ନିର୍ଭୟା ଦୋଷୀଙ୍କୁ ଫାଶୀ ଦେବାକୁ ଉତ୍କଣ୍ଠାର ସହ ଅପେକ୍ଷା କରିଛନ୍ତି ପବନ ଜହ୍ଲାଦ, କାରଣ ଜାଣିଲେ ତାଜୁବ ହେବେ

ନୂଆଦିଲ୍ଲୀ : ନିର୍ଭୟା ଦୋଷୀଙ୍କୁ ଫାଶୀ ଦେଲେ ପବନ ଜହ୍ଲାଦଙ୍କୁ ମିଳିବ ପ୍ରାୟ ୧ ଲକ୍ଷ ଟଙ୍କା । ଏହି ଟଙ୍କାରେ ସେ ନିଜ ଝିଅ ବାହାଘର କରିବେ । ସେଥିପାଇଁ ସେ ଚାରି ଜଣ ଦୋଷୀଙ୍କୁ ଫାଶୀ ଦେବାକୁ ଭାରି ଆଗ୍ରହର ସହ ଅପେକ୍ଷା କରିଛନ୍ତି ।
ଖୁବ୍‌ କମ୍‌ ଦରମା ପାଉଥିବା ପବନ ନିର୍ଭୟା ମାମଲାରେ ପଟିଆଲା ହାଉସ୍‌ କୋର୍ଟ ଡେଥ୍‌ ଓ୍ଵାରେଣ୍ଟ ବାହାର କରିବା ପରେ ଭାରି ଖୁସି । ସେ ଈଶ୍ୱରଙ୍କୁ ଓ ତିହାର ଜେଲ୍‌ ପ୍ରଶାସକଙ୍କୁ ଜୁହାର ହୋଇଛନ୍ତି । କାରଣ ଏକାଥରେ ଏତେ ମୋଟା ଅଙ୍କର ଟଙ୍କା ସେ ପାଇବେ । ଯେଉଁଥିରେ ଝିଅ ବାହାଘର କରିବେ । ତାଙ୍କ ଝିଅକୁ ୧୮ ବର୍ଷ ବୟସ । ପବନ କହିଛନ୍ତି, ମୋତେ ଏବେ ୫୭ ବର୍ଷ ବୟସ । ମୋ ଜୀବନରେ ଏକାଥରେ ଏତେ ଟଙ୍କା ମୁଁ ଦେଖି ନାହିଁ ।
ପବନ ଆହୁରି କହିଛନ୍ତି ଯେ ତାଙ୍କର ୫ ଝିଅ ଓ ୨ ପୁଅ । ମହଙ୍ଗା ସମୟରେ ଏତେ ବଡ଼ ପରିବାର ଚଳାଇବା ଭାରି କଷ୍ଟ । ତା ଉପରେ ପୁଣି ଝିଅ ବାହାଘର । ତେଣୁ ଗୋଟିଏ ମୋଟା ଅଙ୍କର ଟଙ୍କା ପାଇବାକୁ ସେ ଫାଶୀ ଦେବା ପାଇଁ ଅପେକ୍ଷା କରି ରହିଛନ୍ତି । ତାଙ୍କର ବାପା, ଜେଜେବାପା ମଧ୍ୟ ଘାତକ ଭାବେ କାମ କରି ଆସିଛନ୍ତି । ସେମାନେ ରାଙ୍ଗା ବିଲ୍ଲା ଏବଂ ଇନ୍ଦିରା ଗାନ୍ଧିଙ୍କ ହତ୍ୟାକାରୀ ସତବନ୍ତ ସିଂହ ଓ କେହର ସିଂହଙ୍କୁ ଫାଶି ଦେଇଥିଲେ । ତେବେ ସେତେବେଳେ ଭାତ ସହ ପିଆଜ ଳଗାଇ ଖାଇ ହୋଇ ଯାଉଥିଲା । ସେମାନେ ଅଳ୍ପ ଦରମାରେ ଚଳି ଯାଉଥିଲେ । ହେଲେ ଏବେ ତ ପିଆଜ କିଲୋ ଶହେ ଟପି ଯାଉଛି କେମିତି ଚଳି ହେବ ବୋଲି ପବନ ଓଲଟା ପ୍ରଶ୍ନ କରିଛନ୍ତି ।
ଆସନ୍ତା ୨୨ ତାରିଖରେ ନିର୍ଭୟା ଦୋଷୀଙ୍କୁ ଫାଶୀ ଦିଆଯିବ । ସେଥିପାଇଁ ପବନ ଜହ୍ଲାଦଙ୍କୁ ବଛା ଯାଇଛି । ଯିଏ ସେମାନଙ୍କୁ ଫାଶୀ ଖୁଣ୍ଟରେ ଝୁଲାଇବେ ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.