ଝିଅମାନଙ୍କୁ ଆରାମ! କେରଳରେ ଋତୁସ୍ରାବ ସମୟରେ ଛାତ୍ରୀଙ୍କୁ ମିଳିବ ଛୁଟି; ସରକାର କଲେ ଘୋଷଣା

କେରଳ ଉଚ୍ଚ ଶିକ୍ଷା ବିଭାଗ ଅଧୀନରେ ଥିବା ସମସ୍ତ ରାଜ୍ୟ ବିଶ୍ୱବିଦ୍ୟାଳୟରେ ଛାତ୍ରୀମାନଙ୍କୁ ଋତୁସ୍ରାବ ସମୟରେ ଛୁଟି ଦିଆଯିବ ବୋଲି ସରକାର ନିଷ୍ପତ୍ତି ନେଇଛନ୍ତି। ଏହା ପୂର୍ବରୁ କୋଚିନ୍ ୟୁନିଭର୍ସିଟି ଅଫ୍‌ ସାଇନ୍ସ ଆଣ୍ଡ ଟେକ୍ନୋଲୋଜି (CUSAT) ନିଜର ଛାତ୍ରୀମାନଙ୍କୁ ଋତୁସ୍ରାବ ଛୁଟି ଦେବାକୁ ନିଷ୍ପତ୍ତି ନେଇଥିଲା। ଏ ସମ୍ପର୍କରେ ଉଚ୍ଚ ଶିକ୍ଷା ମନ୍ତ୍ରୀ ଆର ବିନ୍ଦୁ କହିଛନ୍ତି ଯେ କେରଳ ସରକାର ବିଭାଗ ଅଧୀନରେ ଆସୁଥିବା ସମସ୍ତ ରାଜ୍ୟ ବିଶ୍ୱବିଦ୍ୟାଳୟରେ ଏହାକୁ କାର୍ଯ୍ୟକାରୀ କରିବାକୁ ନିଷ୍ପତ୍ତି ନେଇଛନ୍ତି।

ଉଚ୍ଚ ଶିକ୍ଷା ମନ୍ତ୍ରୀ ଆର ବିନ୍ଦୁଙ୍କ କହିବା ହେଲା, SFI ନେତୃତ୍ୱାଧୀନ ଛାତ୍ର ସଂଗଠନର ଦାବି ପରେ CUSATରେ ଋତୁସ୍ରାବ ଛୁଟିକୁ ମଞ୍ଜୁରୀ ଦିଆଯାଇଥିଲା। ବର୍ତ୍ତମାନ ସରକାର ଋତୁସ୍ରାବ ସମୟରେ ଛାତ୍ରୀମାନଙ୍କୁ ହେଉଥିବା ମାନସିକ ଏବଂ ଶାରୀରିକ କଷ୍ଟକୁ ନଜରରେ ରଖି ଅନ୍ୟ ବିଶ୍ୱବିଦ୍ୟାଳୟରେ ମଧ୍ୟ ଏହାକୁ ଆରମ୍ଭ କରିବାକୁ ଚିନ୍ତା କରୁଛନ୍ତି।

ସୂଚନାଥାଉ କି, ନିକଟରେ କେରଳର ପ୍ରସିଦ୍ଧ କୋଚିନ୍ ୟୁନିଭର୍ସିଟି ଅଫ୍‌ ସାଇନ୍ସ ଆଣ୍ଡ ଟେକ୍ନୋଲୋଜି (CUSAT) ପ୍ରତ୍ୟେକ ସେମିଷ୍ଟାରରେ ଛାତ୍ରୀମାନଙ୍କ ଉପସ୍ଥିତି ଅଭାବକୁ ନଜରରେ ରଖି ଅତିରିକ୍ତ ଦୁଇ ପ୍ରତିଶତ ଛୁଟିକୁ ମଞ୍ଜୁରୀ ପ୍ରଦାନ କରିଛି। କୋଚିନ୍ ବିଶ୍ୱବିଦ୍ୟାଳୟକୁ ପ୍ରଶଂସା କରି ଏବେ କେରଳ ସରକାର ସମସ୍ତ ବିଶ୍ୱବିଦ୍ୟାଳୟ ପାଇଁ ଏହି ନିଷ୍ପତ୍ତି ନେଇଛନ୍ତି।

ନିକଟରେ କୋଚିନ୍ ବିଶ୍ୱବିଦ୍ୟାଳୟର ନିଷ୍ପତ୍ତିକୁ ପ୍ରଶଂସା କରି ଉଚ୍ଚ ଶିକ୍ଷା ମନ୍ତ୍ରୀ କହିଛନ୍ତି ଯେ କେରଳରେ ପ୍ରଥମ ଥର ପାଇଁ କୌଣସି ଏକ ଶିକ୍ଷାନୁଷ୍ଠାନ ଛାତ୍ରୀମାନଙ୍କୁ ମାସିକ ଧର୍ମରେ ଛୁଟି ଦେଇଛି। ଏବେ ଛାତ୍ରୀମାନଙ୍କ ପାଇଁ ୭୩% ଉପସ୍ଥାନ ବାଧ୍ୟତାମୂଳକ କରାଯାଇଛି। ସେମାନଙ୍କୁ ୨% ଆରାମ ଦିଆଯାଇଛି।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.