ଯାତ୍ରା ମଝିରେ ପାଇଲଟ୍‌ଙ୍କ ଅଜବ ଯୁକ୍ତି: କହିଲେ- ମୋ ସିଫ୍ଟ ସରିଗଲାଣି, ମୁଁ ଆଉ ବିମାନ ଉଡ଼ାଇବି ନାହିଁ

ଯାତ୍ରା ମଝିରେ ପାଇଲଟ୍‌ଙ୍କ ଅଜବ ଯୁକ୍ତି। କହିଲେ ମୋ ସିଫ୍ଟ ସରିଗଲାଣି। ମୁଁ ଆଉ ବିମାନ ଉଡ଼ାଇବି ନାହିଁ। ପାଇଲଟ୍‌ଙ୍କ ଠାରୁ ଏଭଳି କଥା ଶୁଣି ଯାତ୍ରୀମାନେ ଭୀଷଣ ଭାବେ ରାଗିଯିବା ସହ ଏକ ଅପ୍ରୀତିକର ପରିସ୍ଥିତି ସୃଷ୍ଟି ହୋଇଥିବା ଜଣାଯାଇଛି। ଏଭଳି ଅଦ୍ଭୁତ କାମ କରିଛନ୍ତି ପାକିସ୍ତାନର ଜଣେ ପାଇଲଟ୍‌। ସାଉଦୀ ଆରବର ରାଜଧାନୀ ରିୟାଦରୁ ଏକ ବିମାନକୁ ଇସ୍‌ଲାମାବାଦ ଆଣିବାକୁ ପାଇଲଟ୍‌ ମନା କରିଦେଇଥିବା ଜଣାଯାଇଛି।

ପାକିସ୍ତାନ ଗଣମାଧ୍ୟମ ମୁତାବକ, ପିଆଇଏ ପ୍ରଶାସନ କହିଛନ୍ତି ଯେ ପିକେ-୯୭୫୪ ସାଉଦୀ ଆରବର ରାଜଧାନୀ ରିୟାଦରୁ ଉଡ଼ାଣ ଭରିଥିଲା। କିନ୍ତୁ ଖରାପ ପାଗ ଯୋଗୁ ଦମ୍ମମରେ ତାଙ୍କୁ ବିମାନ ଅବତରଣ କରିବାକୁ ପଡ଼ିଥିଲା। ତେବେ ପାଗ ଠିକ ହେବା ପରେ ପାଇଲଟ୍‌ କିନ୍ତୁ ଅଜବ ଯୁକ୍ତି କରିଥିଲେ। ପାଇଲଟ୍‌ କହିଥିଲେ ଯେ ତାଙ୍କ ସିଫ୍ଟ ସରିଯାଇଛି ଏଣୁ ସେ ଆଉ ବିମାନକୁ ଗନ୍ତବ୍ୟସ୍ଥଳକୁ ନେବେ ନାହିଁ। ପାଇଲଟ୍‌ଙ୍କ ଠାରୁ ଏଭଳି କଥା ଶୁଣିବା ପରେ ଯାତ୍ରୀମାନେ ରାଗିଯାଇଥିଲେ ଓ ବିମାନରୁ ଓହ୍ଲାଇବେନି ବୋଲି କହିଥିଲେ। ସ୍ଥିତିକୁ ନିୟନ୍ତ୍ରଣରେ ରଖିବା ପାଇଁ ଏୟାରପୋର୍ଟ ସିକ୍ୟୁରିଟିକୁ ଡାକିବାକୁ ପଡ଼ିଥିବା ଜଣାଯାଇଛି।

ପିଆଇଏର ପ୍ରବକ୍ତା କହିଛନ୍ତି, ଫ୍ଲାଇଟ୍‌ର ସୁରକ୍ଷା ଦୃଷ୍ଟିରୁ ଉଡ଼ାଣ ଭରିବା ପୂର୍ବରୁ ପାଇଲଟ୍‌ଙ୍କୁ ଆରାମ କରିବା ଆବଶ୍ୟକ। ଏହି ହିସାବରେ ବ୍ୟବସ୍ଥା କରାଯାଇଥିଲା। ଏଥିସହ ସେ ପ୍ରତିଶ୍ରୁତି ଦେଇଛନ୍ତି ଯେ ଠିକ୍‌ ସମୟରେ ହିଁ ବିମାନ ଇସ୍‌ଲାମାବାଦରେ ପହଞ୍ଚିବ। ପ୍ରକାଶ ଯେ ପିଆଇଏ ଇସ୍‌ଲାମାବାଦ, କରାଚୀ, ଲାହୋର, ମୁଲତାନ ଓ ପେଶାବର ସମେତ ପାକିସ୍ତାନର ବିଭିନ୍ନ ସହରକୁ ଯାଇଥାଏ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.