ଧାରା ୩୭୦ ଉଚ୍ଛେଦକୁ ନେଇ ସମାଲୋଚକଙ୍କୁ ଏଭଳି କଡ଼ା ଜବାବ ଦେଲେ ମୋଦି

ନୂଆଦିଲ୍ଲୀ: ମହାରାଷ୍ଟ୍ରର ଅକୋଲାଠାରେ ଅନୁଷ୍ଠିତ ଏକ ନିର୍ବାଚନ ର୍ୟାଲିରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଯୋଗ ଦେଇଛନ୍ତି। ଲୋକଙ୍କୁ ସମ୍ବୋଧିତ କରିବା ଅବସରରେ ମୋଦି ଏଠାରେ ବିରୋଧୀଙ୍କୁ କଡ଼ା ଜବାବ ଦେଇଛନ୍ତି। ସେ କହିଛନ୍ତି ଯେ ବିରୋଧୀମାନେ ଏକ ଶ୍ରେଷ୍ଠ ଭାରତ ଚାହୁଁନାହାନ୍ତି। ତାଙ୍କୁ ଏକ ଖଣ୍ଡବିଖଣ୍ଡିତ, ଝଗଡ଼ା କରୁଥିବା ଭାରତ ଦରକାର। ଏହା ସେମାନଙ୍କର ରାଜନୈତିକ ଷଡ଼ଯନ୍ତ୍ର, ଯାହା ଆଜି ଫସର ଫାଟିଛି। ପ୍ରଧାନମନ୍ତ୍ରୀ କହିଛନ୍ତି ଯେ ସେ ଦେଶ ଉପରେ ଟିକେ ବି ଆଞ୍ଚ୍ ଆସିବାକୁ ଦେବେ ନାହିଁ।
ବିରୋଧୀ ଦଳକୁ ଟାର୍ଗେଟ କରି ମୋଦି କହିଛନ୍ତି ଯେ ଧାରା ୩୭୦ ଉଚ୍ଛେଦ ପରେ ସାରା ଦେଶବାସୀ ଖୁସି ହୋଇଥିବା ବେଳେ କେବଳ ବିରୋଧୀଙ୍କ ମୁହଁରୁ ହିଁ ହସ ଉତୁରିଯାଇଛି। ସେମାନଙ୍କୁ କଷ୍ଟ ହେଉଛି। ସେମାନେ ଦୀର୍ଘଦିନ ଧରି ପାଳିପୋଷି ରଖିଥିବା ୩୭୦ ମାତ୍ର କିଛି କ୍ଷଣ ମଧ୍ୟରେ ଦେଶବାସୀଙ୍କ ପାଦ ତଳେ ଦବିଗଲା।
ଏହାସହ ପଢ଼ନ୍ତୁ: ମୋବାଇଲ୍ ଆପ୍ରୁ ଠାବ ହେଲା ୫ ବର୍ଷ ତଳେ ହଜିଥିବା ଝିଅ
ଏଥିସହ ମୋଦି ମହାରାଷ୍ଟ୍ରର ଲୋକଙ୍କୁ ମଧ୍ୟ ଧନ୍ୟବାଦ ଜଣାଇଛନ୍ତି। ପ୍ରଧାନମନ୍ତ୍ରୀ କହିଛନ୍ତି ଯେ ଏହା ବୀର ସାବରକରଙ୍କ ସଂସ୍କାର ଯେ ଆମେ ରାଷ୍ଟ୍ରବାଦକୁ ରାଷ୍ଟ୍ରନିର୍ମାଣ ଠାରୁ ଦୂରରେ ରଖିଛୁ। ଅନ୍ୟପଟେ ବିରୋଧୀମାନେ ସବୁ ମୁହୂର୍ତ୍ତରେ ବାବା ସାହେବଙ୍କୁ ଅପମାନିତ କରିଛନ୍ତି ବୋଲି କହିଛନ୍ତି ମୋଦି। ଛତ୍ରପତି ଶିବାଜୀଙ୍କ ମାଟିରେ ରାଜନୈତିକ ସ୍ୱାର୍ଥ ପାଇଁ ଲୋକମାନେ କେମିତି ଏମିତି କରିପାରୁଛନ୍ତିି କହି ମୋଦି ଆଶ୍ଚର୍ଯ୍ୟ ପ୍ରକାଶ କରିଥିଲେ।
ସେ ଆହୁରି ମଧ୍ୟ କହିଛନ୍ତି ଯେ ଦିନେ ଏହି ସ୍ଥାନରେ ଏମିତି ବୋମାମାଡ଼ ହୋଇଥିଲା ଯେ ମୁମ୍ବାଇ ହଲିଯାଇଥିଲା। ମାତ୍ର ପ୍ରକୃତ ମାଷ୍ଟରମାଇଣ୍ଡ ଏ ପର୍ଯ୍ୟନ୍ତ ଧରାପଡ଼ିଲାନାହିଁ। ଦେଶ ଭିତରେ ହିଁ ଶତ୍ରୁମାନେ ରହି ଆତଙ୍କ ଘଟାଉଥିବା ବେଳେ ପ୍ରକୃତ ଅପରାଧୀ କେବେ ଧରାପଡ଼ିବେ ବୋଲି ଦେଶବାସୀ ପ୍ରଶ୍ନ କରୁଥିବା ମୋଦି କହିଛନ୍ତିି।