ଶାନ୍ତ ହୋଇଯାଇଥିଲେ ମଧ୍ୟ ସମସ୍ୟା କମିବାର ନାଁ ଧରୁନି। ପୂରା ସିନ୍ଧ ଅଞ୍ଚଳ ଏବେ ବି ଜଳାର୍ଣ୍ଣବ ରହିଛି ଓ ବନ୍ୟାଞ୍ଚଳରେ ଫସିଥିବା ଲୋକଙ୍କୁ ବାହାର କରିବା ପାଇଁ ରେସ୍‌କ୍ୟୁ ଅପରେସନ୍‌ ଜାରି ରହିଛି। ପ୍ରକୃତିର ଏହି କରାଳ ରୂପ ଦେଖି ପାକିସ୍ତାନବାସୀ ବି ତ୍ରାହି ତ୍ରାହି ଡାକିଲେଣି। ଏଭଳି ସ୍ଥିତିରେ ପାକ୍‌ ସେନା ମଧ୍ୟ ସବୁ ଲୋକଙ୍କୁ ସାହାଯ୍ୟ କରିବାକୁ ଅସମର୍ଥ ହୋଇପଡ଼ିଛି।

ଗାଁ, ସହର ଭିତରେ ପାଣି ପଶି ସମୁଦ୍ରର ଭ୍ରମ ସୃଷ୍ଟି କରୁଛି। ସିନ୍ଧ ପ୍ରାନ୍ତରେ ସିନ୍ଧ ନଦୀର ତାଣ୍ଡବ ସାମ୍ନାରେ ପାକିସ୍ତାନ ନତମସ୍ତକ ହୋଇଛି। ଘର ଦ୍ୱାର, ରାସ୍ତା ଘାଟ, ଜମି ବାଡ଼ି ଯୁଆଡ଼େ ଚାହିଁବ ସବୁଆଡ଼େ ପାଣି। ସରକାରୀ ଡଙ୍ଗା ବନ୍ୟା ପୀଡ଼ିତଙ୍କ ପାଇଁ ଖାଦ୍ୟ ସାମଗ୍ରୀ ନେଇ ପହଞ୍ଚିଛି। ରିଲିଫ୍‌ ସାମଗ୍ରୀ ନେବା ପାଇଁ ଲୋକମାନଙ୍କ ମଧ୍ୟରେ ମୁହାଁମୁହିଁ ସ୍ଥିତି ଉପୁଜିଛି। ଦୀର୍ଘ ଦିନ ହେଲାଣି ଜଳବନ୍ଦୀରେ ଥିବା ଲୋକମାନେ ଠିକ୍‌ ଭାବେ ଖାଇବା ପିଇବା ପାଇନଥିବାରୁ ଏସବୁ ଖାଦ୍ୟ ସାମଗ୍ରୀ ପାଇଁ ନିଜ ନିଜ ଭିତରେ ପ୍ରତିଦ୍ୱନ୍ଦ୍ୱିତା କରୁଥିବା ଦେଖାଯାଇଛି।

ଘରେ ପାଣି ପଶି ଯାଇଥିବାରୁ ଅନେକ ସ୍ଥାନରେ ଲୋକମାନେ ଖୋଲା ଆକାଶ ତଳେ ଦିନ ଦିନ ଧରି ରହୁଛନ୍ତି। ତାଙ୍କ ପାଖରେ ଖାଇବାକୁ ଖାଦ୍ୟ ନାହିଁ କି ଦେହ ଲୁଚାଇବାକୁ ପୋଷାକ। ଛୋଟ ଛୋଟ ପିଲାମାନେ ଅସ୍ୱାସ୍ଥ୍ୟକର ପରିବେଶରେ ରହୁଥିବା ଦେଖାଯାଇଛି। ମସ୍‌ଜିଦ୍‌, ମଦ୍ରାସା, ଘର ଦ୍ୱାର, ଫସଲବାଡ଼ି ସବୁ କିଛି ପାଣିରେ ଭାସି ଯାଇଛି।

ସରକାର ବି ହାତ ଟେକି ଦେଇଛନ୍ତି:

ରାଜନୈତିକ ଓ ଆର୍ଥିକ ସଙ୍କଟ ଦେଇ ଗତି କରୁଥିବା ପାକିସ୍ତାନ ସମସ୍ତଙ୍କୁ ସାହାଯ୍ୟ ମାଗୁଛି। ଅନ୍ୟ ଦେଶ ଏବେ ପାକିସ୍ତାନର ଖରାପ ସମୟରେ ସହାୟତାର ହାତ ବଢ଼ାଉଥିବା ମଧ୍ୟ ଦେଖାଯାଇଛି। କିନ୍ତୁ କୁହାଯାଉଛି ଯେ ବନ୍ୟା ପ୍ରଭାବିତ ଅଞ୍ଚଳରୁ ପାଣି ବାହାର କରିବା ପାଇଁ ୪ରୁ ୫ ଦିନ ସମୟ ଲାଗିପାରେ। ସେତେବେଳ ଯାଏଁ ଲୋକଙ୍କର ଅବସ୍ଥା କ’ଣ ହେବ କେହି ଜାଣି ନାହାନ୍ତି। କାରଣ ଏବେ ସରକାର ବି ହାତ ଟେକି ଦେଇଥିବା ଜଣାଯାଇଛି।

Also Read: କେବଳ ଦୀପିକା ନୁହେଁ, ରଣବୀର-ଅମୀର ମଧ୍ୟ ନଜର ଆସିବେ ବ୍ରହ୍ମାସ୍ତ୍ରର ଦ୍ୱିତୀୟ ପାର୍ଟରେ! ଭାଇରାଲ ହେଉଛି ଫଟୋ

Leave A Reply

Your email address will not be published.