Below header

ଘୋର ଲଜ୍ଜା : ଋଣ ଶୁଝି ନପାରିବାରୁ ପାକିସ୍ତାନର ବିମାନକୁ ଜବତ କଲା ମାଲେସିଆ

କୁଆଲାଲମ୍‌ପୁର : ପାକିସ୍ତାନର ଅବସ୍ଥା ଦିନକୁ ଦିନ ଦୟନୀୟ ହେବାରେ ଲାଗିଛି । ଗୋଟିଏ ପରେ ଗୋଟିଏ ଦେଶ ତାକୁ ଝଟ୍‌କା ଦେବାରେ ଲାଗିଛନ୍ତି । ତା’ର ବନ୍ଧୁ ଦେଶ ସାଉଦିଆରବ କିଛି ମାସ ତଳେ ଦେଇଥିବା ଋଣ ଅର୍ଥ ଦାବି କରି ମାଗି ନେଇଥିବା ବେଳେ ଏବେ ମାଲେସିଆ ଭଡ଼ା ବାବଦକୁ ପାକିସ୍ତାନର ବିମାନକୁ ଜବତ କରିଛି । ଏଭଳି ଲଜ୍ଜାଜନକ କଥା ନିକଟରେ ସାମ୍‌ନାକୁ ଆସିଛି ।

ସୂଚନାନୁଯାୟୀ, ମାଲେସିଆର ସରକାରୀ ବିମାନ କମ୍ପାନୀ ପାକିସ୍ତାନକୁ ଏକ ଯାତ୍ରୀବାହୀ ବିମାନ ୭୭୭ ଭଡ଼ା ସୂତ୍ରରେ ଦେଇଥିଲା । ହେଲେ ପାକିସ୍ତାନ ଇଣ୍ଟରନେସ୍‌ନାଲ୍‌ ଏୟାର ଲାଇନ୍ସ ଏହାର ଭଡ଼ା ଦୀର୍ଘ ଦିନ ଧରି ଦେଇ ପାରିନଥିଲା । ଫଳରେ ମାଲେସିଆ ସ୍ଥାନୀୟ ଅଦାଲତରେ ଏନେଇ ଏକ ମାମଲା ଦାୟର ହୋଇଥିଲା । କୋର୍ଟ ନିର୍ଦ୍ଦେଶ ଅନୁଯାୟୀ, ମାଲେସିଆ ପାକିସ୍ତାନର ବିମାନକୁ ଜବତ କରିଛି ।

ସବୁଠୁ ଲଜ୍ଜାକର କଥା ଯେ କୁଆଲାଲମ୍‌ପୁର ବିମାନ ବନ୍ଦରରେ ପାକ୍‌ର ୭୭୭ ବିମାନଟି ଯାତ୍ରୀ ବସାଇ ଥିବାବେଳେ ମାଲେସିଆ କର୍ତ୍ତୃପକ୍ଷ ଲୋକଙ୍କୁ ବିମାନରୁ ଓହ୍ଲାଇ ଦେଇ ବିମାନଟିକୁ ଜବତ କରିଛନ୍ତି । ତେବେ ପାକିସ୍ତାନ କର୍ତ୍ତୃପକ୍ଷ ଏକ ଟ୍ଵିଟ୍‌ ମାଧ୍ୟମରେ ଏହାକୁ ମାଲେସିଆର ମନମାନି ବୋଲି କହିଛନ୍ତି । ପାକିସ୍ତାନ କହିଛି ଯେ ମାମଲାଟି ଏବେ ୟୁକେ କୋର୍ଟରେ ବିଚାରାଧୀନ ରହିଛି । ତେଣୁ ଏ ସମୟରେ ବିମାନ ଜବତ କରିବା ମାଲେସିଆର ଏକ ତରଫା ନିଷ୍ପତ୍ତି ବୋଲି ପାକିସ୍ତାନ କହିଛି ।

ପ୍ରକାଶଯୋଗ୍ୟ ଯେ ପାକିସ୍ତାନ ପାଖରେ ମୋଟ ୧୨ଟି ଯାତ୍ରୀବାହୀ ବିମାନ ଅଛି । ଯାହାକୁ ପାକିସ୍ତାନ ବିଭିନ୍ନ କମ୍ପାନୀ ଠାରୁ ଭଡ଼ା ସୂତ୍ରରେ ଆଣିଛି । ନିକଟରେ ସାଉଦ ଆରବ ଠାରୁ ଆଣିଥିବା ୩ ଆରବ ଡଲାର ଅର୍ଥ ପାକିସ୍ତାନ ଫେରାଇଛି । ତାହା ପୁଣି ଚୀନ୍‌ ଠାରୁ କରଜ ସୂତ୍ରରେ ଆଣି । ତେଣୁ ପାକିସ୍ତାନର ଏଭଳି ସ୍ଥିତି ଦେଖିଲେ ଏହାଯେ ଋଣ ଯନ୍ତାରେ ପଡ଼ି ଛଟପଟ ହେଉଛି କହିବା ବାହୁଲ୍ୟ ହେବ ।

ତଥାପି ପାକିସ୍ତାନ ଭାରତ ସହ ସୀମା ପାର ଆତଙ୍କବାଦ ଜାରି ରଖିବା ଅଭ୍ୟାସରୁ ବିରତ ହୋଇନାହିଁ । ନିଜର ଆର୍ଥିକ ସ୍ଥିତି ରସାତଳକୁ ଯାଇଥିବା ବେଳେ ନିଜର ଉନ୍ନତିରେ ଧ୍ୟାନ ନଦେଇ ପାକିସ୍ତାନ ତା’ର ପଡ଼ୋଶୀ ଦେଶ ପ୍ରତି ଦ୍ୱେଷ ମାନସିକତା ଏବେ ବି ଜାରି ରଖିଛି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.