ଆୟୁର୍ବେଦିକ ଚା’ ପ୍ୟାକେଟରେ ମୁଖ୍ୟମନ୍ତ୍ରୀ ଶିବରାଜ ସିଂ ଚୌହାନଙ୍କ ଫଟୋ, ବିଜ୍ଞାପନ କରୁଥିବା ନେଇ ଅଭିଯୋଗ ଆଣିଲା କଂଗ୍ରେସ

କରୋନା ସଙ୍କଟ ସମୟରେ ଯେଉଁଠି ସରକାର ରାଜ୍ୟବାସୀଙ୍କ ଇମ୍ୟୁନିଟି ବଢାଇବା ଉପରେ ଗୁରୁତ୍ୱ ଦେଉଛନ୍ତି, ସେଠି କଂଗ୍ରେସ ରାଜ୍ୟ ରାଜନୀତି ଉପରେ ନଜର ରଖିଛି। ତେବେ ଏହି ମହାମାରୀକୁ ମାତ ଦେବା ପାଇଁ ମଧ୍ୟପ୍ରଦେଶ ମୁଖ୍ୟମନ୍ତ୍ରୀ ଶିବରାଜ ସିଂ ଚୌହାନ ରାଜ୍ୟବାସୀଙ୍କୁ ଆୟୁର୍ବେଦିକ ଚା’ ପିଆଇବାକୁ ଯୋଜନା କରିଛନ୍ତି। ଲୋକମାନଙ୍କ ଇମ୍ୟୁନିଟି ବଢାଇବା ପାଇଁ ଆୟୁର୍ବେଦିକ ଚା’ ପ୍ୟାକେଟ ବାଣ୍ଟିବାକୁ ପ୍ରସ୍ତୁତି ଚଳାଇଛନ୍ତି। କିନ୍ତୁ ଏହାପୂର୍ବରୁ କଂଗ୍ରେସ ଏହାକୁ ନେଇ ବିବାଦ ଆରମ୍ଭ କରିଦେଇଛି।

ଆୟୁଷ ବିଭାଗ ପକ୍ଷରୁ ଆୟୁର୍ବେଦିକ ଚା’ ପ୍ୟାକେଟକୁ ମାଗଣାରେ ବିତରଣ କରାଯାଉଛି। ପ୍ରତ୍ୟେକ ପ୍ୟାକେଟର ଓଜନ 50 ଗ୍ରାମ ରହିଥିବା ବେଳେ ଏହାକୁ ରାଜ୍ୟର 1 କୋଟି ପରିବାରକୁ ବଣ୍ଟାଯିବା ପାଇଁ ଯୋଜନା କରାଯାଇଛି। ଏହି ଚା’କୁ ମଧ୍ୟପ୍ରଦେଶ ଲଘୁ ଜଙ୍ଗଲି ଉତ୍ପାଦ ସଙ୍ଘ ତରଫରୁ ପ୍ରସ୍ତୁତ କରାଯାଉଛି। ତେବେ ସରକାରଙ୍କ ଦାବି ଅନୁସାରେ, ଏହି ଚା’ ଶରୀରର ରୋଗ ପ୍ରତିରୋଧକ ଶକ୍ତି ବୃଦ୍ଧି କରିବ। କେବଳ କରୋନା ପାଇଁ ନୁହେଁ, ବରଂ ଥଣ୍ଡା, ଜ୍ୱର, କାଶ ଆଦି ପାଇଁ ମଧ୍ୟ ଏହା ଲାଭଦାୟକ ହେବ। ଏହାର କୌଣସି ହାନିକାରକ ପ୍ରଭାବ ନାହିଁ ବୋଲି ସରକାର କହିଛନ୍ତି।

ସେପଟେ ଚା’ ପ୍ୟାକେଟରେ ମୁଖ୍ୟମନ୍ତ୍ରୀଙ୍କ ଫଟୋ ଲଗାଯାଇଥିବା ନେଇ କଂଗ୍ରେସ, ସରକାରଙ୍କୁ ଟାର୍ଗେଟ କରିଛି। ମଧ୍ୟପ୍ରଦେଶ କଂଗ୍ରେସ କମିଟି ନିଜ ଅଫିସିଆଲ ହ୍ୟାଣ୍ଡେଲରୁ ଟୁଇଟ କରି ଏହି ଚା’ ପ୍ୟାକେଟ ଫଟୋ ପୋଷ୍ଟ କରିଛି। ଏଭଳି ମହାମାରୀ ସ୍ଥିତିରେ ବି ସରକାର ବିଜ୍ଞାପନ କରୁଥିବା ନେଇ କଂଗ୍ରେସ ଅଭିଯୋଗ କରିଛି।

ରାଜ୍ୟ ସଦସ୍ୟ ବିବେକ ତନଖା ମଧ୍ୟ ସରକାରଙ୍କୁ ଏହି ମାମଲାରେ ଘେରିଛନ୍ତି। ସେ ଟୁଇଟ କରି ଲେଖିଛନ୍ତି, ‘କ୍ଷମା କରିବେ ଶିବରାଜ ଜୀ। କରୋନାର ଏହି ଯୁଦ୍ଧରେ ଆପଣଙ୍କ ଫଟୋ ସରକାରୀ ପ୍ୟାକେଟରେ ଦେବା ଭୁଲ ବାର୍ତ୍ତା ଦେଉଛି। ସରକାରୀ ପ୍ୟାକେଟରେ ଏମିତି କରିବା ଦଣ୍ଡନୀୟ ଅପରାଧ। ଏହା କ’ଣ ଆପଣଙ୍କ ଅନୁମତିରେ ହୋଇଛି? ଯଦି ନୁହେଁ, ତା’ ହେଲେ ଯେଉଁ ଅଧିକାରୀଙ୍କ ଅନୁମତିରେ ହୋଇଛି, ତାଙ୍କୁ ଦଣ୍ଡିତ କରିବା ଉଚିତ’।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.