ଗାଲୁଆମିର ସୀମା ପାର କରୁଛି ପାକିସ୍ତାନ, କୁଳଭୂଷଣଙ୍କୁ ମିଛ କହିବାକୁ ବାଧ୍ୟ କରୁଛି

କୁଳଭୂଷଣଙ୍କୁ ମିଛ କହିବାକୁ ବାଧ୍ୟ କରାଯାଉଛି। ପାକିସ୍ତାନ ସେନା, ପୋଲିସ ଓ ସରକାର ତାଙ୍କୁ ମିଛ କହିବାକୁ ବାଧ୍ୟ କରୁଛନ୍ତି। ଏପରି ତାଙ୍କୁ ନିର୍ଯାତନା ଦିଆଯାଉଥିବାରୁ ସେ ଚାପରେ ଅଛନ୍ତି। ଭାରତ ସରକାରଙ୍କ ପକ୍ଷରୁ ଏହି କୁହାଯାଇଛି। ଆଇଜେର ନିର୍ଦ୍ଦେଶ କ୍ରମେ କୁଳଭୂଷଣଙ୍କୁ ଆଜି କନସୁଲାର ଆକ୍‌ସେସ୍‌ ଯୋଗାଇ ଦେଇଥିଲା ପାକିସ୍ତାନ। ତାଙ୍କୁ ଭେଟିଥିଲେ ପାକିସ୍ତାନରେ ଅବସ୍ଥାପିତ ଭାରତର ଡେପୁଟୀ ହାଇକମିଶନର ଗୌରବ ଆଲୁଓ୍ଵାଲିଆ। ଇସ୍‌ଲାମାବାଦ୍‌ର ଏକ ଅଜ୍ଞାତ ସ୍ଥାନରେ ପାଖାପାଖି ଦୁଇ ଘଣ୍ଟା ଧରି ତାଙ୍କ ସହ ଆଲୋଚନ କରିଥିଲେ। ବିଭିନ୍ନ ବିଷୟରେ ସେ କୁଳଭୂଷଣଙ୍କୁ ପଚାରି ବୁଝିଥିଲେ।

ତେବେ ଆଲୋଚନା ବେଳେ ଜଣେ ପାକିସ୍ତାନୀ ଅଧିକାରୀ ଥିବାରୁ କୁଳଭୂଷଣ ଖୋଲାଖୋଲି ଭାବେ କିଛି କହିପାରି ନଥିଲେ। କିନ୍ତୁ ସେ ଚାପରେ ଥିବା ଜଣାପଡ଼ିଥିଲା। ତେବେ ଡେପୁଟି କମିଶନରଙ୍କ ରିପୋର୍ଟକୁ ଅପେକ୍ଷା କରାଯାଇଛି ବୋଲି ବୈଦେଶିକ ମନ୍ତ୍ରାଳୟ ପକ୍ଷରୁ କୁହାଯାଇଛି। ଗତ ଜୁଲାଇ ୧୭ ତାରିଖରେ କନସୁଲାର ଆକ୍ସସେସ୍‌ ଦେବା ପାଇଁ ଇଣ୍ଟରନ୍ୟାସନାଲ କୋର୍ଟ ଅଫ୍‌ ଜଷ୍ଟିସ୍‌ ବା ICJ ରାୟ ଦେଇଥିଲେ । ଏଥିସହ ମୃତ୍ୟୁ ଦଣ୍ଡାଦେଶ ଉପରେ ରୋକ ଲଗାଇଥିଲେ ICJ । ଅବସରପ୍ରାପ୍ତ ଭାରତୀୟ ନୌସେନା ଅଧିକାରୀ କୁଳଭୂଷଣ ଯାଦବଙ୍କୁ ୨୦୧୬ ମାର୍ଚ୍ଚରେ ଗୁଇନ୍ଦାଗିରି ଅଭିଯୋଗରେ ପାକିସ୍ତାନ ଗିରଫ କରିଥିବା ଦାବି କରୁଛି।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.