ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ଲଞ୍ଚ୍ କଲେ ନୌସେନାର ସ୍ୱଦେଶୀ ଯୁଦ୍ଧପୋତ ‘ବିନ୍ଧ୍ୟଗିରି’, ବଢ଼ିବ ଭାରତର ସାମୁଦ୍ରିକ ଶକ୍ତି
ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ଗୁରୁବାର ଲଞ୍ଚ୍ କରିଛନ୍ତି ସ୍ୱଦେଶୀ ଯୁଦ୍ଧପୋତ ‘ବିନ୍ଧ୍ୟଗିରି’। ଏହି ନୌସେନା ଯୁଦ୍ଧପୋତକୁ ରାଷ୍ଟ୍ରପତି ମୁର୍ମୁ କୁମ୍କୁମ୍ ଲଗାଇ ଦେଇଥିଲେ ଏବଂ ଏହାପରେ ନଡ଼ିଆ ଭାଙ୍ଗି ମାଳା ପିନ୍ଧାଇ ଏହାକୁ ଜଳାବତରଣ କରିଥିଲେ।

ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ଗୁରୁବାର ଲଞ୍ଚ୍ କରିଛନ୍ତି ସ୍ୱଦେଶୀ ଯୁଦ୍ଧପୋତ ‘ବିନ୍ଧ୍ୟଗିରି’। ଏହି ନୌସେନା ଯୁଦ୍ଧପୋତକୁ ରାଷ୍ଟ୍ରପତି ମୁର୍ମୁ କୁମ୍କୁମ୍ ଲଗାଇ ଦେଇଥିଲେ ଏବଂ ଏହାପରେ ନଡ଼ିଆ ଭାଙ୍ଗି ମାଳା ପିନ୍ଧାଇ ଏହାକୁ ଜଳାବତରଣ କରିଥିଲେ। ଏଥିସହ ରାଷ୍ଟ୍ରପତି ଯୁଦ୍ଧପୋତର ନାମକରଣ ମଧ୍ୟ କରିଥିଲେ। ଭାରତୀୟ ନୌସେନାର ପ୍ରଶଂସା କରିବା ସହିତ ଭାରତରେ ଏହି ଯୁଦ୍ଧପୋତ ନିର୍ମାଣକାରୀଙ୍କୁ ଶୁଭକାମନା ଜଣାଇଥିଲେ ରାଷ୍ଟ୍ରପତି।
ଏହି ଅବସରରେ ନୌସେନା କର୍ମଚାରୀଙ୍କ ମୁଖ୍ୟ ଆର୍. ହରି କୁମାର କହିଥିଲେ, ବିନ୍ଧ୍ୟଗିରି ପୁରୁଣା ଯୁଦ୍ଧପୋତର ପୁନଃ ଅବତରଣ। ଏହା ଭାରତୀୟ ନୌସେନାର ଅତ୍ୟାଧୁନିକ ଯୁଦ୍ଧପୋତ। ଏହାକୁ ରାଷ୍ଟ୍ରପତି ମୁର୍ମୁ ଜଳାବତରଣ କରିଛନ୍ତି। ରାଷ୍ଟ୍ରପତି କଲିକତାରେ ପହଞ୍ଚିବା ପରେ ସକାଳେ ରାଜ୍ୟପାଳ ସି.ଭି. ଆନନ୍ଦ ବୋଷ ବିମାନବନ୍ଦରରେ ତାଙ୍କୁ ସ୍ୱାଗତ କରିଥିଲେ।
ଜଣେ ପ୍ରତିରକ୍ଷା ଅଧିକାରୀଙ୍କ ମୁତାବକ, ରାଷ୍ଟ୍ରପତି ହୁଗଳି ନଦୀ କୂଳରେ ଥିବା ‘ଗାର୍ଡେନ୍ ରିଚ୍ ସିପବିଲ୍ଡର୍ସ ଇଞ୍ଜିନିୟର୍ସ ଲିମିଟେଡ୍’ (GRSE) କେନ୍ଦ୍ରରେ ଭାରତୀୟ ନୌସେନାର ‘ପ୍ରୋଜେକ୍ଟ ୧୭ ଅଲଫା’ ଅଧୀନରେ ନିର୍ମିତ ଷଷ୍ଠ ନୌସେନା ଯୁଦ୍ଧପୋତ ‘ବିନ୍ଧ୍ୟଗିରି’କୁ ଲଞ୍ଚ୍ କରିଛନ୍ତି। ଏହାଦ୍ୱାରା ଭାରତର ସାମୁଦ୍ରିକ ଶକ୍ତି ଆହୁରି ବୃଦ୍ଧି ପାଇବ।
ଏହି ପ୍ରକଳ୍ପ ଅଧୀନରେ ମୋଟ ୭ଟି ଯୁଦ୍ଧପୋତ ନିର୍ମାଣ ହେବ, ଯେଉଁଥିରେ ‘ବିନ୍ଧ୍ୟଗିରି’ ଷଷ୍ଠ ଯୁଦ୍ଧପୋତ। ପୂର୍ବରୁ ୫ ଯୁଦ୍ଧପୋତର ଜଳାବତରଣ ୨୦୧୯ରୁ ୨୦୨୨ ମଧ୍ୟରେ ହୋଇସାରିଛି।