ଅଭ୍ୟାସଗତ ଦୁଷ୍କର୍ମକାରୀଙ୍କୁ ଔଷଧ ଦେଇ କରାଯିବ ନପୁଂସକ: ପାକିସ୍ତାନ

ଦିନକୁ ଦିନ ବଢି ଚାଲିଛି ଦୁଷ୍କର୍ମ ଭଳି ସଂଗୀନ ମାମଲା । ଯାହା ଉପରେ ରୋକ ଲାଗିବା କାଠିକର ପାଠ ହେଲାଣି । ପ୍ରତିଦିନ ଏଭଳି ସଂଘାତିକ ଘଟଣା ଘଟୁଛି ଆଉ ଖବର ଆସୁଛି, ଯାହା ବେଶ ଚିନ୍ତା ବଢାଉଛି । ତେଣୁ ମହିଳାଙ୍କୁ ପ୍ରତି ପଦକ୍ଷେପରେ ସଜାଗ ରହିବାକୁ ପଡୁଛି । ଖାଲି ମହିଳା କଣ ପିଲାଠୁ ବୟସ୍କ ସମସ୍ତଙ୍କ ସହ ଘଟୁଛି ଏଭଳି ସମ୍ବେଦନଶୀଳ ଘଟଣା । ଏହାରି ଭିତରେ ପାକିସ୍ତାନ ସଂସଦ ଏ ନେଇ ନୂଆ ନିୟମ ପ୍ରଣୟନ କରିଛି, ଯେଉଁଥିରେ ଦୁଷ୍କର୍ମ ମାମଲାରେ ଦୋଷୀ ସାବ୍ୟସ୍ତ ବ୍ୟକ୍ତିଙ୍କୁ କଠୋର ଦଣ୍ଡବିଧାନ କରାଯିବ । ଏହି ବିଲ ଅନୁଯାୟୀ ପାକିସ୍ତାନରେ ଏକାଧିକ ଦୁଷ୍କର୍ମ ମାମଲାରେ ଦେଷୀ ସାବ୍ୟସ୍ତ ହୋଇଥିବା ଅପରାଧୀମାନେ ରାସାୟନିକ କାଷ୍ଟ୍ରେସନର ସମ୍ମୁଖୀନ ହୋଇପାରନ୍ତି । ଅର୍ଥାତ୍‌ ଏମାନଙ୍କୁ ଔଷଧ ଦେଇ ନପୁଂସକ କରି ଦିଆଯିବ ।

ପାକିସ୍ତାନ ସଂସଦରେ ଏହି ନୂତନ ନିୟମ ପ୍ରଣୟନ ହେବା ପରେ ଏକାଧିକ ଦୁଷ୍କର୍ମ ମାମଲାରେ ଦୋଷୀ ସାବ୍ୟସ୍ତ ହୋଇଥିବା ଅପରାଧୀମାନେ ପ୍ରମାଦ ଗଣିଲେଣି । କାରଣ ଏମାନଙ୍କୁ ନପୁଂସକ କରି ଦିଆଯାଇ ପାରେ । ଦେଶରେ ମହିଳା ଓ ଶିଶୁଙ୍କ ଉପରେ ଦୁଷ୍କର୍ମ ଘଟଣା ତଥା ଅପରାଧକୁ ରୋକିବା ପାଇଁ ଦାବି ବଢିବାରେ ଲାଗିଛି । ଏହି ପରିପ୍ରେକ୍ଷୀରେ ରାଷ୍ଟ୍ରପତି ଆରିଫ ଅଲଭି ପାକିସ୍ତାନ କ୍ୟାବିନେଟ ଦ୍ୱାରା ହୋଇଥିବା ନୂତନ ଦୁଷ୍କର୍ମ ବିରୋଧୀ ଆଇନ୍‌କୁ ଅନୁମୋଦନ କରିଛନ୍ତି । ଏହାପରେ ଦୋଷୀ ସାବ୍ୟସ୍ତ ବ୍ୟକ୍ତିଙ୍କୁ ରାସାୟନିକ କାଷ୍ଟ୍ରେସନ ବା ନପୁଂସକ କରାଯିବ । ଏହା ସହିତ ଏଭଳି ମାମଲାର ତୁରନ୍ତ ଶୁଣାଣି ଓ ଫଇସଲା ପାଇଁ ସ୍ୱତନ୍ତ୍ର ଅଦାଲତ ଗଠନ ହେବ । ସଂସଦର ମିଳିତ ଅଧିବେଶନରେ କ୍ରାଇମବ୍ରଞ୍ଚ ଆଇନ ବିଲ୍‌-୨୦୨୧ ସହିତ ଅନ୍ୟ ୩୩ଟି ବିଲ ଅନୁମୋଦିତ ହୋଇଛି ।

ରାସାୟନିକ କାଷ୍ଟ୍ରେସନ ହେଉଛି ଏକ ପ୍ରକ୍ରିୟା ଯାହା ପ୍ରଧାନମନ୍ତ୍ରୀଙ୍କ ଦ୍ୱାରା ପ୍ରସ୍ତୁତ ନିୟମ ଦ୍ୱାରା ସୂଚିତ ହୋଇଛି । ତେବେ କେବଳ ଅଭ୍ୟାସଗତ ବା ବା ବାରମ୍ବାର ଦୁଷ୍କର୍ମ କରୁଥିବା ବ୍ୟକ୍ତିକୁ ହିଁ ଏହି ଦଣ୍ଡ ମିଳିବ । ଗତ କିଛି ବର୍ଷ ହେଲା ପାକିସ୍ତାନରେ ଦୁଷ୍କର୍ମ ଜନିତ ଘଟଣା ବଢ଼ି ବଢ଼ି ଚାଲିଥିବାରୁ ଲୋକଙ୍କ ମଧ୍ୟରେ ଭୀଷଣ ଅସନ୍ତୋଷ ଦେଖା ଦେଇଥିଲା । ତାକୁ ଦୃଷ୍ଟିରେ ରଖି ପାକ୍‌ ସରକାର ଏଭଳି ଏକ କଠୋର ନିଷ୍ପତ୍ତି ନେଇଛନ୍ତି। ତେବେ ଜାମାତ-ଇ-ଇସଲାମି ସିନେଟର ମୁସ୍ତାକ ଅହମ୍ମଦ ଏହି ବିଲକୁ ବିରୋଧ କରି ଏହାକୁ ଅଣଇସଲାମୀୟ ଏବଂ ଶରିୟା ବିଲ୍‌ ବୋଲି କହିଛନ୍ତି । ତାଙ୍କ ମତରେ ଜଣେ ଦୁଷ୍କର୍ମକାରୀଙ୍କୁ ସର୍ବସାଧାରଣରେ ଫାଶୀ ଦିଆଯିବା ଉଚିତ ।

ତେବେ ଆସନ୍ତୁ ଜାଣିବା ଏହି କେମିକାଲ କାଷ୍ଟ୍ରାସନ୍‌ କଣ ? ଏହା ମଣିଷ ଶରୀରରେ ଏକ ରାସାୟନିକ ପ୍ରୟୋଗ । ଯାହା ଦ୍ୱାର ତାର ଯୌନ ଇଚ୍ଛା ଆଉ ରହିବ ନାହିଁ । ଔଷଧ ଦ୍ୱାରା ଏହା ମଣିଷ ଶରୀରରେ ପ୍ରୟୋଗ କରାଯାଇଥାଏ । ଯାହାଫଳରେ ପୁରୁଷ ହରମୋନ କମିଯାଇ ମଣିଷ ନପୁଂସକ ପାଲଟି ଯାଏ । ତେବେ ବିଶେଷଜ୍ଞଙ୍କ କହିବା କଥା, ଏହା ଏକ ଅତି କ୍ରୁର ଶାସ୍ତି । କାରଣ ଏହା ଦ୍ୱାରା ପ୍ରଥମରେ ବ୍ୟକ୍ତିର ମାନସିକ ସ୍ଥିତି ବିଗିଡ଼ି ଯାଏ । ପୁଣି ଶରୀରରେ ବିଭିନ୍ନ ପ୍ରକାର ପରିବର୍ତ୍ତନ ଦେଖାଦିଏ । ୧୯୯୬ ମସିହା ସେପଟେମ୍ବର ୧୮ ତାରିଖରେ ପ୍ରଥମ ଦେଶ ଭାବେ କାଲିଫର୍ଣ୍ଣିଆରେ ଏହି ଆଇନ୍‌ ଲାଗୁ କରାଯାଇଥିଲା । ଅପରାଧୀଙ୍କୁ ଔଷଧ ଦ୍ୱାରା ନଚେତ ଅପରେସନ ଦ୍ୱାରା ନପୁଂସକ କରି ଦିଆଗଲା ।

ଦୁଷ୍କର୍ମ ଏକ ଏମିତି ଶବ୍ଦ ଯାହା ଛାତି ଥରାଇଦେବା ଭଳି । ଭାବନ୍ତୁ ଯାହା ସହ ଏହି ଘଟଣା ଘଟୁଛି ତାର ମାନସିକତା କଣ ରହୁଥିବ । ତେଣୁ କଠୋର ଦଣ୍ଡ ସହ ଲୋକଙ୍କ ମାନସିକତା ପରିବର୍ତ୍ତନ ଉପରେ ଗୁରୁତ୍ୱ ଦିଆଯିବା ଦରକାର । ଆମେ ଆଲୋଚନା କରିଥିବା କିଛି ସାଧାରଣ ଲୋକେ ଏବଂ ମହିଳାମାନେ ମଧ୍ୟ ଭାରତରେ ଦୁଷ୍କର୍ମକାରୀଙ୍କୁ ଆହୁରି କଠିନ ଦେଣ୍ଡ ଦେବା ପାଇଁ ଦାବି କରିଛନ୍ତି । ସାରା ବିଶ୍ୱ ଏଭଳି ଘଟଣାକୁ ନେଇ ଚିନ୍ତାପ୍ରକଟ କରୁଥିବା ବେଳେ ଅନ୍ୟ କିଛି ଦେଶ ଭଳି ପାକିସ୍ତାନ ଏମିତି ପଦକ୍ଷେପକୁ ପ୍ରଶଂସା କରାଯାଇଛି ।

ସୂଚନା ଅନୁଯାୟୀ ଦକ୍ଷିଣ କୋରିଆ, ପୋଲାଣ୍ଡ, ଚେକ ରିପବ୍ଲିକ ଏବଂ ଆମେରିକାର କେତେକ ରାଜ୍ୟରେ ଏହା ଏକ ଆଇନଗତ ଦଣ୍ଡ ଅଟେ । ତେଣୁ ଅନ୍ୟ ଦେଶଗୁଡିକ ଭଳି ଭାରତରେ ଏଭଳି କଡ଼ା ଆଇନ୍‌ କରିବା ପାଇଁ ଚିନ୍ତା କରାଯାଇପାରେ । କାରଣ ଆମ ଦେଶରେ ବି ଦୁଷ୍କର୍ମକାରୀ କମ୍‌ ନାହାନ୍ତି । ହେଲେ ଭାରତରେ ଏହି ଆଇନ୍‌ ଆମ ସମ୍ବିଧାନର ଧାରା-୨୧ ଅନୁସାରେ ବ୍ୟକ୍ତିଗତ ସ୍ୱାଧୀନତାକୁ କ୍ଷୁର୍ଣ୍ଣ କରୁଛି । ତେଣୁ ନପୁଂସକ ଆଇନ୍‌ ଲାଗୁ ହୋଇ ନାହିଁ ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.