Below header

ହାତୀ ଭୟରେ ଏହି ଗାଁରେ ଝିଅ ବାହା ଦେବାକୁ ଚାହୁଁ ନାହାନ୍ତି ଲୋକେ! ବର୍ଷ ବର୍ଷ ଧରି ପୁଅଙ୍କୁ ରହିବାକୁ ପଡ଼ୁଛି କୁଆଁରା

ଛତିଶଗଡ଼ର ଏକ ଗାଁରେ ହାତୀ ଆତଙ୍କ ଦେଖା ଦେଇଛି। ଏଠାରେ ହାତୀମାନଙ୍କ ଦୌରାତ୍ମ୍ୟ ଏତେ ମାତ୍ରାରେ ବଢ଼ି ଯାଇଛି ଯେ ଲୋକମାନେ ସେଠି ଝିଅ ଦେବାକୁ ଚାହୁଁ ନାହାନ୍ତି। ମାମଲା ଛତିଶଗଡର ପ୍ରତାପପୁର ଅଞ୍ଚଳର। ପ୍ରତାପପୁର ନଗର ପଞ୍ଚାୟତ ସୂରଜପୁର ଜିଲ୍ଲାରେ ଆସୁଛି। ଏହି ଅଞ୍ଚଳର ଗ୍ରାମବାସୀ ଦାବି କରିଛନ୍ତି କି, ହାତୀ ଆତଙ୍କ ଯୋଗୁ ଅଞ୍ଚଳରେ ବିବାହ ବନ୍ଦ କରି ଦିଆଯାଇଛି। ଏଠାରେ କୌଣସି ବିବାହ କାର୍ଯ୍ୟ ଅନୁଷ୍ଠିତ ହେଉ ନାହିଁ।

ଗତ ବର୍ଷ ଛତିଶଗଡରେ ହାତୀ ଆତଙ୍କକୁ ନେଇ ଭୟଙ୍କର ଖବର ସବୁ ସାମ୍ନାକୁ ଆସିଥିଲା। ସରକାରୀ ରେକର୍ଡ ଅନୁସାରେ, ୨୦୧୮ରୁ ୨୦୨୦ ମଧ୍ୟରେ ଛତିଶଗଡରେ ହାତୀ ଆକ୍ରମଣରେ ମୋଟ ୨୦୪ ଜଣଙ୍କର ମୃତ୍ୟୁ ଘଟିଥିଲା। ଯେତେବେଳେ କି, ଏହି ଅବଧି ମଧ୍ୟରେ ରାଜ୍ୟରେ ୪୫ ହାତୀଙ୍କର ପ୍ରାଣହାନି ହୋଇଥିଲା। ଗତ ବର୍ଷ କେବଳ ସେପ୍ଟେମ୍ବରରେ ହାତୀ ଆକ୍ରମଣରେ ଛତିଶଗଡରେ ୧୧ ଜଣଙ୍କର ମୃତ୍ୟୁ ଘଟିଥିଲା। ଏକ ରିପୋର୍ଟରୁ ଜଣାପଡ଼ିଛି ଯେ ପ୍ରତାପପୁର ନଗର ପଞ୍ଚାୟତ ସରପଞ୍ଚ କହିଛନ୍ତି, ‘ହାତୀମାନେ ଘରଗୁଡ଼ିକୁ ଭାଙ୍ଗି ଦେଉଛନ୍ତି ଏବଂ ଘର ଭିତରକୁ ପଶି ଆସି ଗ୍ରାମବାସୀଙ୍କୁ ମଧ୍ୟ ମାରି ଦେଉଛନ୍ତି। ଲୋକମାନେ ଚାହୁଁ ନାହାନ୍ତି କି, ସେମାନଙ୍କ ଝିଅ ବାହାଘର ହାତୀ ଆତଙ୍କର ସାମ୍ନା କରୁଥିବା ଗାଁରେ ହେଉ’।

ଚଳିତ ମାସ ୧୧ ତାରିଖରେ ଛତିଶଗଡର ସୂରଜପୁର ଜିଲ୍ଲାର ଏକ ଗାଁ ଉପକଣ୍ଠରେ ଜଙ୍ଗଲି ହାତୀ ୪୬ ବର୍ଷୀୟା ଜଣେ ମହିଳାଙ୍କୁ ମାରି ଦେଇଛି। ସୂରଜପୁର ବନ ମଣ୍ଡଳ ଡିଏଫଓ ବି ଏସ ଭଗତ କହିଛନ୍ତି, ବନଖଣ୍ଡ ଅଞ୍ଚଳର ଭେଲକଚ୍ଛ ଗାଁରେ ଏହି ଘଟଣା ଘଟିଛି। ଏଠାରେ ଗୀତା ଦେବୀ ନାମ୍ନୀ ମହିଳା ନିଜ କ୍ଷେତ ଆଡ଼କୁ ଯାଉଥିବା ବେଳେ ହାତୀ ଆକ୍ରମଣର ଶିକାର ହୋଇଥିଲେ।

କହି ରଖୁଛୁ କି, ପ୍ରତାପପୁର ଜଙ୍ଗଲ ପରିସର ଅନ୍ତର୍ଗତ ପାଖାପାଖି ୧୨ରୁ ଅଧିକ ଗାଁରେ ହାତୀ ଆତଙ୍କ କୌଣସି ନୂଆ କଥା ନୁହେଁ। ଏମିତି ଆତଙ୍କର ମାହୋଲ ପ୍ରାୟ ୧୫ରୁ ୨୦ ବର୍ଷ ଧରି ଚାଲି ଆସୁଛି। ହାତୀମାନେ ପ୍ରତିଦିନ ଲୋକଙ୍କ ଫସଲ ଏବଂ ଘର ନଷ୍ଟ କରି ଦେଉଛନ୍ତି। ଏଥିଯୋଗୁ ଲୋକଙ୍କର ଅନେକ କ୍ଷୟକ୍ଷତି ଘଟୁଛି। ଶତାଧିକ ଲୋକ ନିଜ ଜୀବନ ମଧ୍ୟ ହରାଇଛନ୍ତି। ଏହି ଭୟ ଯୋଗୁ ଅନ୍ୟ ଅଞ୍ଚଳର ଲୋକମାନେ ନିଜ ଝିଅମାନଙ୍କର ବିବାହ ହାତୀ ପ୍ରଭାବିତ ଅଞ୍ଚଳରେ କରିବାକୁ ମନା କରି ଦେଉଛନ୍ତି। ଅନ୍ୟ ଅଞ୍ଚଳର ଲୋକଙ୍କ କହିବା ହେଲା କି, ନିଜ ଝିଅ, ଭଉଣୀଙ୍କୁ ମରିବାକୁ ସେହି ଅଞ୍ଚଳକୁ ପଠାଇବେ ନାହିଁ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.